Advertisment

Regional Political Party Elections: ଆଞ୍ଚଳିକ ଦଳର ସଭାପତି ନିର୍ବାଚନ ଓ ‘ଧର୍ମକୁ ଆଖି ଠାର’

ଆମ ସାମ୍ବିଧାନିକ ବ୍ୟବସ୍ଥାରେ ରହିଥିବା ଏହି ଦୁର୍ବଳ ଖିଅକୁ ଯେ ପର୍ଯ୍ୟନ୍ତ ସଜଡ଼ା ନଯାଇଛି, ଏମକେ ଷ୍ଟାଲିନ୍‌, ମମତା ବାନାର୍ଜୀ, ମାୟାବତୀ, ଚନ୍ଦ୍ରବାବୁ ନାଇଡୁ, ଅଖିଳେଶ ଯାଦବ ଓ ନବୀନ ପଟ୍ଟନାୟକଙ୍କ ଭଳି ବ୍ୟକ୍ତି ଧର୍ମକୁ ଆଖି ଠାର ନ୍ୟାୟରେ ଗଣତନ୍ତ୍ରର ଅଗ୍ରଣୀ ଧ୍ୱଜାଧାରୀ ଭାବେ ନିଜକୁ ଉପସ୍ଥାପିତ କରିବାରେ କିଛି ଅସୁବିଧା ନାହିଁ ।

ଅଦ୍ୟତନ ହୋଇଛି
Regional Party

Regional Party

Advertisment

ଓଡ଼ିଆରେ ଗୋଟିଏ କଥା ଅଛି – ‘ଧର୍ମକୁ ଆଖି ଠାର’ । ଏହା ସେତିକି ବେଳେ ପ୍ରୟୋଗ କରାଯାଏ, ଯେତେବେଳେ ଜଣେ ବ୍ୟକ୍ତି ବା ଗୋଟିଏ ଗୋଷ୍ଠୀ ବହୁ ଜନମାନସଙ୍କର ହୃଦୟକୁ ଛୁଉଁନଥିବା ଏକ ଅପସନ୍ଦ କାର୍ଯ୍ୟ ସମ୍ପାଦିତ କରି ବିଧିବିଧାନ ଆଳରେ ଏହାକୁ ଆଇନଗତ ବା ଆଇନସମ୍ମତ ବୋଲି ମୋହର ମାରିଥାଆନ୍ତି ।
ରାଜନୀତିରେ ବି ଏମିତି ଧର୍ମକୁ ଆଖି ଠାର ମରାଯାଏ! ଆଶ୍ଚର୍ଯ୍ୟ ହେଲେ କି? ଏଥିରେ ଆଶ୍ଚର୍ଯ୍ୟ ବା ଚକିତ ହେବାର କିଛି କାରଣ ନାହିଁ । କାରଣ ଆମ ଦେଶ ଭାରତର ରାଜନୀତିରେ ଏହି ‘ଧର୍ମକୁ ଆଖି ଠାର’ ଅସ୍ତ୍ରର ବ୍ୟାପକ ତଥା ସଫଳତାର ପ୍ରୟୋଗ କରାଯାଇ ଆସୁଅଛି ।
ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ଗଣତାନ୍ତ୍ରିକ ପ୍ରକ୍ରିୟାରେ ସୁବ୍ୟବସ୍ଥିତ ଶାସନ ପାଇଁ ଆମର ପୂର୍ବଜମାନେ ଏକ ନୀତିଖସଡ଼ା ଆମକୁ ଉପହାର ଭାବେ ଦେଇଯାଇଛନ୍ତି । ଯାହାକୁ ଆମେ ‘ସମ୍ବିଧାନ’ କହୁଛେ । ପୃଥିବୀର ଏହି ସର୍ବବୃହତ ସମ୍ବିଧାନ ଅନୁସାରେ ଆମର ରାଜନୈତିକ ବ୍ୟବସ୍ଥା ଓ ଶାସନର ଢାଞ୍ଚା ପ୍ରସ୍ତୁତ କରାଯାଏ । ଗଣତନ୍ତ୍ରର ଚାରିଟି ସ୍ତମ୍ଭ ଯଥା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ସମ୍ପର୍କରେ ଆମ ସମ୍ବିଧାନରେ ବିସ୍ତୃତ ଭାବରେ ବର୍ଣ୍ଣନା କରଯାଇଥିବା ବେଳେ ଚତୁର୍ଥ ସ୍ତମ୍ଭ “ଗଣମାଧ୍ୟମ’ ସମ୍ପର୍କରେ ‘ଅଭିବ୍ୟକ୍ତିର ସ୍ୱାଧିନତା’ ମୌଳିକ ଅଧିକାର ବ୍ୟବସ୍ଥା ଆଲୋଚନା ମାଧ୍ୟମରେ ପରୋକ୍ଷରେ ବାଖ୍ୟା କରାଯାଇଛି ।
ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା କିପରି ଶୃଙ୍ଖଳିତ ଭାବେ ଚାଲିପାରିବେ, ସେ ନେଇ କିଛି ଦ୍ୱନ୍ଦ୍ୱ ନାହିଁ । କିନ୍ତୁ ଯେଉଁଭଳି ଭାବରେ ବ୍ୟବସ୍ଥାପିକା ବ୍ୟବସ୍ଥାରେ କିଛି ବ୍ୟକ୍ତି ବ୍ୟକ୍ତିଗତ ମାଲିକାନାତ୍ୱକୁ ‘ଧର୍ମକୁ ଆଖି ଠାର’ ଅସ୍ତ୍ରକୁ ଅନୁସୃତ କରି ପ୍ରବେଶ କରାଉଛନ୍ତି, ତାହା ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଏକ କ୍ରୁର ଉପହାସ ।
ସ୍ୱାଧୀନୋତ୍ତର ଭାରତବର୍ଷର ଇତିହାସକୁ ଆପଣ ଅବଲୋକନ କଲେ ଗୋଟିଏ କଥା ଦେଖିବେ, ତାହା ହେଲା କିଛି ବ୍ୟକ୍ତିଙ୍କ ପରିବାର ନିରନ୍ତର ଭାବେ ରାଜନୀତିରେ ରହି ବିଧାୟକ, ସାଂସଦ ଓ ମନ୍ତ୍ରୀ ପଦ ପାଇବାରେ ସଫଳ ହୋଇଛନ୍ତି । ସେମାନଙ୍କ ପାଇଁ ରାଜନୀତି ଆଉ ସେବା ହୋଇ ରହିନାହିଁ – ଏକ ଲାଭଜନକ ଶିଳ୍ପରେ ପରିଣତ ହୋଇଛି । ଏହା କେବଳ ସମ୍ଭବ ହୋଇଛି ଆମ ସମ୍ବିଧାନ ଓ ସମ୍ବିଧାନକୁ ଆଧାର କରି ପ୍ରସ୍ତୁତ ହୋଇଥିବା କିଛି ଆଇନ୍‌କୁ ନେଇ ।
ସମ୍ବିଧାନକୁ ଆଧାର କରି ପ୍ରସ୍ତୁତ ହୋଇଛି ଭାରତୀୟ ଜନପ୍ରତିନିଧି ଆଇନ-୧୯୫୧ । ଏହି ଆଇନର ଅନୁଚ୍ଛେଦ ୨୯-ଏ ଅନୁସାରେ ଗୋଟିଏ ରାଜନୈତିକ ଦଳ କିପରି ଗଠନ ହେବ ଏବଂ ଏହା କିଭଳି କାର୍ଯ୍ୟ କରିବ ସେ ନେଇ ବ୍ୟବସ୍ଥା ରହିଛି । କିଛି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ନୀତି ବା ଆଦର୍ଶରେ ବିଶ୍ୱାସ କରୁଥିଲେ, ସେମାନେ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରି ଏକ ରାଜନୈତିକ ଦଳ ତିଆରି କରିପାରିବେ । ସ୍ୱାଧିନତା ପରେ କଂଗ୍ରେସ ସମେତ କମ୍ୟୁନିଷ୍ଠ ପାର୍ଟି, ଜନତା ପାର୍ଟି, ଓ ଭାରତୀୟ ଜନତା ପାର୍ଟି ଭଳି ଅନେକ ଜାତୀୟ ରାଜନୈତିକ ଦଳ ତିଆରି ହେଲେ ।

Advertisment

ନିୟମ ଅନୁସାରେ ସେମାନେ ସେମାନଙ୍କର ନିଜସ୍ୱ ସମ୍ବିଧାନ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରୁଛନ୍ତି । ଏହି ଦଳୀୟ ସମ୍ବିଧାନ ଅନୁସାରେ ସେମାନଙ୍କର ନିର୍ବାଚନ ଅନୁଷ୍ଠିତ ହେଉଛି ଏବଂ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବ୍ୟକ୍ତି ଦଳର ସଭାପତି ନିଜ ନିଜର ପାରଦର୍ଶିତା ଅନୁସାରେ ନିର୍ବାଚିତ ହେଉଛନ୍ତି । କେତେବେଳେ ସାଧାରଣ ରାସ୍ତାକଡ଼ର ମଣିଷଟିଏ ଗୋଟିଏ ଜାତୀୟ ଦଳର ସଭାପତି ଭାବେ ନିର୍ବାଚିତ ହେଉଛି ତ କେତେବେଳେ ଚାଷୀଟିଏ ଏହି ପଦବୀ ନିଜର ଦକ୍ଷତା ଓ ପାରଦର୍ଶିତା ବଳରେ ଅଳଙ୍କୃତ କରୁଛି । ଏହା ଅର୍ଥ ଏଇଆ ନୁହେଁ ଯେ ସବୁବେଳେ ପାରଦର୍ଶୀ ବ୍ୟକ୍ତି ନିର୍ବାଚିତ ହେଉଛନ୍ତି । ଅଧିକାଂଶ ସମୟରେ ଆର୍ଥିକ ଭାବେ ସ୍ୱଚ୍ଛଳ ଥିବା ବା ରାଜନୈତିକ ବଂଶ ବିରାଦରୀ ବା ଲିଗାସୀ ବହନ କରୁଥିବା ବ୍ୟକ୍ତି ଏହି ସଭାପତି ବା ଅଧ୍ୟକ୍ଷ ପଦ ବର୍ଷ ବର୍ଷ ଧରି ନିଜ ପାଖରେ ବଜାୟ ରଖୁଛନ୍ତି ।

ଅଧିକ ପଢ଼ନ୍ତୁ: ବିପର୍ଯ୍ୟୟ ପରେ ଭୁଶୁଡୁଛି ବିଜେଡି ଗଡ଼ ! ସାଙ୍ଗଠନିକ ନିର୍ବାଚନ ପରେ ନୂଆ ଟିମ୍ ଗଢିବେ ନବୀନ

Advertisment

କଂଗ୍ରେସର ସୋନିଆ ଗାନ୍ଧି ହୁଅନ୍ତୁ ବା ଜନତା ଦଳ (ଏସ୍‌)ର ଏଚ୍‌ଡି ଦେବେଗୌଡା, ଜନତା ଦଳ (ୟୁନାଇଟେଡ୍‌)ର ନୀତିଶ କୁମାରଙ୍କ କଥା କୁହନ୍ତୁ, ଏଠି ପଦବୀ ଗୋଟିଏ ପରିବାର ଆଖପାଖରେ ଘୂରି ବୁଲୁଥାଏ । ନାମକୁ ମାତ୍ର ଦଳରେ ନିର୍ବାଚନ ହୁଏ । କିନ୍ତୁ ଏମାନଙ୍କର ସ୍ତାବକମାନେ ଏଭଳି ଭାବେ ଅଭିନୟ କରିଥାନ୍ତି, ଯେ ଦଳର ସଭାପତି ପଦ ଜଣେ ବ୍ୟକ୍ତି ପାଖରେ ବନ୍ଧା ପଡିଯାଏ । ଆଞ୍ଚଳିକ ଦଳଗୁଡିକରେ ଦଳର ସଭାପତି ଏକ ପ୍ରକାର ସଭାପତି ପଦ ଗୋଡରେ ବେଡି ପଡ଼ିଯାଏ । ସେ ତେଲୁଗୁ ଦେଶମର ଚନ୍ଦ୍ରବାବୁ ନାଇଡ଼ୁଙ୍କ ପରିବାର ହୁଅନ୍ତୁ, ଡିଏମ୍‌କେର ଏମ୍‌କେ ଷ୍ଟାଲିନଙ୍କ ପରିବାର, ମାୟାବତୀଙ୍କ ବହୁଜନ ସମାଜ ପାର୍ଟି, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବା ମୁଲାୟମ ସିଂହଙ୍କ ସମାଜବାଦୀ ପାର୍ଟି, ସବୁଠାରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ପରିବାରର ଚାରିକାନ୍ଥ ମଧ୍ୟରେ ସଭାପତି ପଦ ନଜରବନ୍ଦୀ ।
ଆମ ଓଡ଼ିଶାରେ ଏହି ଭଳି ବିକଳ ତଥା ବିଡ଼ମ୍ବନାର ଉଦାହରଣର ଅନୁପସ୍ଥିତି ଦେଖିବାକୁ ମଧ୍ୟ ମିଳେ ନାହିଁ । ଏହି ଭଳି ଦୃଷ୍ଟାନ୍ତ ବିଜୁ ଜନତା ଦଳ ଆଜିକୁ ୨୮ ବର୍ଷ ଧରି ଓଡ଼ିଆ ଜାତି ସମ୍ମୁଖରେ ପ୍ରକାଶ କରିଛି । ଦଳ ତିଆରି ହେବା ଠାରୁ ବିଜୁ ପଟ୍ଟନାୟକଙ୍କ ସନ୍ତାନ ତଥା ଏହି ରାଜ୍ୟକୁ ୨୪ ବର୍ଷ ଧରି ଶାସନ କରିଥିବା ନବୀନ ପଟ୍ଟନାୟକ ୧୯୯୭ ମସିହାରୁ ଦଳର ସଭାପତି ଭାବେ ନିରନ୍ତର ଭାବେ କାର୍ଯ୍ୟ କରିଆସୁଛନ୍ତି । ଏବେ ପୁଣି ଥରେ ସେ ଏହି ଦଳର ସଭାପତି ଭାବେ ନବମ ଥର ପାଇଁ ନିର୍ବାଚିତ ହେବାକୁ ଯାଉଛନ୍ତି । ଆଗକୁ ଆହୁରି ଅନେକ ଥର ସେ ଏହି ପଦବୀ ପାଇଁ ନାମାଙ୍କନ ପୂରଣ କରି ପୁନଃନିର୍ବାଚିତ ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ।
ଜନ ପ୍ରତିନିଧି ଆଇନ ୧୯୫୧ରେ ଜଣେ ବ୍ୟକ୍ତି ଏକ ରାଜନୈତିକ ଦଳର ସଭାପତି ଭାବେ କେତେ ଦିନ ରହିବେ, ସେ ନେଇ କିଛି ନିର୍ଦ୍ଦିଷ୍ଟ ବାଖ୍ୟା ନାହିଁ । ଯେତେ ଥର ଚାହିଁବେ, ସେ ସେତେ ଥର ନିର୍ବାଚନ ଲଢି ଏହି ପଦବୀରେ ରହିପାରିବେ । ଏଭଳି ଦୁର୍ବଳ ବ୍ୟବସ୍ଥାର ଫାଇଦା ସିଧାସଳଖ କିଛି ବ୍ୟକ୍ତି ବା ପରିବାର ନେଉଛନ୍ତି । ଏହା ଦ୍ୱାରା ସ୍ତାବକମାନଙ୍କ ପାଇଁ ଜଣେ ବ୍ୟକ୍ତିଙ୍କୁ ରାଜଗାଦିରେ ବସାଇ ଦେଶ ଓ ରାଜ୍ୟର ସମ୍ପତ୍ତି ଆହରଣ ପାଇଁ ପଥ ପରିଷ୍କାର ହୋଇଯାଉଛି । କେବଳ ସେତିକି ନୁହେଁ, ଶାସନ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖି ସ୍ୱେଚ୍ଛାଚାରୀ ବ୍ୟବହାର ଦେଖାଇବା ପାଇଁ ସେମାନଙ୍କୁ କିଛି ଅସୁବିଧା ହେଉନାହିଁ ।
ଆମ ସାମ୍ବିଧାନିକ ବ୍ୟବସ୍ଥାରେ ରହିଥିବା ଏହି ଦୁର୍ବଳ ଖିଅକୁ ଯେ ପର୍ଯ୍ୟନ୍ତ ସଜଡ଼ା ନଯାଇଛି,  ଏମକେ ଷ୍ଟାଲିନ୍‌,ମମତା ବାନାର୍ଜୀ, ମାୟାବତୀ, ଚନ୍ଦ୍ରବାବୁ ନାଇଡୁ, ଅଖିଳେଶ ଯାଦବ ଓ ନବୀନ ପଟ୍ଟନାୟକଙ୍କ ଭଳି ବ୍ୟକ୍ତି ଧର୍ମକୁ ଆଖି ଠାର ନ୍ୟାୟରେ ଗଣତନ୍ତ୍ରର ଅଗ୍ରଣୀ ଧ୍ୱଜାଧାରୀ ଭାବେ ନିଜକୁ ଉପସ୍ଥାପିତ କରିବାରେ କିଛି ଅସୁବିଧା ନାହିଁ । ଦେଶର ମାଟି, ପାଣି ଓ ପବନକୁ ଚଳୁ କରି ଆହରଣ କରିବାର କ୍ଷମତା ଲିପ୍‌ସୁ ତଥା ପରିବାରବାଦର ସ୍ତାବକମାନେ ଏହି ଧର୍ମକୁ ଆଖି ଠାର ବ୍ୟବସ୍ଥାର ବ୍ୟାପକ ଲାଭଦାୟୀ ଉପଯୋଗିତା ନେଇ ବେଶ୍ ସଚେତନ । ସେମାନେ ଆଗକୁ ମଧ୍ୟ ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ପ୍ରୟାସ ଜାରି ରଖିପାରନ୍ତି । ଏଣୁ ଜନତା ଏ ଦିଗରେ ଟିକିଏ ଯତ୍ନବାନ ହେଲେ ଦଶନ୍ଧି ଦଶନ୍ଧି ଧରି ଜଣେ ବ୍ୟକ୍ତି ସଭାପତି ପଦକୁ ପରିବାରବାଦର ଶୃଙ୍ଖଳରେ ବାନ୍ଧି ପାରିବେ ନାହିଁ ।

ବି.ଦ୍ର. – ଏହା ଲେଖକଙ୍କ ନିଜସ୍ୱ ମତ ।

ଅଧିକ ପଢ଼ନ୍ତୁ: ମୋର ଆଶା...ନବୀନଙ୍କୁ ଲେଖିଥିବା ଚିଠି ଅନୁସାରେ ଦଳ ଚାଲିବ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

Advertisment
Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ