• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଦ୍ମପୁର ଉପନିର୍ବାଚନରେ କିଏ ହେବେ ବିଜେଡି ପ୍ରାର୍ଥୀ ? କାହା ଉପରେ ଭରସା କରିବ ଦଳ ? ପ୍ରାର୍ଥୀ ଚୟନ ନେଇ ଧାମନଗରରେ ଯେଉଁ ଭୁଲ୍ ହୋଇଥିଲା, ତାହା ପଦ୍ମପୁରରେ ଯେପରି ରିପିଟ୍ ନହୁଏ ସେଥିପାଇଁ ଚାଲିଛି ଅଙ୍କକଷା । ଆଉ ଏପଟେ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଦିବଂଗତ ବିଜୟ ରଂଜନ ସିଂ ବରିହାଙ୍କ ପରିବାରରୁ ସାମ୍ନାକୁ ଆସୁଛି ଦୁଇଟି ଚେହେରା । ଜଣେ ବିଜୟ ରଂଜନଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହା ଓ ଅନ୍ୟ ଜଣେ ହେଲେ ତାଙ୍କ ପୁତୁରା ବୋହୂ ମାଧବୀ ସିଂ ବରିହା । ମାଧବୀ କହିଛନ୍ତି, ସେ ଆଗ୍ରହୀ ଅଛନ୍ତି । ତାଙ୍କ ପରିବାରରୁ ହିଁ ଜଣକୁ ପ୍ରାର୍ଥୀ କରାଯାଉ । ଏଭଳି କହି ବିଜେଡି ଉପରେ ପରୋକ୍ଷରେ ଚାପ ପକାଇଛି ବରିହା ପରିବାର ।

ସେପଟେ ଧାମନଗର ଫଳାଫଳ ପରେ ବିଜେପି କ୍ୟାମ୍ପ ପୂରା ଉତ୍ସାହିତ । ଧାମନଗର ଭଳି ପଦ୍ମପୁର ଉପନିର୍ବାନ ଲାଗି ତୟାର ହୋଇଛି ଷ୍ଟ୍ରାଟେଜି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏଠାରୁ ଦଳୀୟ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ । ଧାମନଗର ବାଇଇଲେକ୍ସନରେ ବିଜେଡିକୁ ମାତ୍ ଦେଇ ଚର୍ଚ୍ଚାରେ ଥିବା ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏଠାକୁ କ୍ୟାଂପେନ୍ ପାଇଁ ଆଣିବାକୁ ଯୋଜନା କରୁଛି ଦଳ ।

ସେପଟେ କଂଗ୍ରେସ୍ ପର୍ଯ୍ୟବେକ୍ଷକ ଟିମ୍ ୪ ଜଣଙ୍କ ନାଁ ହାଇକମାଣ୍ଡକୁ ସୁପାରିଶ କରିଥିଲା । ସେମାନଙ୍କ ମଧ୍ୟରୁ ରେସ୍‌ରେ ଆଗରେ ଅଛନ୍ତି ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ । ଏହାରି ଭିତରେ ଧାମନଗର ଫଳାଫଳକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ତାରା କହିଛନ୍ତି ଧାମନଗରରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିରୋଧ କରି ବିଜେଡିର କିଛି ବରିଷ୍ଠ ନେତା ସ୍ୱାଧୀନ ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ଫଣ୍ଡିଂ କରିଥିଲେ । ଯେଉଁଥିପାଇଁ କଂଗ୍ରେସର ଭୋଟ୍ କମିଗଲା କିନ୍ତୁ ପଦ୍ମପୁରରେ ତାହା ହେବ ନାହିଁ । ସେପଟେ ପଦ୍ମପୁର ଆସନ ଦଳ ବଜାୟ ରଖିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେଡି ।

ଗୋଟିଏ ପଟେ ବିଜେପି ନେତା ପ୍ରଦୀପ ପୁରୋହିତ ଏବେଠାରୁ ଘରକୁ ଘର ବୁଲି ପ୍ରଚାର କରିବା ଆରମ୍ଭ କରିଥିବା ବେଳେ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଚୂଡ଼ାନ୍ତ ହୋଇନଥିବାରୁ ଦୁଇ ଦଳର ପ୍ରଚାର ବି ଆଗଇ ପାରୁନି ।