ବରପୁତ୍ରଙ୍କ ସ୍ମୃତିଚାରଣ ଆଳରେ ପାଓ୍ୱାର ସୋ, ବିଜେପି ଓ ବିଜେଡିର ଶକ୍ତି ପ୍ରଦର୍ଶନ

ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ବିଶାଳ ଶୋଭାଯାତ୍ରା । ୨୪ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାକୁ ଫୋକସ୍ ଚର୍ଚ୍ଚା ।

Odisha Politics

ପଶ୍ଚିମ ଓଡ଼ିଶାରେ  ବିଜେପି-ବିଜେଡି ର ପାଓ୍ୱାର ସୋ । ସ୍ମୃତିଚାରଣ ଆଳରେ ଉଭୟ ଦଳ ଖେଳିଲେ ବରପୁତ୍ର କାର୍ଡ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଆଜି ସମ୍ବଲପୁର ଖିଣ୍ଡାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମାଟିର ବରପୁତ୍ରଙ୍କୁ ମନେ ପକାଇବା ବାହାନାରେ ଆଜି ଗୋଟିଏ ସ୍ଥାନରେ ଉପସ୍ଥିତି ଜାହିର କରିଛନ୍ତି ଉଭୟ ବିଜେପି ଓ ବିଜେଡିର ହେଭିେଓ୍ୱଟ୍ ନେତା । ଯଦିଓ କାର୍ଯ୍ୟକ୍ରମ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଥିଲା, କିନ୍ତୁ ଦୃଶ୍ୟ କୌଣସି ରାଜନୈତିକ ସମାବେଶଠୁ କମ୍ ନଥିଲା ।

ଖିଣ୍ଡାରେ ପ୍ରଥମେ ବିଜେଡି ପକ୍ଷରୁ କରାଯାଇଥିଲା ବିଶାଳ ଶୋଭାଯାତ୍ରା । ଯେଉଁଥିରେ ସାମିଲ ହୋଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ନିରଞ୍ଜନ ବିଶି, ବିଜେଡି ନେତା ନଳିନୀ ପ୍ରଧାନଙ୍କ ସହ ଆହୁରି ଅନେକ ନେତା । ଶୋଭାଯାତ୍ରା ପରେ ବରପୁତ୍ରଙ୍କୁ ମାଲ୍ୟାର୍ପଣ ଏବଂ ତା ପରେ ପରେ ଆରମ୍ଭ ହୋଇଥିଲା ସାଧାରଣ ସଭା ।

ସେପଟେ ସମାନ ଢଙ୍ଗ ଆଉ ସମାନ ସ୍ଥାନରେ ବିଜେପି ବି ଆୟୋଜନ କରିଥିଲା ଶୋଭାଯାତ୍ରା । ହାତରେ ଜାତୀୟ ପତାକା ଧରି ସୁରେନ୍ଦ୍ର ସାଏଙ୍କ ସ୍ମୃତିସ୍ଥଳକୁ ଯାଇଥିଲା ବିଜେପିର ଶୋଭାଯାତ୍ରା । ଏଥିରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ନୀତେଶ ଗଙ୍ଗଦେବ, ବିଧାୟକ ନାଉରୀ ନାୟକ ଓ ପୂର୍ବତନ ବିଧାୟକ ରବି ନାୟକଙ୍କ ଭଳି ପ୍ରମୁଖ ନେତା । ଏହି ଅବସରରେ ସୁରେନ୍ଦ୍ର ସାଏଙ୍କ ଜୀବନୀ ଓ ଆଦର୍ଶକୁ ଜାତୀୟ ଶିକ୍ଷାନୀତିର ନୂଆ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ବରପୁତ୍ରଙ୍କୁ ସମ୍ମାନ ଓ ସ୍ମୃତିଚାରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ନୂଆ ନୁହେଁ । ଆଜାଦି କି ଅମୃତ ମହୋତ୍ସବ ଜରିଆରେ ସଂଗ୍ରାମୀଙ୍କୁ ମନେ ପକାଉଛନ୍ତି କେନ୍ଦ୍ର ସରକାର । ସେହିଭଳି ରାଜ୍ୟ ସରକାର ମଧ୍ୟ ବରପୁତ୍ରଙ୍କ ଗାଁକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି । ଏସବୁ ଭିତରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟିରେ ବିଜେଡି ଓ ବିଜେପିର ଏଭଳି କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସମ୍ବଲପୁରକୁ ଫୋକସରେ ରଖିଥିବା ଉଭୟ ଦଳ ଏଭଳି ସ୍ୱତନ୍ତ୍ର ଷ୍ଟ୍ରାଟେଜି କରିଥାଇପାରନ୍ତି ।

ପଦ୍ମପୁର ଉପନିର୍ବାଚନ ପରେ ପଶ୍ଚିମ ଓଡ଼ିଶାରେ ବିଜେପି ଓ ବିଜେଡିର ଏ ପାଓ୍ୱାର ସୋପ୍ରଥମ ଘଟଣା । ଆଗକୁ ଏଭଳି ଅନେକ ସୋ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।