ପଦ୍ମପୁରରେ ପଦ୍ମ ଫୁଟାଇ ଉପ ନିର୍ବାଚନ ଜିତିବାକୁ ବିଜେପି ର ଜୋରଦାର କସରତ । ପ୍ରଚାରର ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମୈଦାନ୍ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭେଉଁରିଆ, ପୁରେଣା, ଲୁହାରପାଲି, ବାରିକେଳ ପଦ୍ମପୁର ବ୍ଲକର ଚାରି ଚାରିିଟି ସ୍ଥାନରେ ମାରଥନ ପ୍ରଚାର ଆଉ ସବୁଠି ନିଶାନାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର । ଆଉ ତା ସାଙ୍ଗକୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।
Also Read
ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବି ନେଇ ରାଜ୍ୟ ସରକାରଙ୍କ ଉପରେ ଜୋର୍ଦାର ହମ୍ଲା କରିଛନ୍ତି ଅପରାଜିତା । ସେ କହିଛନ୍ତି, ‘ମୁଁ ଜିଲ୍ଲାପାଳ ଥିଲା ବେଳେ ପଦ୍ମପୁରକୁ ଜିଲ୍ଲା ଦାବି ଯଥାର୍ଥ ଥିବା ଅନୁଭବ କରିଥିଲି । ୨୨ ବର୍ଷ ବିତିଗଲାଣି, ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା କଲେ ନାହିଁ । ନିକଟରେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କରାଯିବ ବୋଲି କହିଥିଲେ । ହେଲେ ଗତକାଲି ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ଏନେଇ ବର୍ତ୍ତମାନ କିଛି ପ୍ରସ୍ତାବ ନଥିବା କହି ଏହାକୁ ସଫା ସଫା ମନା କରିଛନ୍ତି । ଲୋକଙ୍କୁ ଆଉ କେତେଦିନ ଭୁତାଇବେ ବୋଲି ପ୍ରଶ୍ନ କରି ବର୍ଷକ ୩୬୫ ଦିନରୁ ମୁଖ୍ୟମନ୍ତ୍ରୀ ୧୪୭ ବିଧାନସଭା କ୍ଷେତ୍ର ବୁଲି ଲୋକଙ୍କ କଥା ବୁଝିବା କଥା କହି ଟାର୍ଗେଟ୍ କରିଛନ୍ତି । ଆମର ସେମିତି ମୁଖ୍ୟମନ୍ତ୍ରୀ ଦରକାର ଯିଏ ଆମ କଥା ବୁଝୁଥିବ ବୋଲି କହିଛନ୍ତି ଅପରାଜିତା ।
କେବଳ ସେତିକି ନୁହେଁ, ସାଂସଦ ଜୁଏଲ୍ ଓରାମ୍ଙ୍କ ପରେ ବର୍ଷାଙ୍କ ନାଁ ନ ନେଇ ତାଙ୍କୁ ତେରଛା ବାଣ ଛାଡ଼ିଛନ୍ତି । କହିଛନ୍ତି, ଝିଅଟେ ବାହା ହେଲା ପରେ ସେ ଶାଶୁଘରର ବୋହୂ । ଅନ୍ୟର ବୋହୂ ଶାଶୁଘର ପାଇଁ କହିବ ନା ବାପଘର ପାଇଁ କହିବ ? ଝିଅ ଶାଶୁଘରକୁ ଚାଲି ଯାଇଛି । ତେଣୁ ଆମକୁ ଏବେ ପୁଅକୁ ଜିତାଇବାର ଅଛି ବୋଲି କହି ପ୍ରଦୀପ ପୁରୋହିତଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ଅପରାଜିତା ।
ମୁଖ୍ୟମନ୍ତ୍ରୀ ଙ୍କୁ ଅପରାଜିତାଙ୍କ ସିଧା ନିଶାନା ସହ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ଉପରେ ତେରଛା ନିଶାନାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । କହିଛି, ମୁଖ୍ୟମନ୍ତ୍ରୀ କେବଳ କାମ କଥା କୁହନ୍ତି । ବର୍ଷା ସିଂ ବରିହାଙ୍କ ବାପଘର ଶାଶୁ ଘର କଥା ଉଠାଇବା ଭୋକ ବିକଳରେ ତାଟିଆ କାମୁଡିବା ସହ ସମାନ । ସେପଟେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଆଜି ମାଣ୍ଡୋସିଲରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ନିର୍ବାଚନୀ ସଭା କରି ଭୋଟ୍ ମାଗିଛନ୍ତି ।