• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗଡ଼ୁଛି ସମୟ, ବଢୁଛି ଦ୍ୱନ୍ଦ୍ବ । କେବେ ହେବ ମନ୍ତ୍ରିମଣ୍ଡଳ ଅଦଳବଦଳ ? କିଏ ହେବେ ନୂଆ ବାଚସ୍ପତି ? ନା ଏହା ପଛରେ ରହିଛି ବିଜେଡିର ଆଉ କିଛି ଷ୍ଟ୍ରାଟେଜି ? ପୂର୍ବତନ ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କ ସହ ଦୁଇ ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବାର ତିନି ଦିନ ବିତିଲାଣି । ହେଲେ ଏଯାଏ ଚିତ୍ର ସ୍ପଷ୍ଟ ହେଉନଥିବାରୁ ପାୱାର କରିଡରରେ ଚର୍ଚ୍ଚା ଜୋର୍ ।

ସେପଟେ ବଢୁଛି ଆଶାୟୀଙ୍କ ତାଲିକା । କେହି ମୁହଁ ଖୋଲି କିଛି କହୁନଥିବା ବେଳେ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସମସ୍ତଙ୍କ ଅପେକ୍ଷା ବୋଲି କହିଛନ୍ତି । ତେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବେ ହରିୟାଣା ଗସ୍ତରେ ଅଛନ୍ତି । ଆସନ୍ତା ୨୨ରେ ସେ ଭୁବନେଶ୍ୱର ଫେରିବେ । ଚର୍ଚ୍ଚା ହେଉଛି ରାଜ୍ୟପାଳ ଫେରିବା ପରେ ନବୀନ ମନ୍ତ୍ରୀମାନଙ୍କ ପ୍ରଦର୍ଶନକୁ ସମୀକ୍ଷା କରି ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିପାରନ୍ତି ।

ବିକ୍ରମ ଆରୁଖ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ଗଞ୍ଜାମରୁ କିଛି ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି। ସେଭିତରେ ରେସ୍‌ରେ ଆଗରେ ଅଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ସେପଟେ ପୁରୀ ଜିଲ୍ଲାରୁ ସମୀର ଦାଶଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲିର ଯୁବ ବିଧାୟକ ରୁଦ୍ର ମହାରଥୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା । ଏସବୁ ବାଦ ଝାରସୁଗୁଡ଼ାର ନବନିର୍ବାଚିତ ବିଧାୟିକା ତଥା ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ମନ୍ତ୍ରି ମଣ୍ଡଳରେ ସାମିଲ କରି ସରପ୍ରାଇଜ କାର୍ଡ ବି ଖେଳିପାରନ୍ତି ମୁଖ୍ୟମନ୍ତ୍ରୀ ।

ଖାସ କରି ନୂଆ ବାଚସ୍ପତି ଶପଥ ନେବା ପୂର୍ବରୁ, ଉପବାଚସ୍ପତିଙ୍କ ଦ୍ୱାରା ତାଙ୍କୁ ତରବରିଆ ଭାବେ ଶପଥପାଠ କରାଯାଇଥିବାରୁ ଏଇ ଚର୍ଚ୍ଚା ବେଶି ଜୋର ଧରିଛି । ବିକ୍ରମ ଆରୁଖ ଓ ସୁଶାନ୍ତ ସିଂଙ୍କୁ ମଧ୍ୟ ମନ୍ତ୍ରି ମଣ୍ଡଳକୁ ଫେରାଇ ଅଣାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସରକାରୀ ଦଳ ମୁଖ୍ୟ ସଚେତକ ବିଧାୟକ ପ୍ରଶାନ୍ତ ମୁଦୁଲି, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ବି ଅଛନ୍ତି ରେସ୍‌ରେ । ସେହିପରି ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ ଓ ବଦ୍ରି ପାତ୍ରଙ୍କ ଭଳି ବରିଷ୍ଠଙ୍କ ମଧ୍ୟରୁ ଜଣକୁ ବାଚସ୍ପତି ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ଡ୍ରାମା କହିବା ସହ କେବଳ ଥଇଥାନ ଲାଗି ଏଭଳି କରାଯାଉଥିବା ଆରୋପ ଲଗାଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେଡି କହିଛି ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର । ଏହା ଉପରେ ଦ୍ୱିତୀୟ ଚିନ୍ତା ରଖିବା ଅନୁଚିତ ।

ସେପଟେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବାକୁ ଦଳ ଭିତିରି ମନ୍ତ୍ରଣା କରୁଥାଇପାରେ । ଯେଉଁଥିଲାଗି ବିଳମ୍ବ ଘଟୁଛି । ସାଧାରଣ ନିର୍ବାଚନକୁ ବର୍ଷେରୁ କମ୍ ସମୟ। ସରକାର ଚଳାଇବା ସହ ସଂଗଠନକୁ ମଜଭୁତ କରିବାକୁ ନବୀନ କାହାକୁ କେଉଁ ଦାୟିତ୍ୱ ଦେଉଛନ୍ତି ତାଉପରେ ନଜର ।

  • Reported by:
  • JAGDISH DAS