''ମହିଳାଙ୍କୁ ଗୋଟିଏ ମର୍ଡର କରିବାକୁ ଅନୁମତି ମିଳୁ । ଏଥିପାଇଁ କୌଣସି ଦଣ୍ଡ ବିଧାନ ନ ରହୁ ।'' ଅନ୍ତର୍ଜାତୀୟ ମହିଳା ଦିବସରେ ଏମିତି କିଛି ଦାବି କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି ଏନସିପି (ଶରଦ ପାୱର ଗୋଷ୍ଠୀ) ମହିଳା ୱିଙ୍ଗ ନେତ୍ରୀ ରୋହିଣୀ ଖଡସେ । ସାରା ଦେଶରେ ମହିଳାଙ୍କ ପ୍ରତି ବଢୁଥିବା ହିଂସା, ଦୁଷ୍କର୍ମ ଘଟଣାରେ କ୍ଷୋଭ ପ୍ରକାଶ କରି ଏହି ଦାବି କରିଛନ୍ତି ରୋହିଣୀ ।
ଅଧିକ ପଢ଼ନ୍ତୁ: ଓଡ଼ିଆ ଯୁବକଙ୍କୁ ମାରିଦେଲେ, ସାଙ୍ଗରେ ଥିବା ବିଦେଶିନୀଙ୍କୁ ଗଣଦୁଷ୍କର୍ମ କଲେ
ଏନସିପି (ଶରଦ ଗୋଷ୍ଠୀ) ନେତ୍ରୀ କହିଛନ୍ତି, ସମାଜରୁ ଦମନକାରୀ ମାନସିକତା, ବଳତ୍କାର ପ୍ରବୃତ୍ତି ଓ ଦୁର୍ବଳ ଆଇନ ଶୃଙ୍ଖଳା ବ୍ୟବସ୍ଥା ଶେଷ କରିବାକୁ ଆମକୁ ଅଧିକାର ଦିଆଯିବା ଉଚିତ୍ । ନିକଟରେ ମୁମ୍ବାଇରେ ୧୨ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଉଠାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଦେଶର ଆର୍ଥିକ ରାଜଧାନୀରେ ଯଦି ଏମିତି ସ୍ଥିତି ତାହେଲେ ସାରା ଦେଶର ସ୍ଥିତି କ'ଣ ହେବ ?
''ବିଶ୍ୱ ଜନସଂଖ୍ୟା ସମୀକ୍ଷା ସର୍ଭେ ଅନୁସାରେ, ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଭାରତ ଏସିଆର ସବୁଠୁ ଅସୁରକ୍ଷିତ ଦେଶ । ଏହି ରିପୋର୍ଟରେ ମହିଳାଙ୍କ ଅପହରଣ, ଦୁଷ୍କର୍ମ, ଘରୋଇ ହିଂସା ଏବଂ ଅନ୍ୟାନ୍ୟ ସଂଗୀନ ଅପରାଧିକ ତଥ୍ୟ ଦିଆଯାଇଛି । ତେଣୁ ମୁଁ ସବୁ ମହିଳାଙ୍କ ପକ୍ଷରୁ ଦାବି କରୁଛି ଯେ, ଆମକୁ ଗୋଟିଏ ହତ୍ୟା ପାଇଁ ଅନୁମତି ଦିଆଯାଉ । ଆଶା କରୁଛୁ, ରାଷ୍ଟ୍ରପତି ଆମର ଦାବିକୁ ଗୁରୁତ୍ୱର ସହ ବିଚାର କରି ସ୍ୱୀକାର କରିବେ ।''
କେତେକ ଐତିହାସିକ ଚରିତ୍ରଙ୍କ ଅବତାରଣା କରି ସେ ଆଗକୁ କହିଛନ୍ତି, ଆମ ଦେଶ ଦିନକୁ ଦିନ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି । ପ୍ରତିଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଛି । ଯଦି ମହାରାଣୀ ତାରାବାଈ ଓ ଅହଲ୍ୟା ଦେବୀ ହୋଲକର ନିଜ ମାତୃଭୂମିର ସୁରକ୍ଷା ପାଇଁ ହତିୟାର ଉଠାଇଥିଲେ, ତାହେଲେ ସମାଜରେ ସୁଧାର ପାଇଁ ଆଣେ କାହିଁକି ପଛରେ ପଡିବୁ ?
ଏନସିପି (ଶରଦ ଗୋଷ୍ଠୀ) ନେତ୍ରୀ ରୋହିଣୀ ଖଡସେଙ୍କ ଏହି ଦାବି ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କର ଏହି ଚିଠିରେ ପ୍ରତିକ୍ରିୟା ଦେଇ ଶିବସେନା ମନ୍ତ୍ରୀ ଗୁଲାବରାଓ କହିଛନ୍ତି, ପ୍ରଥମେ ଏନସିପି (ଶରଦ ଗୋଷ୍ଠୀ) ନେତ୍ରୀ ଜଣାନ୍ତୁ ସେ କାହାକୁ ହତ୍ୟା କରିବାକୁ ଚାହାଁନ୍ତି ।
ଅଧିକ ପଢ଼ନ୍ତୁ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବାରୁ ଏମ୍ସରେ ଭର୍ତ୍ତି