• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀର ସୌନ୍ଦର୍ଯ୍ୟକରଣ ପାଇଁ ୪ ବର୍ଷରେ ୫ କୋଟିରୁ ଅଧିକ ଟଙ୍କାର ଗଛ ଲଗାଇଛନ୍ତି ରାଜ୍ୟ ସରକାର । ଏପରିକି କୋଭିଡ ସମୟରେ ପାଖାପାଖି ୩ କୋଟି ଟଙ୍କାର ଗଛ ଲଗାଯାଇଥିବା ନଗର ଉନ୍ନୟନ ବିଭାଗ ତଥ୍ୟ କହୁଛି । ତେବେ ସରକାରଙ୍କ ଏହି ତଥ୍ୟକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛି ବିରୋଧୀ ବିଜେପି । ଗଛ ଲଗାଇବା ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତିର ଗନ୍ଧ ବାରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

ସେପଟେ ବିଏମସି ମେୟର କହିଛନ୍ତି, ସୌନ୍ଦର୍ଯ୍ୟକରଣ ପାଇଁ ସିଜିନାଲ ଗଛ ଲାଗିଥିଲା, ସମୟ ସରିବା ପରେ ତାହା ମରି ଯାଇଛି ।

୨୦୧୯-୨୦- ଭୁବନେଶ୍ୱରରେ ଲାଗିଛି ୨୦ ହଜାର ଗଛ । କ୍ରୟ ଓ ରୋପଣ ବାବଦ ଖର୍ଚ୍ଚ- ୧ କୋଟି ୮୭ ଲକ୍ଷ ୪୧ ହଜାର ୫୫୨ ଟଙ୍କା ।

୨୦୨୦-୨୧- ଲାଗିଛି ଦାମୀ ବଗନ ଭିଲିଆ ଓ ଇରେସାଇନ୍ ଗଛ । ରୋପଣ ଓ ରକ୍ଷଣାବେକ୍ଷଣ ବାବଦ ଖର୍ଚ୍ଚ- ୨ କୋଟି ୮୮ ଲକ୍ଷ ୩୩ ହଜାର ୯୮୨ ଟଙ୍କା ।

୨୦୨୧-୨୨- ଦାମୀ ବଗନ ଭିଲିଆ ଓ ଇରେସାଇନ୍ ଗଛର ରକ୍ଷଣାବେକ୍ଷଣ ଖର୍ଚ୍ଚ- ୩୩ ଲକ୍ଷ ୧୮ ହଜାର ୭୦୨ ।

୨୦୨୨-୨୩- ଲଗାଯାଇଛି ୭ ହଜାର ବୃକ୍ଷ । ରୋପଣ ବାବଦ ଖର୍ଚ୍ଚ- ୧୦ ଲକ୍ଷ ୫୫ ହଜାର ୨୬୪ ।

ଇଏ ରାଜଧାନୀ ଭୁବନେଶ୍ୱର ରେ ୪ ବର୍ଷ ମଧ୍ୟରେ ବିଏମସି ଲଗାଇଥିବା ଗଛ ଓ ତା ବାବଦରେ ଖର୍ଚ୍ଚ ହୋଇଥିବା ଟଙ୍କାର ହିସାବ । ବିଧାନସଭାରେ ବିଧାୟକ ନବ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ଏହି ବିବରଣୀ ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି କୋଭିଡ ମହାମାରୀ ସମୟରେ ବି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ସହର ସାରା ଦାମୀ ଗଛ ଲଗାଇଛି ଏବଂ ଏଥିପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ।

କେବଳ ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଓ ଏ.ଜି. ଛକରେ ଲାଗିଛି ଅଳ୍ପ କେଇଟା ଦାମୀ ବଗନ ଭିଲିଆ ଓ ଇରେସାଇନ୍ ଗଛ । ରାଜଧାନୀର ଅନ୍ୟ ପ୍ରମୁଖ ସ୍ଥାନରେ କିନ୍ତୁ ଏହି ଗଛର ନାଁ ଗନ୍ଧ ନାହିଁ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରଶ୍ନ କରିଛନ୍ତି, ପ୍ରତ୍ୟକ ବର୍ଷ କୋଟି କୋଟି ଟଙ୍କାର ଗଛ ଲାଗୁଥିବା ବେଳେ ତାହା ଯାଉଛି କୁଆଡେ ? ବାସ୍ତବରେ ଏତେ ଗଛ ଲାଗିଛି ନା ଗଛ ଲଗାଇବା ନାଁରେ ହୋଇଛି ବଡ଼ ଘୋଟାଲା ?

ଏପଟେ ଭୁବନେଶ୍ୱର ମେୟର ଦେଇଛନ୍ତି ଅଜବ ଉତ୍ତର । ମେୟରଙ୍କ କହିବା କଥା, ରାଜଧାନୀ ସୌନ୍ଦର୍ଯ୍ୟକରଣ ପାଇଁ ଅନେକ ସ୍ଥାନରେ ସିଜିନାଲ ଗଛ ଲଗାଯାଉଛି । ସେଗୁଡିକ ପରବର୍ତ୍ତୀ ସମୟରେ ମରି ଯାଉଥିବାରୁ ସେହି ସ୍ଥାନରେ ପୁଣି ନୂଆ ଗଛ ଲଗାହେଉଛି ।

ହକି ଖେଳ ସରିଲା ଫୁଲ ଗଛ ମରିଲା । ବିଶ୍ବକପ୍ ହକି ପାଇଁ ରାଜଧାନୀର ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ଗଛ ଲଗାଯାଇଥିଲା। ହେଲେ ମାସକ ତଳେ ଲାଗିଥିବା ଗଛ ଏବେ ମରିବାକୁ ବସିଲାଣି ।