• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତାକାଲି ଭୁବନେଶ୍ୱରରେ ହେବ ହାଇଭୋଲଟେଜ୍ ପଲିଟିକାଲ୍ ଟକ୍କର । ଦଳୀୟ କାର୍ଯ୍ୟକ୍ରମ ବାହାନାରେ ଶକ୍ତି ପ୍ରଦର୍ଶନ କରିବେ ଉଭୟ ବିଜେପି ଓ ବିଜେଡି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଙ୍କ ଓଡ଼ିଶା ଗସ୍ତ ଲାଗି ହୋଇଥିବା ବ୍ୟାପକ ଆୟୋଜନକୁ କାଉଣ୍ଟର କରିବାକୁ ବିଜେଡି ଆୟୋଜନ କରିଛି ପ୍ରତିନିଧି ସମ୍ମିଳନୀ । ଗୋଟିଏ ପଟେ ନଡ୍ଡା ୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ, ଆଉ କ୍ଷମତାକୁ ଦଳ କିଭଳି ଆସିବ ସେ ନେଇ ଗୁରୁମନ୍ତ୍ର ଦେବେ । ଅନ୍ୟପକ୍ଷରେ ବିଜେଡି ୨ ତାରିଖରୁ ହେବାକୁ ଥିବା ପଦଯାତ୍ରାରେ କେଉଁ କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ମାନସମନ୍ଥନ କରିବ ।

ଗୋଟିଏ ପଟେ ଜନତା ମୈଦାନ, ଆରପଟେ ବରମୁଣ୍ଡା ପଡ଼ିଆ । ନଡ୍ଡାଙ୍କ ଗସ୍ତ ପାଇଁ ପ୍ରସ୍ତୁତିର ତଦରାଖ କରୁଛନ୍ତି ରାଜ୍ୟ ପ୍ରଭାରୀ ଓ ପୁରା ଟିମ୍ । ସେପଟେ ବିଜେଡିର ପ୍ରତନିଧି ସମ୍ମଳନୀ ପାଇଁ ତଦରାଖ କରୁଛନ୍ତି ଦଳର ଛାମୁଆ ସଙ୍ଗଠନ । ଆସନ୍ତାକାଲି ରାଜଧାନୀରେ ମୁହାଁମୁହିଁ ହେବେ ବିଜେପି-ବିଜେଡି । ଜେ.ପି. ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ଓଡ଼ିଶା ଆସୁଥିବାରୁ ଦଳର ଏଭଳି ବ୍ୟାପକ ଆୟୋଜନ । ଏୟାରପୋର୍ଟରୁ ପାର୍ଟି ଅଫିସ୍, ଦଳୀୟ କାର୍ଯ୍ୟାଳୟରୁ ଜନତା ମୈଦାନ ସବୁଠି ଛାଇଗଲାଣି ପୋଷ୍ଟର, ବ୍ୟାନର୍ ଓ ନଡ୍ଡାଙ୍କ କଟ୍ଆଉଟ୍ ।

ଆସନ୍ତାକାଲି ନଡ୍ଡା ଏୟାରପୋର୍ଟରେ ପହଞ୍ଚିବା ପରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ଅଣାଯିବ । ଏହାପରେ ଜନତା ମୈଦାନ ସଭାସ୍ଥଳକୁ ଯିବେ ନଡ୍ଡା ସେଠାରେ ଶକ୍ତି କେନ୍ଦ୍ର ବା ପଂଚାୟତରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର । ସଙ୍ଗଠନକୁ ମଜଭୁତ୍ କରିବା, କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ସବୁ ଲୋକଙ୍କ ପାଖରେ ପହଚାଂଇବା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ମାହୋଲ ବନାଇବାକୁ ତିଆରି ହେବ ରଣନୀତି ।

ଏଥିସହିତ ୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ନଡ୍ଡା । ଏହି କାର୍ଯ୍ୟକ୍ରମ ପରେ ଦଳୀୟ କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ଦଳର ପଦାଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚାନ କରିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ତାପରେ ନଡ୍ଡା ପୁରୀ ଗସ୍ତ କରି ସେଠାରେ ରାତ୍ରୀ ରହଣି କାର୍ଯ୍ୟକ୍ରମ ରହିଛି । ୩୦ ତାରିଖ ସକାଳେ ମହାପ୍ରଭୁଙ୍କ ଦର୍ଶନ କରି ଭଦ୍ରକ ଯିବେ । ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବେ ନଡ୍ଡା । ସେଠାରୁ ଫେରି ପୁଣି ଥରେ ଜନତା ମୈଦାନରେ ସଂଯୁକ୍ତ ମୋର୍ଚ୍ଚାମାନଙ୍କୁ ନେଇ ଆୟୋଜିତ ସଭାରେ ସାମିଲ ହେବେ ପରେ ଦଳୀୟ କାର୍ଯ୍ୟାଳୟରେ ଦଳର କୋର୍ ଟିମ୍ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ନଡ୍ଡାଙ୍କ ଦୁଇ ଦିନିଆ ଗସ୍ତ ଓ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ କାଉଣ୍ଟର କରିବାକୁ ବିଜେଡି ମଧ୍ୟ ଠିକ୍ ସେହି ଦୁଇଦିନ ଆୟୋଜନ କରୁଛି ପ୍ରତିନିଧି ସମ୍ମିଳନୀ । ପ୍ରଥମ ଦିନ ଯୁବ, ଛାତ୍ର ଓ ବିଜୁ ମହିଳା ଜନତା ଦଳର ପ୍ରତନିଧି, ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତିମାନେ ଯୋଗ ଦେବେ । ୩୦ ତାରିଖରେ ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କର ବୈଠକ ହେବ । ଅକ୍ଚୋବର ୨ରୁ ଆରମ୍ଭ ହେଉଥିବା ପଦଯାତ୍ରାରେ କଣ କଣ ପ୍ରସଙ୍ଗ ନେଇ ଦଳୀୟ ନେତା ଲୋକମାନଙ୍କ ପାଖକୁ ଯିବେ, ସେ ନେଇ ଆଲୋଚନା ହେବ । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ବାର୍ତ୍ତା ଦେବାର ସୂଚନା ରହିଛି । ସେପଟେ ବିଜେପି ଓ ବିଜେଡିର ଏଭଳି କାର୍ଯ୍ୟକ୍ରମକୁ ସମାଲୋଚନା କରି କଂଗ୍ରେସ୍ କହିଛି, ଦିଲ୍ଲୀରେ କୋଳାକୋଳି ଆଉ ଏଠାରେ କଳି ।