/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675444137.jpg)
bjd mla issue
ପୁଣି ଚର୍ଚ୍ଚାରେ ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟଶଙ୍କର ଦାସ। ନିଜର ପ୍ରେମ ସଂପର୍କକୁ ନେଇ ପ୍ରାୟ ୯ ମାସ ହେବ ବିଜୟଙ୍କୁ ନେଇ ଜୋରସୋରରେ ଚାଲିଥିଲା ଚର୍ଚ୍ଚା। କାରଣ ବିଜୟଙ୍କ ପ୍ରେମିକା ବିଜୟଙ୍କ ନାଁରେ ରୁଜୁ କରିଥିଲେ ମାମଲା। ଯାହାକୁ ନେଇ ଉଷ୍ମ ହୋଇ ଉଠିଥିଲା ରାଜ୍ୟ ରାଜନୀତି। ହେଲେ ଶାସକ ଦଳର ବିଧାୟକ ହୋଇଥିବାରୁ ପ୍ରେମିକାଙ୍କ ମାମଲାକୁ ସେତେଟା ଗୁରୁତ୍ୱ ଦେଇନଥିଲା ପୋଲିସ। ବୋଧହୁଏ ସେଇଥି ପାଇଁ ଥାନାରୁ ଦୌଡି ଦୌଡି ନୟାନ୍ତ ହେବା ପରେ ବି ବିଜୟଙ୍କ ନାଁରେ ରୁଜୁ ହୋଇ ନଥିଲା ମାମଲା। ହେଲେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏବେ ସଂପୃକ୍ତ ପ୍ରେମିକାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ୍।
ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଗୁରୁବାର ସନ୍ଧ୍ୟାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ତାଙ୍କ ଓକିଲଙ୍କ ସହିତ ଜଗତସିଂହପୁର ସଦର ଥାନାରେ ପହଞ୍ଚି ପୁଣିଥରେ ଏତଲା ଦେଇଛନ୍ତି । ସଦର ଥାନା ଆଇଆଇସି ଏତଲା ଗ୍ରହଣ କରି ମାମଲା ରୁଜୁ କରିଥିବା କହିଛନ୍ତି ଖୋଦ୍ ସୋମାଲିକା । ତିର୍ତ୍ତୋଲ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା। ଏହାକୁ ନେଇ ସୋମାଲିକା ସୋଶିଆଲ ମିଡିଆରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ବି ପୋଷ୍ଟ କରିଥିଲେ। ପରେ ବିଜୟଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ।
ଏପରିକି ଦୀର୍ଘଦିନର ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ପରେ ବିଜୟ ଶଙ୍କର ତାଙ୍କୁ ଧୋକ୍କା ଦେଇଥିବା ନେଇ ଗତବର୍ଷ ମେ’ ୧୩ରେ ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିଲେ ସୋମାଲିକା । ହେଲେ ମାମଲା ଗ୍ରହଣ କରିନଥିଲା ପୋଲିସ୍।
ଘଟଣା ସାମ୍ନାକୁ ଆସିବା ପରେ ସେହି ମାସ ୧୭ ତାରିଖରେ ଉଭୟ ବିବାହ ପାଇଁ ଜଗତସିଂହପୁର ସବ୍ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । ତେବେ ଆବେଦନ ଅନୁଯାୟୀ, ସମୟସୀମା ଗଡ଼ି ଯାଇଥିଲେ ବି ବିବାହ ହୋଇପାରିନଥିଲା ।
ଆବେଦନର ମାସେ ପରେ ସୋମାଲିକା ସବ୍ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ପହଞ୍ଚିଥିଲେ ବି ବିଧାୟକ ବିଜୟଶଙ୍କର ଆସିନଥିଲେ । ବିଜୟ ତାଙ୍କୁ ଧୋକ୍କା ଦେଇଥିବାରୁ ମେ ୧୩ ତାରିଖରେ ଦେଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୋମାଲିକା ସଦର ଥାନା ଆଇଆଇସି ଏବଂ ଜଗତସିଂହପୁର ଏସପିଙ୍କୁ ଅନୁରୋଧ କରିଥିଲେ । ତେବେ ଦୀର୍ଘ ଦିନ ବିତିଥିଲେ ମଧ୍ୟ ଏତଲା ପଞ୍ଜିକୃତ ନହେବାରୁ ବାଧ୍ୟ ହୋଇ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏବେ କେସ୍ ରେଜିଷ୍ଟର ପାଇଁ ହାଇକୋର୍ଟ ଅର୍ଡର ଦେବା ପରେ ବେଶ୍ ଖୁସି ଅଛନ୍ତି ସୋମାଲିକା ।
ସେପଟେ ଏ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଏସଡିପିଓ। କହିଛନ୍ତି, ସୋମାଲିକାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଚାଲିଛି। ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ସମୟ କହିବ କେବେ ହେଉଛି କାର୍ଯ୍ୟାନୁଷ୍ଠାନ?
(ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡାଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)