• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୋଟ୍ ସରିନି.. ରେଜଲ୍ଟ ବି ଆସିନି.. ହେଲେ ତେଜିଲାଣି ପଲିଟିକାଲ୍ ବାଦିପାଲା । ପଞ୍ଚାୟତ ଫଳାଫଳ ଆସିବାକୁ ମଝିରେ ଆହୁରି ଢେର ଘଣ୍ଟା ବାକି ଅଛି, ହେଲେ ତାପୂର୍ବରୁ ବ୍ୟାପକ ନିର୍ବାଚନୀ ଅନିୟମିତତା ଓ ହିଂସାକୁ ନେଇ ତେଜିଲାଣି ସାମ୍ନାସାମ୍ନି ଧାରଣା ପଲିଟିକ୍ସ । ଆଜି ସିଧା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଫିସ୍ ଆଗରେ ବିଜେଡି-ବିଜେପି ଧାରଣା ଦେଇ ପରସ୍ପରକୁ ଦୋଷାରୋପ କରିଛନ୍ତି । କଂଗ୍ରେସ ବି ବଢୁଥିବା ନିର୍ବାଚନୀ ହିଂସା ପାଇଁ ଶାସକ ଦଳକୁ ନିଶାନା କରିଛି । ତେଣେ ନୂଆ ଘଟଣାକ୍ରମରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ରଙ୍କ ବିରୋଧରେ ଖୋଲାଖୋଲି ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆସିଥିବାବେଳେ କନ୍ଧମାଳ ସାଂସଦ ପ୍ରତିନିଧିଙ୍କ ନାଁରେ ଆସିଛି ଅପହରଣ ଅଭିଯୋଗ ।

ଚଳିତ ପଞ୍ଚାୟତ ନିର୍ବାଚନରେ ଚାଲିଥିବା ବେକାବୁ ହିଂସାକୁ ନେଇ ଚାଲିଛି ଦୋଷ ଠେଲାଠେଲି । ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ନିଇତି ଆଗ ପଛ ହୋଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଉଥିଲେ, କିନ୍ତୁ ଆଜି ସିଧା ତାଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି ବିଜେଡି-ବିଜେପି । ସେଇଠି ବସି ପରସ୍ପର ବିରୋଧରେ ଗର୍ଜିଛନ୍ତି । ଶାସକ ବିଜେଡି ଅଭିଯୋଗ କରିଛି, ବିଜେପି ରାଜନୈତିକ ହିଂସା ଆପଣାଉଛି, ଆଠ ଆଠ ଥର ଅଭିଯୋଗ ପରେ ବି କୌଣସି ଆକ୍ସନ ହୋଇନି । ନିର୍ବାଚନ କମିଶନ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

ସେପଟେ ବିଜେପି ବି ସିଧା ବିଜେଡି ଆଡ଼କୁ ଅଙ୍ଗୁଳି ଉଠାଇ ଚଳିତ ନିର୍ବାଚନରେ ହିଂସା, ଅନିୟମିତତା ଓ ପକ୍ଷପାତିତା ପାଇଁ ଦାୟୀ କରିଛି । ସରକାରୀ ଅଧିକାରୀ ଶାସକ ଦଳକୁ ସହଯୋଗ କରୁଥିବା ଦଳ କହିବା ସହ ବୁଥ୍‌ରେ ହିଂସା, ଜବରଦଖଲ ଓ ଆକ୍ରମଣ ବେଳେ ପୋଲିସ କି ପ୍ରଶାସନକୁ ଡାକିଲେ କେହି ଆସୁନଥିବା ଦର୍ଶାଇଛି ।

ତେଣେ କଂଗ୍ରେସ ବି ଭୋଟ୍ ବିଶୃଙ୍ଖଳା ପାଇଁ ସିଧା ଶାସକ ଦଳକୁ ଘେରିଛି । ଜିଲ୍ଲାପାଳ, ଏସ୍‌ପି ଏବଂ ବିଡିଓମାନେ ଶାସକଦଳର ଏଜେଣ୍ଟ ଭଳି କାମ କରୁଥିବା ଆରୋପ ଲଗାଇଛି କଂଗ୍ରେସ ।

ନିର୍ବାଚନୀ ବିଶୃଙ୍ଖଳା ଓ ଆଚରଣବିଧି ଉଲ୍ଲଂଘନ ନେଇ ଶାସକଦଳ ନେତାଙ୍କ ବିରୋଧରେ ମାଳ ମାଳ ପ୍ରମାଣ ଆସୁଥିବା ବେଳେ ଆଜି ତାଜା ଚିତ୍ର ଆସିଛି ସୁନ୍ଦରଗଡ଼ରୁ । ତା ପୁଣି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ । ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ମତଦାନ ପାଇଁ ଗତକାଲିଠୁ ପ୍ରଚାର ସରିଥିବା ବେଳେ ଆଜି ସସ୍ମିତ୍ କିନ୍ତୁ ଦଳୀୟ ସମର୍ଥକଙ୍କ ସହ ଟାଙ୍ଗରପାଲ୍ଲୀ ବ୍ଲକ୍‌ର ରେଣ୍ଡା ଗାଁରେ ଘରକୁ ଘର ବୁଲି ପ୍ରଚାର କରୁଥିବା ଖବର ପ୍ରଚାର ହୋଇଥିଲା । ଏହାଶୁଣି ବିଜେପି ସମର୍ଥକ ଓ ସ୍ଥାନୀୟ ଲୋକେ ପହଞ୍ଚିବାରେ ସସ୍ମିତ୍ ଓ ତାଙ୍କ ସମର୍ଥକଙ୍କୁ ଦୀର୍ଘ ସମୟ ଧରି ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ତେବେ ଏନେଇ ସସ୍ମିତ୍ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନାହିଁ ।

ସେପଟେ ଅନ୍ୟ ଏକ ଘଟଣାକ୍ରମେ କନ୍ଧମାଳ ସାଂସଦଙ୍କ କୋଟଗଡ଼ ବ୍ଳକ୍ ପ୍ରତିନିଧି ମନୋଜ ସାବତଙ୍କ ବିରୋଧରେ ଆସିଛି କିଡ୍‌ନାପ୍ ଅଭିଯୋଗ । ସେହି ବ୍ଲକ୍‌ର ବିଜେଡି ସଭାପତି ଷ୍ଟିଫେନ ପ୍ରଧାନଙ୍କୁ ଦୀର୍ଘ ସମୟ ପରେ ପୋଲିସ୍ ଉଦ୍ଧାର କରିବା ସହ ମାମଲାରେ ୬ଜଣଙ୍କୁ ଅଟକ ରଖିଛି । ଗତକାଲି ସନ୍ଧ୍ୟାରେ ଷ୍ଟିଫେନ ବଜାର ଯିବାବେଳେ କନ୍ଧମାଳ ସାଂସଦ ପ୍ରତିନିଧି ମନୋଜ ସାବତ ଓ ତାଙ୍କ ସମର୍ଥକମାନେ ଏକ ଗାଡ଼ିରେ ଅପହରଣ କରିଥିବା ଏତଲାରେ ଦର୍ଶାଯାଇଛି । ଏହି ଘଟଣାକୁ ନେଇ କୋଟଗଡ ଅଂଚଳରେ ତୀବ୍ର ଅସନ୍ତୋଷ ଲାଗି ରହିଥିବାବେଳେ ମନୋଜ ସାବତଙ୍କୁ ଗିରଫ ଦାବି ଜୋର ଧରିଛି । ତେବେ ଉକ୍ତ ଘଟଣାରେ ତାଙ୍କର ଆଦୌ ସଂପୃକ୍ତି ନଥିବା କହିଛନ୍ତି ମନୋଜ ।