• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାଷୀଙ୍କ ପାଇଁ ବିଜେପିର ରଣହୁଙ୍କାର । ବିଧାନସଭା ବାହାରରେ କାନ୍ଧରେ ହଳ ଲଙ୍ଗଳ, ରାସ୍ତାରେ ଶଗଡ ଆଉ ଟ୍ରାକ୍ଟରରେ ବସି ବିଧାନସଭା ଆଡ଼େ ମୁହାଁଇଥିଲେ ବିଜେପି ନେତା, କର୍ମୀ ଓ ଚାଷୀ । ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ରାଜଧାନୀରେ ବିଜେପି ଆଜି ଚାଷୀ ସମାବେଶ ଆୟୋଜନ କରିଥିଲା । ଚାଷୀଙ୍କୁ ଠିକ୍‌ରେ ଇନପୁଟ୍ ସବ୍‌ସିଡି ମିଳୁନି, ଚାଷୀ ସାରବିହନ ପାଉନାହାନ୍ତି । ଏମିତିକି କେନ୍ଦ୍ର ସରକାର ଦେଉଥିବା ଅନୁଦାନ ମଧ୍ୟ ରାଜ୍ୟ ସରକାର ସଠିକ ଭାବେ ଚାଷୀଙ୍କ ପାଖରେ ପହଞ୍ଚାଉ ନଥିବା ବିଜେପି ଅଭିଯୋଗ କରିଛି ।

ନବୀନ ସରକାର ଚାଷୀଙ୍କୁ ଉପେକ୍ଷା କରୁଥିବା ବେଳେ ଆଗାମୀ ଦିନରେ ରାଜ୍ୟର ଚାଷୀ ଏହାର ଦୃଢ ଜବାବ ଦେବେ ବୋଲି ଦଳ ଚେତାବନୀ ଦେଇଛି । ଚାଷୀଙ୍କ ସମସ୍ୟା ନେଇ ଦୀର୍ଘ ୧୪ ଦିନ ହେଲା ମହାତ୍ମାଗାନ୍ଧୀ ମାର୍ଗରେ ବିଜେପି ସତ୍ୟାଗ୍ରହ କରୁଥିବା ବେଳେ ଆଜି ଚାଷୀଙ୍କୁ ଧରି ରାଜ୍ୟ କାର୍ଯ୍ୟାଳୟରୁ  ଲୋୟର ପିଏମ୍‌ଜି ଯାଏଁ ଶୋଭାଯାତ୍ରାରେ ଯାଇଥିଲେ ।

ଗୃହ ବାହାରେ ବିଜେପି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଦଳୀୟ ବିଧାୟକ ଗୃହ ଭିତରେ ଜୋରଦାର ଢଙ୍ଗରେ ଚାଷୀ ପ୍ରସଙ୍ଗ ଉଠାଇଥିଲେ । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ବିଧାୟକ ପୋଡିୟମ ତଳକୁ ଆସି ପ୍ଲାକାର୍ଡ ଦେଖାଇ ସ୍ଲୋଗାନ ଦେଇଥିଲେ । ପରେ କକ୍ଷ ତ୍ୟାଗ କରିବା ସହ ବିଧାନସଭା ପରିସରରେ ଗାନ୍ଧିମୂର୍ତ୍ତି ତଳେ ଧାରଣା ବି ଦେଇଥିଲେ । ଗାନ୍ଧିମୂର୍ତ୍ତି ତଳେ ବିଜେପି ବିଧାୟକ ଧାରଣା ଦେଇଥିବା ବେଳେ ଶାସକ ଦଳ ମୁଖ୍ୟ ସଚେତକ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ଚାଷୀ ପ୍ରସଂଗରେ ଆଲୋଚନା ପାଇଁ ଯଥେଷ୍ଟ ଫୋରମ ରହିଥିବା ସେ କହିଥିଲେ । ତେବେ ବିଜେପି ବିଧାୟକ ନିଜ ଆଭିମୁଖ୍ୟରେ ଅଟଳ ରହିଥିଲେ ।

ପଦ୍ମପୁର ଭୋଟକୁ ମଝିରେ ଦୁଇ ଦିନ ଥିବା ବେଳେ ଚାଷୀ ପ୍ରସଂଗକୁ ନେଇ ରାଜନୀତି ଜୋର ଧରିଛି । ତେବେ ଚାଷୀ ବହୁଳ ପଦ୍ମପୁରର ଭୋଟରଙ୍କ ଉପରେ ଏହାର କି ପ୍ରଭାବ ରହିଛି ତାହା ଦେଖିବାକୁ ବାକି ରହିଲା ।