ରାଜଧାନୀରେ ବିଜେଡିର ପାଓ୍ୱାର ସୋ ! ‘ନଡ୍ଡାଙ୍କ ଗସ୍ତବେଳେ ନବୀନଙ୍କ ଅନୁପସ୍ଥିତିରେ ସମ୍ମିଳନୀ’

ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ବର୍ଷିଲେ ଅପରାଜିତା । ୨୦ ବର୍ଷର ଶାସନ ପରେ ବି ଡର ଲାଗୁଛି କି ପଚାରିଲେ ଅପରାଜିତା  ।

BJD Power Show In Bhubaneswar

ବରମୁଣ୍ଡା ପଡ଼ିଆରେ ବିଜେଡିର ପାଓ୍ୱାର ସୋ । ପଦଯାତ୍ରା ପାଇଁ ପ୍ରସ୍ତୁତି । ଭର୍ଚୁଆଲରେ ମୁଖିଆ ଦେଲେ ମନ୍ତ୍ର । ଆଜିଠାରୁ ବିଜେଡି ଆରମ୍ଭ କରିଛି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର । ଯେଉଁଥିରେ ଯୁବ, ଛାତ୍ର, ମହିଳା, ବିଧାୟକ, ସାଂସଦ ଉପସ୍ଥିତି ଥିଲେ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ଆରମ୍ଭ ହେବ । ଏହାକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ପଂଚାୟତରେ ମିଳିଥିବା ଭୋଟ ପ୍ରତିଶତକୁ ବଢ଼ାଇବା ଉପରେ ମନ୍ତ୍ର ଦେଇଛନ୍ତି । ସାଂସଦ ସସ୍ମିତ ପାତ୍ର କିନ୍ତୁ କେନ୍ଦ୍ରକୁ ସିଧାସଳଖ ଟାର୍ଗେଟ କରିଥିଲେ । ଆବାସ, BRG ପାଣ୍ଠି, ଉଷୁନା ଚାଉଳ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ପାଠ ପଢେଇଥିଲେ ସସ୍ମିତ । ପଦଯାତ୍ରା ସମୟରେ ଏସବୁ ପ୍ରସଙ୍ଗ ଲୋକଙ୍କ ପାଖରେ ପହଞ୍ଚାଇବ ଦଳ ।

ଗୋଟିଏ ପଟେ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ, ଏପଟେ ବିଜେଡିର ପ୍ରତିନିଧି ସମ୍ମିଳନୀ । ଅର୍ଥାତ ମୁହାଁମୁହିଁ ଦୁଇ ଦଳ । ତେବେ ଭୁବନେଶ୍ୱର ରେ ଦଳୀୟ କାର୍ଯ୍ୟକ୍ରମ ଏବଂ ଦଳୀୟ ସୁପ୍ରିମୋଙ୍କ ଅନୁପସ୍ଥିତି ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିିଛି ବିଜେପି । ଭୁବନେଶ୍ୱର ସାଂସଦ ଅପରାଜିତା, ୨୦ ବର୍ଷ ଶାସନ କରୁଥିବା ଦଳର ଡର ଅଛି କି ବୋଲି ପଚାରିଛନ୍ତି । ତାସହ କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସିବା ଶୁଣି ତରବରରେ ବିଜେଡି ବରମୁଣ୍ଡାରେ ସଭା କରିଛି । ଆମ ସଭାପତି ୩ ଦିନରେ ୩ ରାଜ୍ୟ ବୁଲିବା ସହ ଭୁବନେଶ୍ୱରକୁ ଆସିଛନ୍ତି । ହେଲେ ବରମୁଣ୍ଡା ଆସିଥିବା ବିଜେଡି କର୍ମୀ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖିପାରିଲେନି ବୋଲି କହିଛନ୍ତି ।

ବିଜେଡି କାର୍ଯ୍ୟକର୍ତ୍ତା ସମ୍ମିଳନୀର ଦ୍ୱିତୀୟ ସେସନ୍‌ରେ ମୋଟିଭେସନାଲ ସ୍ପିକର ଉଜ୍ଜଳ ପଟନି ବିଜେଡି କର୍ମୀଙ୍କୁ ଲିଡରସିପ ଜ୍ଞାନ ଦେଇଛନ୍ତି । ଆସନ୍ତାକାଲି ଦ୍ୱିତୀୟ ତଥା ଶେଷ ଦିନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।