ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ସାଙ୍ଘାତିକ ଅଭିଯୋଗ। ନବଙ୍କ ପରିବାର ଉପରେ ଚାପ ସୃଷ୍ଟି କରୁଛି ବିଜେଡି । ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଏ ଭିତରେ ଫସିଯିବେ। ସେମାନେ ଜେଲକୁ ଯିବେ । ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି । ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଦେବା ଲାଗି ମନା କରିଛି ବିଜେଡି ।
ଯଦି ସରକାର କରିବା କଥା ସେ ନିଜେ କରିବେ । ତୁ ଏଥିରେ ପଶନି । ଦୀପାଳି ଦାସ ବିଜେଡିର ଚାପ କାରଣରୁ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇ ପାରୁନାହାନ୍ତି । ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଦୁଇ ଜଣଙ୍କ ନାଁ ଚର୍ଚ୍ଚାରେ ଥିଲା। ଜଣେ ଆଇଏଏସ୍ ଅଧିକାରୀ ଥିଲେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ ଆଉ ଜଣେ ବିଜେଡିର ବଡ଼ ନେତା ଥିଲେ ଯିଏ ସାରା ରାଜ୍ୟକୁ ଚଳାଉଥିଲେ । ସେ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ଥିଲା । ନବୀନ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ମୁଖ୍ୟମନ୍ତ୍ରୀ ହେବାକୁ ସେମାନଙ୍କ ଭିତରେ ବୁଝାମଣା ଥିଲା ।
Also Read
ଅଧିକ ପଢ଼ନ୍ତୁ: ପାହାଡ଼ ଚଢ଼ିଲେ ମିଳୁଛି ରାସନ ଚାଉଳ, ସରକାରୀ ବାବୁ କରୁଛନ୍ତି କ'ଣ ?
ଶନି ମନ୍ଦିରରୁ ଆସିବା ପରେ କାଳେ ନବ ଦାସ ମୁଖ୍ୟମନ୍ତ୍ରୀ ହୋଇଯିବେ ସେଥିପାଇଁ ସେମାନେ ନବ ଦାସଙ୍କୁ ରାସ୍ତାରୁ ହଟେଇ ଦେଲେ । ଗୋପାଳ ଦାସ ଜରିଆରେ ଯେଉଁମାନେ ମାରିଲେ ସେମାନଙ୍କ ବିଷୟରେ ରାଜ୍ୟବାସୀ ଜାଣିବାର ଅଧିକାର ଅଛି । ଯଦି ସିବିଆଇ ତଦନ୍ତ ହେବ ତାହେଲେ ଏହାର ପର୍ଦ୍ଦାଫାଶ ହେବ । ବିଜେପି ସରକାର ଚାହୁଁଛି ନବ ଦାସଙ୍କ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ସେଥିପାଇଁ କ୍ରାଇମବ୍ରାଞ୍ଚ ଦୀପାଳି ଓ ବିଶାଳଙ୍କୁ ନୋଟିସ ଦେଇଛି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ସିବିଆଇ ତଦନ୍ତ ପାଇଁ ପରିବାର ପକ୍ଷରୁ ଲିଖିତ ଭାବେ ଦିଆଯାଉ । ତାକୁ ରାଜ୍ୟ ସରକାର ଗ୍ରହଣ କରିବେ । ଦୀପାଳି ବି କହିଥିଲେ ପରିବାର ସହ ବିଚାର ବିମର୍ଷ ଚାଲିଛି ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବେ। କିନ୍ତୁ ତାଙ୍କ ଉପରେ ବିଜେଡି ଚାପ ସୃଷ୍ଟି କରୁଥିବାରୁ ସେ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାଇ ପାରୁ ନାହାନ୍ତି ।
ଯଦି ପ୍ରକୃତରେ ନବ ଦାସଙ୍କ ପରିବାର ହତ୍ୟାକାଣ୍ଡର ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାନ୍ତୁ । ଯେବେ ବି ଦୀପାଳି କିଛି ଷ୍ଟେଟମେଣ୍ଟ ଦେଉଛନ୍ତି ବିଜେଡି ନେତା ମାନେ ବସିକି ତାଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି । ସମ୍ପୂର୍ଣ୍ଣ ଭାବେ ଚାପଗ୍ରସ୍ତ ଥିବା କାରଣରୁ ନବଙ୍କ ପରିବାର କୌଣସି ପ୍ରକାର ନିଷ୍ପତ୍ତି ନେଇ ପାରୁନାହାନ୍ତି ।
ନୂଆ ସରକାର ସେଥିପାଇଁ କ୍ରାଇମବ୍ରାଞ୍ଚ ଜରିଆରେ ନବ ପରିବାରଙ୍କୁ ତଦନ୍ତ ନେଇ ଆପତ୍ତି ଅଭିଯୋଗ କି ଅଧିକ ତଥ୍ୟ ଦେବାକୁ କହିଛନ୍ତି । ପୁର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଦିଶାହୀନ କରି ଫାଇଲ କ୍ଲୋଜ କରି ରଖିଛି । ନବଙ୍କ ପରିବାର ଯଦି କିଛି ଆପତ୍ତି ଅଭିଯୋଗ କି ଅଧିକ ତଥ୍ୟ ନ ଦେବେ ନବଙ୍କ ଫାଇଲ କ୍ଲୋଜ ହୋଇ ଯାଇପାରେ । ତେଣୁ ନବଙ୍କ ପରିବାର ତୁରନ୍ତ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାନ୍ତୁ । ତେବେ ପ୍ରଦୀପଙ୍କ ଅଭିଯୋଗ ବାବଦରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।