• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆକ୍ରମଣାତ୍ମକ ମୁଡ୍‌ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କଳାହାଣ୍ଡି ଭବାନୀପାଟଣାରେ ଆୟୋଜିତ ‘ମହା ଜନସମ୍ପର୍କ ଅଭିଯାନ’ ମଞ୍ଚ ଉପରେ ଉଦ୍‌ବୋଦନ ଦେବା ବେଳେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ନଡ୍ଡା । ସେ ସିଧା ସଳଖ ପ୍ରଶ୍ନ କରିଛନ୍ତି ଓଡ଼ିଶାରେ କିଏ ଚଳାଉଛି ସରକାର ? ସଚିବ ନା ନେତା ? ଏଠାରେ ଜଣେ ପ୍ରଶାସନିକ ଅଧିକାରୀ ବା ସଚିବଙ୍କ ହାତରେ ଶାସନ ଡୋର ରହିଛି ବୋଲି ମଧ୍ୟ କହିଛନ୍ତି ନଡ୍ଡା ।

ଏଭଳି ଶାସନ ବ୍ୟବସ୍ଥା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ନେତା ମନ୍ତ୍ରୀଙ୍କର ଏଠାରେ କୌଣସି କର୍ତ୍ତୃତ୍ୱ ନାହିଁ ।  ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି । ଓଡ଼ିଶା ସବୁଠାରୁ ପଛୁଆ ରାଜ୍ୟ ଓ ଗରିବ ରାଜ୍ୟ ଭାବେ ଏବେ ବି ପରିଚିତ ହେଉଛି । ଏହାସହ ସେ ଆହୁରି କହିଛନ୍ତି ଓଡ଼ିଶାରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ଏଠି ସବୁ କାମରେ କମିଶନ ନିଆଯାଉଛି । ଲୋକମାନେ ଏହି ସରକାର ପ୍ରତି ଅତିଷ୍ଠ ହୋଇସାରିଲେଣି । ତେଣୁ ପରିଶ୍ରମ କଲେ ଏଥର ଓଡ଼ିଶାରେ ମଧ୍ୟ ହେବ ବିଜେପି ସରକାର ।

ତହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ମଧ୍ୟ ବିଜେଡିକୁ ସିଧା ନିଶାନା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁନି । ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉନାହାନ୍ତି । ଏସବୁ ଦୁର୍ନୀତିର ତଦନ୍ତ ହେବ । ଯିଏ ଦୋଷୀ ପ୍ରମାଣିତ ହେବ ତାକୁ ଜେଲ୍‌ ପଠାଯିବ ବୋଲି କହିଛନ୍ତି ନଡ୍ଡା ।

ଅନ୍ୟପଟେ ନଡ୍ଡାଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟରେ ବିକାଶ ନୁହେଁ ବାଟମାରଣା ଓ ଦୁର୍ନୀତି ଚାଲିଛି । ଭବାନୀପାଟଣାରେ ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଳାହାଣ୍ଡି ଜିଲ୍ଳାର ମୋଟ ୪ ଲକ୍ଷ ପରିବାରକୁ କେନ୍ଦ୍ରରୁ ୧୦ ଲକ୍ଷ ୨୨୮ କୋଟି ଅନୁଦାନ ଆସିଛି । ଆଜି ଓଡିଶା ଭଳି ରାଜ୍ୟ ପ୍ରତି କେନ୍ଦ୍ରର ଦାୟିତ୍ୱ ବଢିଛି । ୨୦୧୪ ପୂର୍ବରୁ ବର୍ଷକୁ ୫ ହଜାର କୋଟି ଖଣି ରାଜସ୍ୱ ମିଳୁଥିଲା । ମୋଦି ଆସିଲା ପରେ ୫୦ ହଜାର କୋଟି ମିଳୁଛି । କିନ୍ତୁ କଳାହାଣ୍ଡିର ବିକାଶ ହୋଇ ପାରୁନାହିଁ । କେବଳ ବାଟମାରଣା ହେଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ମୋଦିଙ୍କ ୯ ବର୍ଷର ସଫଳତା ବିଷୟରେ ଚର୍ଚ୍ଚା ହେଉଛି । ସାରା ବିଶ୍ୱରେ ମୋଦିଙ୍କ ପ୍ରଶଂସା ହେଉଛି । ବିଜେପି ଶାସିତ ରାଜ୍ୟରେ ଦୁଇ ଗୁଣ ବିକାଶ ହୋଇ ପାରୁଛି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବା ପାଇଁ ନଡ୍ଡାଙ୍କ ପରାମର୍ଶରେ କାମ ଚାଲିବ ବୋଲି କହିଛନ୍ତି ବୈଜୟନ୍ତ ।