ୱାକଫ୍ ସଂଶୋଧନ ବିଲ୍ ପ୍ରସଙ୍ଗରେ ବିଜେଡିର ୟୁଟର୍ଣ୍ଣ ! ଜଣେ ସାଂସଦ ଦୃଢ଼ ବିରୋଧ କରିବୁ କହିଲେ, ଆଉ ଜଣେ ବିଲ୍କୁ ସମର୍ଥନ ଦେଲେ । ନାଟକୀୟ ଘଟଣାକ୍ରମେ ଗତକାଲି ରାତିରେ ରାଜ୍ୟସଭାରେ ସଂଶୋଧିତ ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ବିଲ୍କୁ ସମର୍ଥନ କରିଥିବା ନେଇ ନିଜେ ସସ୍ମିତ ସୂଚନା ଦେଇଛନ୍ତି । ଏହାପୂର୍ବରୁ କାଲି ବିଜେଡି ସାଂସଦ ମୁନ୍ନା ଖାନ୍ ୱାକଫ୍ ବିଲ୍କୁ ଶତ ପ୍ରତିଶତ ବିରୋଧ କରାଯିବ ବୋଲି ସ୍ପଷ୍ଟ କରିଥିଲେ ।
ଅଧିକ ପଢ଼ନ୍ତୁ: ରାଜ୍ୟସଭାରେ ବି ପାସ୍ ୱାକଫ୍ ବିଲ୍, ସପକ୍ଷରେ ପଡିଲା ୧୨୮ ଭୋଟ୍
ଗତକାଲି ବିଳମ୍ବିତ ରାତିରେ ରାଜ୍ୟସଭାରେ ସଂଶୋଧିତ ୱାକଫ୍ ବିଲ୍ ପାରିତ ହୋଇଛି । ରାଜ୍ୟସଭାରେ ବିଲ୍ ପାସ ହେବା ପରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ସାଂସଦମାନେ ସେମାନଙ୍କ ବିବେକ ଅନୁସାରେ ଭୋଟ୍ ଦେବାକୁ ଦଳ ନିଷ୍ପତ୍ତି ନେଇଥିଲା । ବିଲ୍ ନେଇ ନିଷ୍ପତ୍ତି ସାଂସଦଙ୍କ ଉପରେ ଛାଡି ଦିଆଯାଇଥିଲା । ମୁଁ ବିଲ୍କୁ ସମର୍ଥନ କରିଛି ବୋଲି କହିଛନ୍ତି ସସ୍ମିତ । ତେବେ ସସ୍ମିତଙ୍କ ଭୋଟ ପରେ ୱାକଫ ସଂଶୋଧନ ବିଲକୁ ନେଇ ବିଜେଡିରେ ଭିନ୍ନ ମତ ଦେଖିବାକୁ ମିଳିଛି । ଦଳର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ହୋଇପାରିନି ।
ଗତକାଲି ସଂସଦରେ ୱାକଫ୍ ବିଲ୍ ଆଲୋଚନାରେ ଭାଗ ନେଇ ସାଂସଦ ମୁନା ଖାଁ କହିଥିଲେ, ''ବିଲ୍କୁ ଆମେ ବିରୋଧ କରିବୁ । ଏନେଇ ଦଳରେ କୌଣସି ଦ୍ବନ୍ଦ୍ବ ନାହିଁ । ଆମେ ସବୁ ଏକଜୁଟ୍ ଅଛୁ ଏଣୁ ହ୍ୱିପ୍ର ଆବଶ୍ୟକତା ନାହିଁ । ଶତ ପ୍ରତିଶତ ବିଲ୍ ବିରୋଧରେ ଭୋଟ୍ ଦେବୁ ।'' ତେବେ ସସ୍ମିତ ସ୍ପଷ୍ଟ କରିଛନ୍ତି ଯେ, ସେ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି । ବିଜେଡିର ଅନ୍ୟ ୬ ସାଂସଦ ବିଲ୍ ସପକ୍ଷରେ ନା ବିପକ୍ଷରେ ଭୋଟ୍ ଦେଲେ ତାହା ଅସ୍ପଷ୍ଟ ରହିଛି ।