• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପୁଛି ପଦ୍ମପୁର ମଇଦାନ । ଗୋଟେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରୁଥିବା ବେଳେ ଅନ୍ୟପଟେ ଭୁବନେଶ୍ୱର  ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଆଜି ପଦ୍ମପୁର ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଞ୍ଚଳରେ ଅପରାଜିତା ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ୨୦୦୧ରେ ବରଗଡ଼ ତତ୍କାଳୀନ ଜିଲ୍ଲାପାଳ ଥିଲେ ଅପରାଜିତା । ତେଣୁ ତାଙ୍କର ଏହି ପ୍ରଚାର ଦଳ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି । ପ୍ରଚାର ପାଇଁ ଗତକାଲି ରେଳ ଯୋଗେ ପଦ୍ମପୁର ଗସ୍ତରେ ଯାଇଥିଲେ ଅପରାଜିତା ।

ପ୍ରଚାର ଅବସରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅପରାଜିତା । ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଆହୁରି କହିଛନ୍ତି, ‘ମୁଁ ଜିଲ୍ଲାପାଳ ଥିଲା ବେଳେ ପଦ୍ମପୁରକୁ ଜିଲ୍ଲା ଦାବି ଯଥାର୍ଥ ଥିବା ଅନୁଭବ କରିଥିଲି । ୨୨ ବର୍ଷ ବିତିଗଲାଣି, ରାଜ୍ୟ ସରକାର ପଦ୍ମପୁରକୁ ଜିଲ୍ଲା କଲେନାହିଁ । ନିକଟରେ ମୁଖ୍ୟମନ୍ତ୍ରୀ କହିଥିଲେ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କରାଯିବ । ହେଲେ କାଲି ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ଏହାକୁ ସଫା ସଫା ମନା କରିଛନ୍ତି । ପଦ୍ମପୁରକୁ ଜିଲ୍ଲା କରିବା ନେଇ ବର୍ତ୍ତମାନ କିଛି ପ୍ରସ୍ତାବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଆଉ କେତେ ଦିନ ଲୋକଙ୍କୁ ଭୁତାଇବେ । ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ବୁଝିବା ଦରକାର, ଲୋକଙ୍କ ପାଖକୁ ଆସିବା ଦରକାର । ଆମର ସେମିତି ମୁଖ୍ୟମନ୍ତ୍ରୀ ଦରକାର, ଯିଏ ଆମ କଥା ବୁଝୁଥିବେ ।ମୁଖ୍ୟମନ୍ତ୍ରୀ ଆଜି ବାଧ୍ୟହୋଇ ଆସିଲେ, ସେ ଜାଣିଲେଣି ପଦ୍ମପୁର ହାତରୁ ଗଲାଣି’ । 

ଝିଅଟେ ବାହାହେଲା ପରେ ସେ ଶାଶୁଘରର ବୋହୂ କହିଛନ୍ତି ଅପରାଜିତା । ସେ କହିଛନ୍ତି, ‘ଅନ୍ୟର ବୋହୂ ଶାଶୁଘର ପାଇଁ କହିବ ନା ବାପଘର ପାଇଁ କହିବ? ମୁଁ ଏଠିକାର ବୋହୂ, ଏଇଠି ମୋ ଶାଶୁଘର, ମୋ ଶାଶୁଘର ମୋ ଘର । ଝିଅ ଶାଶୁଘରକୁ ଚାଲି ଯାଇଛି, ଆମକୁ ପୁଅକୁ ଜିତାଇବାର ଅଛି’ ।

ସେପଟେ ଉପନିର୍ବାଚନ ପ୍ରଚାର ପାଇଁ ଆଜି ପଦ୍ମପୁର ଆସି ପହଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ । ଯାହାକୁ ନେଇ ବିଜେଡି କ୍ୟାମ୍ପରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ନିର୍ବାଚନ ପ୍ରଚାର ବେଳେ ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଛନ୍ତି ନବୀନ । ସେ ଆହୁରି କହିଛନ୍ତି ଯେ, ‘ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢୁଛି । କେନ୍ଦୁପତ୍ର ତୋଳାଳିଙ୍କ ହକ୍ ପାଇଁ, ଚାଷୀଙ୍କ ଉନ୍ନତି ପାଇଁ କାମ କରୁଛୁ । ମା’ ମାନଙ୍କ ଉନ୍ନତି ପାଇଁ ଓଡ଼ିଶା ସବୁଠାରୁ ଭଲ କାମ କରୁଛି । ମା’ ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ । ଆପଣମାନଙ୍କ ଅନେକ ଦାବି ରହିଛି, ଆପଣମାନଙ୍କ ସ୍ୱପ୍ନ ସାକାର ହେବ’ ।