• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀରେ ଅଙ୍ଗନବାଡ଼ି କର୍ମୀଙ୍କ ଗର୍ଜନ । ଶହେ କି ଦୁଇ ଶହ ନୁହେଁ, ସାରା ରାଜ୍ୟର, ପ୍ରତି ଜିଲ୍ଲାର ହଜାର ହଜାର କର୍ମୀଙ୍କ ଗର୍ଜନରେ କମ୍ପିଲା ରାଜଧାନୀ । ଦାବି ପୂରଣ ପାଇଁ ଲୋୟର ପିଏମ୍‌ଜିରେ ଆନ୍ଦୋଳନ, ଧାରଣା । ଶୀତ କାକରରେ ୪୪ ଦିନ ଧରି ପଡି ରହିବା ପରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ନିଷ୍ପତି ନେଇଥିଲେ ଅଙ୍ଗନବାଡି କର୍ମୀ । ବିଶାଳ ରାଲି ବାହାରିଥିଲା ନବୀନ ନିବାସ ଅଭିମୁଖେ । ହେଲେ ରାଜମହଲ ଛକରେ କର୍ମୀଙ୍କୁ ଅଟକାଇଥିଲା ପୋଲିସ ।

ମାସିକ ଦରମା ସାଢେ ୭ ହଜାରରୁ ୧୮ ହଜାରକୁ ବୃଦ୍ଧି, ସରକାରୀ ଚାକିରି ମାନ୍ୟତା, ମିନି ଅଙ୍ଗନବାଡିକୁ ମୁଖ୍ୟ ଅଙ୍ଗନବାଡିରେ ସାମିଲ କରିବା, ସହାୟିକାଙ୍କ ଦରମା ୯ ହଜାରକୁ ବୃଦ୍ଧି, ଇପିଏଫ୍ ଓ ଇଏସଆଇ ଲାଗୁ କରିବା, ମୃତ୍ୟୁକାଳୀନ ସହାୟତା ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ, ୬ ଜଣ ନିଲମ୍ବିତ ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ଏବଂ ଗାଁ କଲ୍ୟାଣ ସମିତିରୁ ବାଦ୍ ଦେବା ଭଳି ୮ଦଫା ଦାବି ନେଇ ଦେଢ ମାସ ହେଲା ଆନ୍ଦୋଳନ କରୁଛନ୍ତି ଅଙ୍ଗନବାଡି କର୍ମୀ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରତି ଜିଲ୍ଲାରେ ଚାଲିଛିି ଧାରଣା । ତଥାପି ସରକାରଙ୍କଠାରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିଲା । ଫଳରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲେ ହଜାର ହଜାର ଅଙ୍ଗନବାଡି ଦିଦି ।

ହଜାର ହଜାର ଅଙ୍ଗନବାଡି କର୍ମୀଙ୍କ ବ୍ୟାପକ ଆନ୍ଦୋଳନ, ବିଶାଳ ରାଲି ଓ ଅସନ୍ତୋଷକୁ ଦେଖି ଆଲୋଚନା ପାଇଁ ଆଗେଇ ଆସିଥିଲେ ସରକାର । ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନର ୮ ଦଫା ଦାବି ନେଇ ୬ ଜଣିଆ ପ୍ରତିନିଧି ଦଳ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିଲେ । ଏହାପରେ ଫେବ୍ରୁଆରି ଦ୍ୱିତୀୟ ସପ୍ତାହ ଯାଏଁ ଆନ୍ଦୋଳନ ସ୍ଥଗିତ ରଖିବାକୁ ସଂଘ ନିଷ୍ପତି ନେଇଛି ।