ଜୟନାରାୟଣଙ୍କର ସାଂଘାତିକ ବୟାନ । ଦଳରୁ ତଡ଼ି ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି କରିଛି ଜୟନାରାୟଣଙ୍କୁ ଏକ ଘରକିଆ ? ଜଣେ ବରିଷ୍ଠ ନେତା ହୋଇବି ଦଳ କରିଛି କୋଣଠେସା ! ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଶୋକ ସଭାରେ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜେ ଜୟନାରାୟଣ ସର୍ବସମ୍ମୁଖରେ ସାଂଘାତିକ ବୟାନ ରଖି କହିଛନ୍ତି, ସମୀର ଦେଙ୍କୁ ଦଳ ଉଚିତ୍ ସମ୍ମାନ ଦେଇନି ।
ତା’ ସହ ଜୟନାରାୟଣ କହିଛନ୍ତି ମୁଁ ଗୋଟେ ତଡ଼ାଖିଆ ଲୋକ । ଏବିଭିପିରୁ ତଡା ଖାଇଛି, ବିଜେପିରୁ ମଧ୍ୟ । ଆଉ ଏବେ ବିଜେପିରୁ ସାଇଡ୍ ଲାଇନ ହୋଇ ରହିଛି । ଜୟନାରାୟଣଙ୍କ ଏହି ଦୁଇ ପଦ ବୟାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେପି ରାଜ୍ୟ ସଭାପତି ଖୋଦ୍ ଏହି ପ୍ରସଙ୍ଗରେ ମତ ରଖିଛନ୍ତି । ମନମୋହନ ଏହି ଘଟଣାକୁ ଏଡାଇ ଯାଇଥିବାବେଳେ, ଏହା ଭୁଲ ବୋଲି କହିଛନ୍ତି ।
Also Read
ଅଧିକ ପଢନ୍ତୁ: ଗରିବର ଖାଦ୍ୟ 'ଆଳୁ' ପାଲଟିଛି ରାଜନୈତିକ ଅସ୍ତ୍ର, ଜାଣନ୍ତୁ ଓଡ଼ିଶାକୁ ଆଳୁ ବନ୍ଦ ପଛର ଅସଲ ରାଜନୀତି
ସେପଟେ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ ପୂର୍ବରୁ ମଧ୍ୟ ଜୟ ନାରାୟଣଙ୍କୁ ନେଇ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ଜୟନାରାୟଣଙ୍କୁ ବିଜେପି ଅଣଦେଖା କରିଛି । ଦଳ ତାଙ୍କ ବିଷୟରେ ଚିନ୍ତା କରିନି । ତେଣୁ ସେ ନିଜେ ନିଜ ବିଷୟରେ ଚିନ୍ତା କରନ୍ତୁ । ବିଜେଡି ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ ଜୟ ନାରାୟଣ । ୨୦୦୪ରୁ ୨୦୦୯ ଯାଏଁ ବାଣିଜ୍ୟ ଓ ପରିବହନ ବିଭାଗର ଦାୟିତ୍ୱ ତୁଲାଇଥିଲେ ।
ହେଲେ ପରେ ବିଭିନ୍ନ ଘଟଣାକୁ ନେଇ ସେ ବିବାଦରେ ଛନ୍ଦି ହୋଇଛନ୍ତି । ବିରୋଧୀ ଦଳ ଭୁମିକାରେ ବିଜେପି ଥିବାବେଳେ ଦଳ ତାଙ୍କୁ ବିରୋଧୀ ଦଳ ନେତା ମଧ୍ୟ କରିଛି । କିନ୍ତୁ ଏଥର ରାଜ୍ୟରେ ବିଜେପି ଏକାକୀ ସରକାର ଗଢ଼ିଥିଲେ ବି ଜୟନାରାୟଣଙ୍କୁ କୌଣସି ମନ୍ତ୍ରୀ ପଦ ମିଳିନାହିଁ । କି ସେହିଭଳି ଦଳରେ ତାଙ୍କର ଗୁରୁତ୍ୱ ଥିବା ଦେଖିବାକୁ ମିଳୁନି । ଏହି ସମୟରେ ଜୟନାରାୟଣଙ୍କ ଏପରି ବୟାନ ତାଙ୍କୁ ଆହୁରି ବିବାଦୀୟ ଘେରକୁ ଟାଣି ଆଣିଛି ।
ତେବେ ଜୟନାରାୟଣଙ୍କ ଏ ବିସ୍ଫୋରକ ପରେ ଆଗକୁ ବିଜେପି ତାଙ୍କୁ ନେଇ କି ପଦକ୍ଷେପ ନେଉଛି ତା’ ଦେଖିବାକୁ ବାକି ରହିଲା । ବିଜେପି ଜୟନାରାୟଣଙ୍କୁ କୌଣସି ପଦ ଦେଇ ସନ୍ତୁଷ୍ଟ କରୁଛି ନା ଜୟନାରାୟଣଙ୍କୁ ଆହୁରି ଦଳ କୋଣଠେସା କରୁଛି ତା’ ଦେଖିବାକୁ ବାକି ରହିଲା ।