ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ମୁହଁ ଖୋଲିଲେ ବିଜେପି ବିଧାୟକ ଅଶୋକ ମହାନ୍ତି । ଅଶୋକ କହିଛନ୍ତି, ଜୟନାରାୟଣ ବିଜେପିର ଜଣେ ବରିଷ୍ଠ ନେତା । ସେ କେଉଁ ଦୃଷ୍ଟିରୁ ଏଭଳି ମତ ରଖିଛନ୍ତି, ତାହା ମୁଁ କହିପାରିବି ନାହିଁ ବୋଲି ସେ କହିଛନ୍ତି । ତେବେ ଏହା ବିଜେପିର ମତ ନୁହେଁ, ଜୟନାରାୟଣଙ୍କ ବ୍ୟକ୍ତିଗତ ମତ । ଦଳର କୌଣସି ଫୋରମରେ ଏ ସଂପର୍କରେ ଆଲୋଚନା ହୋଇନାହିଁ । ଆମେ ସମଗ୍ର ଓଡ଼ିଶାକୁ ଏକ କରୁଛୁ । ଉତ୍କଳ ଓ କୋଶଳ ଦୁଇଟିଯାକ ଆମପାଇଁ ସମାନ ଗୁରୁତ୍ୱ ବହନ କରୁଛି । ଉତ୍କଳ ଭିତରେ କୋଶଳ ଅଛି ।
ଶରୀରର ସବୁ ଅଙ୍ଗ ସମାନ ଭାବେ ବିକାଶ ହେବା ଦରକାର । ପ୍ରଧାନମନ୍ତ୍ରୀଙ୍କର ଏଜେଣ୍ଡା ଅଛି, ପୂର୍ବୋଦୟରୁ ଦେଶର ବିକାଶ ହେବ । ଓଡ଼ିଶା ସେଥିରୁ ଅନ୍ୟତମ । ଭାରଛି ବିଜେପି କେବେ ବି ଓଡ଼ିଶାକୁ ଭାଗ ଭାଗ କରିବାକୁ ଚାହେଁ ନାହିଁ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା କରିବା ପାଇଁ ବିଜେପି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ସମଗ୍ର ଓଡ଼ିଶାକୁ ଗୁରୁତ୍ୱ ଦେଉଛି ବିଜେପି । ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିକାଶ ପାଇଁ ମଧ୍ୟ କାମ କରାଯାଉଛି । ଜୟନାରାୟଣ ଜଣେ ଭଲ ନେତା । ସେ ମନ୍ତ୍ରୀ ଥିବା ବେଲେ ଅନେକ କାମ କରିଥିବା କହିଛନ୍ତି ବିଧାୟକ ଅଶୋକ ମହାନ୍ତି । ବିଜେପି ଆଞ୍ଚଳିକ ଭେଦଭାବ କରେନାହିଁ ବୋଲି ସେ କହିଛନ୍ତି ।
'ମୁଖ୍ୟମନ୍ତ୍ରୀ ହେବାକୁ ଆଶା'
ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ପଶ୍ଚିମ ଓଡିଶା ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ଓଡ଼ିଶା ଦୁଇଭାଗ ହେଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ହେବାକୁ ଜୟନାରାୟଣ ଆଶା ରଖିଛନ୍ତି । ପଶ୍ଚିମ ଓ ପୂର୍ବ ଓଡ଼ିଶା ବିବାଦ କିଛି ନୂଆ କଥା ନୁହେଁ। ନେତାମାନେ ଏହାକୁ ଗୁରୁତ୍ୱ ଦେଉଛନ୍ତି। ସାଧାରଣ ଲୋକମାନେ ଗୁରୁତ୍ୱ ଦେଉନାହାନ୍ତି । ନିଜେ ଉପକୂଳ ଲୋକ କହୁଛନ୍ତି ପଶ୍ଚିମ ଓଡିଶାର ଉନ୍ନତି ହୋଇଛି। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ପଶ୍ଚିମ ଓଡିଶାର ଅନେକ ବିକାଶ ହୋଇଛି ହୋଇଛି । ବିଜେପି ନେତା ନିଜର ସ୍ୱାର୍ଥ ପାଇଁ ଭେଦଭାବ କଥା କହୁଛନ୍ତି। ବିଜେପିର କଥା ଗୋଟେ କାମ ଗୋଟେ ବୋଲି କହି ସେ ବିଜେପିକୁ ସମାଲୋଚନା କରିଛନ୍ତି । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ବେଳେ ଠିଆ ନହେବା ଦୁଃଖଦ ଓ ଶାସକ ଦଳ ଏହା ଉପରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ଓଡ଼ିଶା ସହିତ ମିଶିବା ଏକ ଐତିହାସିକ ଭୁଲ ଥିଲା-ଜୟନାରାୟଣ ମିଶ୍ର
'ଉପମୁଖ୍ୟମନ୍ତ୍ରୀ କରିଦିଅ'
ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି, ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । କହିଛନ୍ତି, ଓଡ଼ିଶାକୁ ଭାଗ ଭାଗ କରିବା କ’ଣ ଓଡ଼ିଆ ଅସ୍ମିତା। ଓଡ଼ିଶାକୁ ଭାଗ ଭାଗ କଲା ଭଳି ପ୍ରତିକ୍ରିୟା ଦେଉଛନ୍ତି। ଆଜି କୋଶଳ କଥା କହୁଛନ୍ତି କାଲି ଦକ୍ଷିଣାଞ୍ଚଳ କଥା ଉଠିବ, ତା’ପରେ ଉତ୍ତରାଞ୍ଚଳ କଥା ଉଠିବ । ତା’ହେଲେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ? ଜୟ ଦାଦା ଟିକେ ଅସନ୍ତୁଷ୍ଟ ଅଛନ୍ତି । ତାଙ୍କ ସହିତ ଆଲୋଚନା କରି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦିଅନ୍ତୁ ସିଏ ଆଉ ଏଭଳି ମନ୍ତବ୍ୟ ଦେବେ ନାହିଁ । ତାଙ୍କ ଦଳରେ ପାଣ୍ଡିଆନ କଥା ପ୍ରଥମେ ଉଠେଇବା ଲୋକ ସିଏ ତାଙ୍କୁ ଅଣଦେଖା କରୁଛି ବିଜେପି । ଏହି ମତ ଦେଇଛନ୍ତି ତାରାପ୍ରସାଦ ବାହିନୀପତି ।
ଓଡ଼ିଶାରେ ମିଶିବା ଆମର ଭୁଲ୍ ବୋଲି କହିଥିଲେ ଜୟନରାୟଣ। ସମ୍ବଲପୁରରେ ଆୟୋଜିତ 'ସୁଭଦ୍ରା' ସଭାରେ ଏଭଳି ବୟାନ ଦେଇଥିଲେ ଜୟନାରାୟଣ। ସେ କହିଥିଲେ, ଉତ୍କଳ କହିଲେ କେବଳ କଟକ, ପୁରୀ ଓ ବାଲେଶ୍ୱରକୁ ବୁଝାଏ। ଉତ୍କଳ, କୋଶଳ ଓ କଳିଙ୍ଗ ମିଶି ଓଡ଼ିଶା ହୋଇଛି। ଓଡ଼ିଶାରେ ମିଶିବା ଆମର ଭୁଲ ହୋଇଛି ବୋଲି କହିଥିଲେ ଜୟନାରାୟଣ। ଆମକୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ କରିବା ସହ ଖାଲି ଉତ୍କଳର ଜୟଗାନ ହେଉଛି. କୋଶଳ କି କଳିଙ୍ଗର ଜୟଗାନ ହେଉନାହିଁ ବୋଲି କହିଥିଲେ ।
ଅଧିକ ପଢ଼ନ୍ତୁ:ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ନାଚୁଛନ୍ତି ବିଜେଡି ନେତା: ଜୟନାରାୟଣ