BJD Conflict
ବିଜେଡିରେ ଚାଲିଥିବା କନ୍ଦଳ ଏବେ ଥମିବାର ନାଁ ଧରୁନି । ଦଳରେ ନେତାମାନେ ହୋଟେଲରେ ନବସି ପାର୍ଟି ଅଫିସ୍ ଶଙ୍ଖ ଭବନରେ ବସନ୍ତୁ ବୋଲି ଦଳପତି ନବୀନ ପଟ୍ଟନାୟକ କହିବାର ଦିନକ ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।
ସେ କହିଛନ୍ତି, ଦଳର ବୈଠକ ହେଲେ ଆମେ ପାର୍ଟି ଅଫିସରେ ବସିବୁ । ପୂର୍ବରୁ ମଧ୍ୟ ଆମେ ପାର୍ଟି ଅଫିସରେ ମିଟିଂ କରିଛୁ । ଦଳର ବରିଷ୍ଠ ନେତାମାନେ ହୋଟେଲରେ ମେଳି କରିନାହାନ୍ତି । କମିଟି ମିଟିଂ ପାର୍ଟି ଅଫିସରେ ହୋଇଛି । ଆମର ବୟସ ହେଲାଣି, ଆମେ ସାଙ୍ଗସାଥୀ ହୋଇ କେଉଁଠ ବସିବୁ, ଏଥିରେ କଣ ଅଛି । ଆମେ ହୋଟେଲରେ ବସି ପାରିବୁନି, ଆମର କ’ଣ ସ୍ୱାଧୀନତା ନାହିଁ ? ଆମକୁ ମନା କରିବା କ'ଣ ଠିକ୍ ବୋଲି ସେ ପ୍ରଶ୍ନ କରିଛନ୍ତି ।
ତାଙ୍କ ମତରେ, ରାଜ୍ୟସଭାରେ ୱକଫକୁ ନେଇ ଯାହା ହେଲା ତାହା ବିଜେଡି ପ୍ରତି ଅନ୍ତର୍ଘାତୀ କାମ। ନବୀନ ବାବୁ ସବୁବେଳେ କହି ଆସିଛନ୍ତି ବିଜେଡି ଏକ ଦଳ ଧର୍ମନିରପେକ୍ଷ ଦଳ । ସେ ସାଂସଦ ମୁନ୍ନା ଖାନଙ୍କୁ ମଧ୍ୟ ଏ କଥା କହିଛନ୍ତି । ପାର୍ଟି ଅନ୍ୟ ଷ୍ଟାଣ୍ଡ ନେବା ଠିକ୍ ନୁହେଁ । ନବୀନ ବାବୁ ଏ କଥା ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ ।
ଅଧିକ ପଢ଼ନ୍ତୁ : ବିଜେଡି ମୁଖିଆଙ୍କୁ ପ୍ରଭାତ ତ୍ରିପାଠୀଙ୍କ କଡ଼ା କାଉଣ୍ଟର; କହିଲେ, ୱକ୍ଫ ପ୍ରସଙ୍ଗ ଏଡ଼ାଇବାକୁ ମୋ ସସପେଣ୍ଡକୁ ଅସ୍ତ୍ର
ପାଣ୍ଡିଆନଙ୍କ ସଂପର୍କରେ ସେ କହିଛନ୍ତି, ପାଣ୍ଡିଆନଙ୍କର ଦଳ ସହ କୌଣସି ସଂପର୍କ ରହିବା କଥା ନୁହେଁ । ସେ ଯାହା କହିଛନ୍ତି, ତାହା କାର୍ଯ୍ୟକାରୀ କରିବା ଦରକାର । ପାଣ୍ଡିଆନ ନବୀନ ବାବୁଙ୍କର ବ୍ୟକ୍ତିଗତ ସଚିବ ଥିଲେ । ଜଣେ ଅଫିସର ଭାବରେ ସେ କାମ କରିଛନ୍ତି । ଦଳରେ ଯୋଗ ଦେଲା ପରେ ନିର୍ବାଚନ ପରେ ସେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ଆମେ ତୃଣମୂଳ ସ୍ତରରୁ ଆସିଛୁ, ସାଧାରଣ ଭାବେ ଲୋକମାନେ ପାଣ୍ଡିଆନ ଫ୍ୟାକ୍ଟରକୁ ଗ୍ରହଣ କରୁନାହାନ୍ତି । ପାଣ୍ଡିଆନ ଶିକ୍ଷିତ ଲୋକ, ସେ ବୁଝିଯିବା ଦରକାର ଓଡ଼ିଶା ଲୋକ କଣ ଚାହୁଁଛନ୍ତି । ପାଣ୍ଡିଆନ ଏ କଥା ବୁଝୁଥିଲେ, ଏ କଥା ଆଲୋଚନା ହୁଅନ୍ତା ନାହିଁ । ସେ ନିଜେ କହିଦେବା ଦରକାର, ମୁଁ ବିଜେଡିରେ ହସ୍ତକ୍ଷେପ କରୁନାହିଁ । କିନ୍ତୁ ତାହା ସେ କରୁନାହାନ୍ତି ।
ପ୍ରଫୁଲ୍ଲ କହିଛନ୍ତି, ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ । ଆମେ ବ୍ୟକ୍ତିଗତ ଭାବେ କେଉଁଠି ଚାକିରି କରିଛୁ ନା କ'ଣ ? ଆମକୁ କେହି ନାଲିଆଖି ଦେଖାଇନାହାନ୍ତି । ପାର୍ଟି ବିଶ୍ୱାସରେ ଚାଲିଛି । କେହି କାହାକୁ ନାଲିଆଖି ଦେଖାଇପାରିବେନି । ଯେଉଁଦିନ ବିଶ୍ୱାସ ତୁଟିଯିବ, ପାର୍ଟି ଚାଲିଯିବ । ପାଣ୍ଡିଆନ ନିଜ ଆଡୁ କହିଦେଲେ ଦଳର ଆଉ କ୍ଷତି ହୁଅନ୍ତା ନାହିଁ ବୋଲି କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ଆମ ମନ ଯେତେବେଳେ ଯେଉଁଠି ହେବ, ଆମେ ବସିବୁ, କେତେବେଳେ କାହା ଘରେ କେତେବେଳେ ହୋଟେଲରେ ବସିବୁ । ଆମର ସ୍ୱାଧୀନତାକୁ କିଏ କଣ ମନା କରିପାରିବ ବୋଲି କହିଛନ୍ତି ଏହି ବରିଷ୍ଠ ବିଜେଡି ନେତା ।
ଏ ସଂପର୍କରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କିମ୍ୱା ଭି କେ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744357250.jpg)