Advertisment

World Breast Feeding Week 2023: ଜନ୍ମରୁ ଛଅମାସ ସ୍ତନ୍ୟପାନ କରିବାର ଆବଶ୍ୟକତା

ମାତୃତ୍ୱର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଶିଶୁକୁ ସ୍ତନ୍ୟପାନ କରାଇବା। ଏହି ସ୍ତନ୍ୟପାନର ମହତ୍ତ୍ୱକୁ ସମସ୍ତଙ୍କ ପାଖରେ ପହଞ୍ଚେଇବାର ପ୍ରୟାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ପାଳିତ ହେଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ। ଆଜି ଆସନ୍ତୁ ଏ ବିଷୟରେ ଜାଣିନେବା।

author-image
Jyotsna Mohapatra
ଅଦ୍ୟତନ ହୋଇଛି
World Breast Feeding Week 2023

World Breast Feeding Week 2023

ସ୍ତ୍ରୀଟିଏ ମାଆ ହେଲେ ତା’ର ପୂର୍ଣ୍ଣତା ଆସେ ବୋଲି ଆମେ କହୁ। ମାଆ ହେବାର ଅନୁଭବ ହିଁ ସେମିତି, ଦୁନିଆର ସବୁଠୁ ଅଧିକ ଦରମା ଯୁକ୍ତ ଚାକିରି, ବଡ଼ ଘର, ବିଳାସପୂର୍ଣ୍ଣ ଜୀବନଶୈଳୀ ସବୁ ଗୋଟେ ମାଆ ହେବାର ଅନୁଭବ ଆଗରେ ତୁଚ୍ଛ ପଡ଼ିଯାଏ। ମାତୃତ୍ୱର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଶିଶୁକୁ ସ୍ତନ୍ୟପାନ କରାଇବା। ଶିଶୁଟିଏ ଜନ୍ମ ହେଲେ ମା କ୍ଷୀର ହିଁ ତାର ପ୍ରଥମ ଖାଦ୍ୟ ହେଇଥାଏ। ଶିଶୁକୁ କ୍ଷୀର ଖୁଆଇବା ଦ୍ୱାରା ମାଆ ସହ ଶିଶୁ ମାନସିକ ଓ ଶାରୀରିକ ଭାବେ ଯୋଡ଼ି ହୋଇଥାଏ।

Advertisment

ଏହି ସ୍ତନ୍ୟପାନର ମହତ୍ତ୍ୱକୁ ସମସ୍ତଙ୍କ ଆଗରେ ପହଞ୍ଚେଇବାର ପ୍ରୟାସରେ, ପ୍ରତିଟି ଶିଶୁ ସ୍ତନ୍ୟପାନ କରିପାରିବ, ଏଇ ଉଦ୍ଦେଶ୍ୟ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ପାଳିତ ହେଉଛି ସ୍ତନ୍ୟପାନ ସପ୍ତାହ। ଆଜି ଆସନ୍ତୁ ଏହି ବିଷୟରେ ଜାଣିନେବା।

ଅଧିକ ପଢ଼ନ୍ତୁ: ଚାଞ୍ଚଲ୍ୟକର ତଥ୍ୟ: ମା’ କ୍ଷୀରରେ କୀଟନାଶକ ! ୧୦ ମାସରେ ଆଖି ବୁଜିଲେଣି ୧୧୧ ଶିଶୁ...

Advertisment

ଶିଶୁ ଭ୍ରୁଣ ରୂପେ ମାଆର ଗର୍ଭରେ ଜୀବନ ସଂଚାର ହେବାଠାରୁ ଜନ୍ମ ହେବା ଯାଏଁ ମାଆ ଖୁଆଉଥିବା ଖାଦ୍ୟରୁ ନିଜ ପୋଷଣ ଗ୍ରହଣ କରିଥାଏ। ଯେବେ ସେ ଜନ୍ମ ନିଏ ହଠାତ ତା’ର ଚାରିପାଖର ପରିବେଶ ବଦଳିଯାଏ, ତେଣୁ ତାକୁ ସଂଗେ ସଂଗେ ତା’ର ମାଆ କୋଳକୁ ନେଇ କ୍ଷୀର ଦେବାକୁ କୁହାଯାଏ।

ପ୍ରଥମ କ୍ଷୀର। ଏହାକୁ ବିଜ୍ଞାନ ଭାଷାରେ କୋଲଷ୍ଟ୍ରମ୍ ବା ସ୍ଥାନୀୟ ଭାଷାରେ କଷକ୍ଷୀର କୁହାଯାଏ, ଏହା ଉଚ୍ଚ ପୁଷ୍ଟିସାର ଓ କମ୍ ଶର୍କରାଯୁକ୍ତ ଏକ ଖାଦ୍ୟ ଯାହା ଶିଶୁକୁ ଖୁଆଇବା ନିହାତି ଆବଶ୍ୟକ। ଜନ୍ମରୁ ଛଅମାସ ଶିଶୁକୁ କେବଳ ମା’ କ୍ଷୀର ଦେବା ଅତ୍ୟନ୍ତ ଜରୁରୀ। ମାଆର ପୋଷଣ ଯଦି ଠିକ ରହିଛି ତେବେ ଶିଶୁ ୬ ମାସ ଯାଏଁ କେବଳ ମାଆ କ୍ଷୀର ବ୍ୟତୀତ ଅନ୍ୟ କିଛି ବାହାର ଖାଦ୍ୟ ଖାଇବା ଉଚିତ୍ ନୁହେଁ।

ସ୍ତନ୍ୟପାନର ଉପକାର:

ମାଆ କ୍ଷୀରର ପ୍ରାକୃତିକ ଉପାଦାନଗୁଡ଼ିକ କୌଣସି ଫର୍ମୁଲା ବା ବାହାରର କ୍ଷୀର ପାଉଡରରୁ ମିଳିବ ନାହିଁ। ଏଣୁ ଆମକୁ ଜନ୍ମରୁ ଛଅମାସ ପର୍ଯ୍ୟନ୍ତ ଶିଶୁକୁ ମାଆ କ୍ଷୀର ଖୁଆଇବା ଦିଗରେ ଯତ୍ନବାନ୍ ହେବାକୁ ପଡ଼ିବ। କେବଳ ଉପଯୁକ୍ତ ପରିମାଣର ଭିଟାମିନ୍ ଡି ମାଆ କ୍ଷୀରରୁ ମିଳି ନଥାଏ ଯାହା ଆମକୁ ଡ୍ରପ୍ ଭାବରେ ଡାକ୍ତରଙ୍କ ପରାମର୍ଶରେ ଶିଶୁକୁ ଦେବାକୁ ହୁଏ।

ମାଆ କ୍ଷୀରରେ ଆବଶ୍ୟକ ପରିମାଣରେ ଆଣ୍ଟିବଡ଼ି ଥାଏ ଯାହା ଶିଶୁର ରୋଗପ୍ରତିରୋଧକ ଶକ୍ତି ବଢ଼ାଏ ଓ ଶିଶୁକୁ କୌଣସି ପ୍ରକାର ବ୍ୟାକ୍ଟେରିଆ ଓ ଭାଇରସ୍‌ଜନିତ ରୋଗରୁ ରକ୍ଷା କରିବାରେ ସହାୟ ହୁଏ। କୋଲଷ୍ଟ୍ରମ୍‌ରେ ଇମ୍ୟୁନୋଗ୍ଲୋବିନ୍ ଏ ନାମକ ଆଣ୍ଟିବଡ଼ି ଥାଏ ଯାହା ଶିଶୁର ନାକ ଓ ଗଳାରେ ଏକ ସୁରକ୍ଷାକାରୀ ସ୍ତର ତିଆରି କରେ ଏବଂ ଇନ୍‌ଫେକ୍‌ସନ୍ ଦ୍ୱାରା ପ୍ରଭାବିତ ହେବାରୁ ବଞ୍ଚାଏ। ଏହା ଶିଶୁର ପାଚନ କ୍ରିୟାକୁ ନିୟମିତ କରେ।

ମାଆ କ୍ଷୀର ଖୁବ୍ ସହଜରେ ହଜମ ହୋଇଯାଏ ଏବଂ ଖୁବ ସରଳ ହୋଇଥାଏ। କିନ୍ତୁ ଫର୍ମୁଲା ଖୁଆଇବା ଦ୍ୱାରା ଶିଶୁକୁ ଏହି ସବୁ ଆଣ୍ଟିବଡ଼ି ମିଳି ନଥାଏ। ଜନ୍ମରୁ ଛଅମାସ କେବଳ ସ୍ତନ୍ୟପାନ କରିବା ଦ୍ୱାରା ଶିଶୁ କେତେକ ପ୍ରକାର ରୋଗରେ ପଡ଼ିବା ସମ୍ଭାବନା କମ୍ ହୋଇଯାଏ। ଯେପରିକି, ଶ୍ୱାସନଳୀଜନିତ ରୋଗ, ଖାଦ୍ୟନଳୀଜନିତ ରୋଗ, ଥଣ୍ଡା ଓ କାଶ, କ୍ଷୁଦାନ୍ତ୍ର ସମ୍ୱନ୍ଧୀୟ ରୋଗ, କୌଣସି ପ୍ରକାର ଆଲର୍ଜି, ହଜମ ସମ୍ୱନ୍ଧୀୟ ସମସ୍ୟା ଓ ରକ୍ତହୀନତା ଆଦିରୁ ଶିଶୁ ଦୂରେଇ ରହେ।

ମାଆ କ୍ଷୀରରେ ଲେପ୍ଟିନ୍ ନାମକ ଆମିନୋ ଏସିଡ୍ ଥାଏ ଯାହା କି ଶିଶୁର ଭୋକ ବଢ଼ାଏ ଓ ସ୍ନେହସାର ଅପଚୟ ପ୍ରକ୍ରିୟା ତ୍ୱରାନ୍ୱିତ କରେ। ଏହା ଫଳରେ ଶିଶୁର ଓଜନ ମଧ୍ୟ ଠିକ ରୁହେ। ଗବେଷଣାରୁ ଜଣାପଡ଼ିଛି ଯେ ମାଆ କ୍ଷୀର ଖାଉଥିବା ଶିଶୁମାନଙ୍କ ଠାରେ ଶାରୀରିକ ଓ ମାନସିକ ବୃଦ୍ଧିଜନିତ ସମସ୍ୟା କମ୍ ଦେଖାଯାଏ ଏବଂ ସେମାନେ ମାନସିକ ଭାବେ ଦୃଢ଼ ହୋଇଥାନ୍ତି।

ଏ ତ ଗଲା ଶିଶୁ ପାଇଁ ମାଆ କ୍ଷୀରର ଉପଯୋଗିତା। ଏବେ ଦେଖିବା ସ୍ତନ୍ୟପାନ ମାଆ ପାଇଁ କିପରି କାମ ଦିଏ। ସ୍ତନ୍ୟପାନ କରିବା ଦ୍ୱାରା ମାଆର ଓଜନ ହ୍ରାସ ହୁଏ। ଗର୍ଭଧାରଣ ସମୟରେ ଗର୍ଭାଶୟର ଯେଉଁ ପ୍ରସାରଣ ହୋଇଥାଏ ତାହା ପ୍ରସବ ପରେ ନିୟମିତ ସ୍ତନ୍ୟପାନ କରାଇବା ଦ୍ୱାରା ସଂକୁଚିତ ହେବାକୁ ଲାଗେ। ଗର୍ଭଧାରଣ ବେଳେ ମାଆ କ୍ଷୀର ତିଆରି ପାଇଁ କ୍ଷରିତ ହେଇଥିବା ଅକ୍ସିଟେସିନ୍ ହରମୋନ୍ ପ୍ରସବ ଯନ୍ତ୍ରଣା ବେଳେ ଅଧିକ ପରିମାଣରେ କ୍ଷରିତ ହୁଏ ଓ ପରେ ଏହା ରକ୍ତସ୍ରାବ କମ୍ କରି ୟୁଟ୍ରସ୍ ବା ଗର୍ଭାଶୟ ସଂକୋଚନରେ ସାହାଯ୍ୟ କରେ।

ଶିଶୁକୁ କ୍ଷୀର ଖୁଆଇବା ଦ୍ୱାରା ପ୍ରସବ ପରର ମାନସିକ ଚିନ୍ତାରୁ ମୁକ୍ତି ମିଳେ, ଆରାମ ଲାଗେ। ନିୟମିତ ଆବଶ୍ୟକ ପଦ୍ଧତିରେ ସ୍ତନ୍ୟପାନ କରାଇବା ଦ୍ୱାରା ଉଚ୍ଚ ରକ୍ତଚାପ, ଡାଇବେଟିସ୍, ହୃଦରୋଗ ଆଦିର ସମ୍ଭାବନା କମିଯାଇଥାଏ। ଏହା ଦ୍ୱାରା ସ୍ତନ କର୍କଟ ରୋଗର ସମ୍ଭାବନା ମଧ୍ୟ କମିଯାଏ।

ଅଧିକ ପଢ଼ନ୍ତୁ: ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ : ବୈଜ୍ଞାନିକଙ୍କ ଦାବି ପରେ ବଢ଼ିଲା ଚିନ୍ତା

ସ୍ତନ୍ୟପାନରେ ବାଧା:

ଆଜିକାଲି ଅଧିକାଂଶ ମାଆ କର୍ମଜୀବୀ ଅଟନ୍ତି। ଏଣୁ ଶିଶୁକୁ ସ୍ତନ୍ୟପାନ କରାଇବାକୁ ସମୟ ଓ ସୁବିଧା ଉପଯୁକ୍ତ ଭାବେ ସେମାନେ ପାଆନ୍ତିନି। ପରିସଂଖ୍ୟାନ କୁହେ, ଏବେ ବି ପଚାଶ ଲକ୍ଷରୁ ଅଧିକ ମାଆ କର୍ମ ଯୋଗୁଁ ନିଜ ଶିଶୁକୁ ସ୍ତନ୍ୟପାନ କରାଇବାରୁ ବଞ୍ଚିତ ହେଉଛନ୍ତି। କେବଳ ୨୦ ପ୍ରତିଶତ କମ୍ପାନୀ ଏବେ ମାଆ ହୋଇଥିବା କର୍ମଚାରୀଙ୍କ ପାଇଁ ଏକ ସ୍ତନ୍ୟପାନ ଗୃହ ରଖିଛନ୍ତି।

କିପରି ହେବ ମା’ କ୍ଷୀର:

ଏହି କ୍ଷେତ୍ରରେ ଏମାନେ ଶିଶୁକୁ ଫର୍ମୁଲା ଦେବାକୁ ବାଧ୍ୟ ହେଉଛନ୍ତି। କେତେକ ମାଆ କୁହନ୍ତି ଯେ ସେମାନଙ୍କର ଆବଶ୍ୟକ ପରିମାଣର କ୍ଷୀର ପ୍ରସ୍ତୁତ ହୋଇପାରୁନି ବୋଲି ସେମାନେ ଶିଶୁକୁ ବାହାର ଖାଦ୍ୟ ଦିଅନ୍ତି। ହେଲେ କ୍ଷୀର ତିଆରି ହେବା ପାଇଁ ଉପଯୁକ୍ତ ଖାଦ୍ୟ ଯେପରି କି ସାଗୁ, ଅମୃତଭଣ୍ଡା, ରସୁଣ, ଶୁଣ୍ଠି, ଘିଅ ଆଦି ଖାଦ୍ୟ ନିୟମିତ ଖାଇଲେ ଆବଶ୍ୟକ ପରିମାଣର ମାଆ କ୍ଷୀର ଶିଶୁଟିଏ ପାଇପାରିବ।

ପୂର୍ବରୁ ମାଆମାନେ ପ୍ରସବ ପରେ ସ୍ୱତନ୍ତ୍ର ଖାଦ୍ୟ ଖାଉଥିଲେ ଯାହା ବିଜ୍ଞାନ ଭାଷାରେ ବ୍ଲାଣ୍ଡ୍ ଡାଏଟ୍ କୁହାଯାଏ। ଏଥିରେ ରାଗ ମସଲା ଆଦି ବିଲକୁଲ ରହୁ ନଥିଲା। ଏବେ କିନ୍ତୁ ମାଆମାନେ କୌଣସି ଖାଦ୍ୟରେ ବାରଣ କରୁନାହାନ୍ତି। କିନ୍ତୁ ପ୍ରସବ ପରେ ଖାଦ୍ୟ ବିଶେଷଜ୍ଞଙ୍କ ପରାମର୍ଶରେ ହିଁ ଖାଇବା ଜରୁରୀ ହୋଇଥାଏ।

କିପରି କରାଇବେ ସ୍ତନ୍ୟପାନ:

ଏହା ସହିତ ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା ସ୍ତନ୍ୟପାନ କରାଇବା କିପରି। ଅନେକ ମାଆ ସାଧାରଣ ଭାବେ କୌଣସି ବି ଜାଗାରେ ବସି, ଶିଶୁକୁ ଖୁଆନ୍ତି। କିନ୍ତୁ, ସ୍ତନ୍ୟପାନ କଲା ବେଳେ ଆପଣ ଶିଶୁକୁ ଖାଇବାକୁ ସୁବିଧା ହେବା ପରି ବସିବା ଦରକାର। ସ୍ତନ୍ୟପାନ କରାଇବା ଆଗରୁ ମାଆ ନିଜ ହାତ ଓ ସ୍ତନକୁ ଭଲରେ ଧୋଇବା ଦରକାର। ଶିଶୁଟି ନିଜେ ତା’ ଆଡ଼ୁ ଖାଇବା ବନ୍ଦ ନ କରିବା ଯାଏଁ ତାକୁ ଖୁଆଇବା ଉଚିତ।

ଜନ୍ମ ପରେ ପ୍ରତି ଦୁଇ ଘଣ୍ଟାରେ ଥରେ ଅତି କମ୍‌ରେ କୋଡ଼ିଏ ମିନିଟ୍ ଯାଏଁ ସ୍ତନ୍ୟପାନ କରାଇବା ଆବଶ୍ୟକ। ମୋବାଇଲ୍ କି ଅନ୍ୟ କୌଣସି ଯନ୍ତ୍ର ସେ ସମୟରେ ହାତରେ ଧରିବା ଅନୁଚିତ। ଏଣୁ ଏହି ଦିଗଗୁଡ଼ିକୁ ଦୃଷ୍ଟିରେ ରଖି ପ୍ରତିଟି ଶିଶୁ କିପରି ଜନ୍ମରୁ ଛଅ ମାସ ମାଆ କ୍ଷୀର ଖାଇବ ଓ ମାଆ ପାଇଁ ଏହା କିପରି ଉପଭୋଗଜନକ ହେବ ତାହା ପ୍ରତି ଦୃଷ୍ଟି ହେବା ଜରୁରୀ।

ଇମେଲ୍ - [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Breast Milk Breast-feeding Benefit Of Breast Milk
Advertisment
Advertisment