/odishatv-khabar/media/post_attachments/uploadimage/library/16_9/16_9_0/s_1675157454.jpg)
Pesticides found in breast milk ?
କୁହାଯାଏ, ମା’ କ୍ଷୀର ଅମୃତ ସମାନ। ନବଜାତ ଶିଶୁଙ୍କ ପାଇଁ ଏହା ପ୍ରଥମ ଆହାର। ମା’ କ୍ଷୀରରୁ ଶିଶୁକୁ ପୋଷକତତ୍ତ୍ୱ ମିଳିଥାଏ। ଏହାଦ୍ୱାରା ନବଜାତ ଶିଶୁର ବିକାଶ ହେବା ସହ ବିଭିନ୍ନ ସକଂମ୍ରଣରୁ ରକ୍ଷା କରିଥାଏ। ହେଲେ ଏହା ଏବେ ଶିଶୁଙ୍କ ଜୀବନ ନେଉଥିବା ଜଣାପଡ଼ିଛି। ଗତ ୧୦ ମାସ ମଧ୍ୟରେ ଉତ୍ତରପ୍ରଦେଶର ମହାରାଜଗଞ୍ଜରେ ୧୧୧ ଜଣ ନବଜାତକଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ମଧ୍ୟ ରହସ୍ୟଜନକ ରହିଛି। ଯଦିଓ ମୃତ୍ୟୁ ପଛର ସ୍ପଷ୍ଟ କାରଣ ଜଣାପଡ଼ିନି, ତେବେ ଲକ୍ଷ୍ନୌର କୁଇନ୍ ମାରି ହସ୍ପିଟାଲ ପକ୍ଷରୁ ଦାବି କରାଯାଇଛି ଯେ, ଗର୍ଭବତୀ ମହିଳାଙ୍କ କ୍ଷୀରରେ ପେଷ୍ଟିସାଇଡ୍(କୀଟନାଶକ) ରହିଛି। ଅଧ୍ୟୟନରୁ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଯାହାକି ନବଜାତ ଶିଶୁଙ୍କ ମୃତ୍ୟୁର କାରଣ ହୋଇପାରେ।
ଅଧିକ ପଢ଼ନ୍ତୁ: ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ : ବୈଜ୍ଞାନିକଙ୍କ ଦାବି ପରେ ବଢ଼ିଲା ଚିନ୍ତା
ମା’ କ୍ଷୀରରେ କୀଟନାଶକ !
୧୩୦ ଜଣ ଗର୍ଭବତୀ ମହିଳାଙ୍କୁ ନେଇ କୁଇନ୍ ମାରି ହସ୍ପିଟାଲ ପକ୍ଷରୁ ଅଧ୍ୟୟନ କରାଯାଇଥିଲା। ଏମାନଙ୍କ ମଧ୍ୟରେ କିଛିଜଣ ମାଂସାହାରୀ ଥିବାବେଳେ ଆଉ କିଛି ଜଣ ଶାକାହାରୀ ଥିଲେ। ପ୍ରଫେସର ସୁଜାତା ଦେବ, ଡାକ୍ତର ଅବାସ ଅଲି ମେହେନ୍ଦି ଓ ଡାକ୍ତର ନୈନା ଦ୍ୱିବେଦୀଙ୍କୁ ନେଇ ଏହି ଅଧ୍ୟୟନ ହୋଇଥିଲା। ଡାକ୍ତରଙ୍କ ମତରେ ଉଭୟ ମାଂସାହାରୀ ଓ ଶାକାହାରୀ ଖାଦ୍ୟ ଖାଉଥିବା ଗର୍ଭବତୀଙ୍କ କ୍ଷୀରରେ ପେଷ୍ଟିସାଇଡ୍ ରହିଛି। କିନ୍ତୁ ମାଛ, ମାଂସ ଖାଉଥିବା ଗର୍ଭବତୀଙ୍କ ତୁଳନାରେ ପନିପରିବା ଖାଉଥିବା ଗର୍ଭବତୀ ମହିଳାଙ୍କ କ୍ଷୀରରେ କମ୍ ପେଷ୍ଟିସାଇଡ୍ ରହିଛି। ଶାକାହାରୀଙ୍କ ତୁଳନାରେ ମାଂସାହାରୀ ଗର୍ଭବତୀଙ୍କ କ୍ଷୀରରେ ୩ ଗୁଣା ଅଧିକ ପେଷ୍ଟିସାଇଡ୍ ରହିଛି।
ଏହାପଛର କାରଣ ହେଉଛି କେମିକାଲ୍ ଫାର୍ମିଂ। ସବୁଜ ପନିପରିବା ଓ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ବିଭିନ୍ନ ପ୍ରକାରର କୀଟନାଶକ ଓ କେମିକାଲ୍ ବ୍ୟବହାର କରାଯାଇଥାଏ। ସେହିପରି ପଶୁମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ଇଞ୍ଜେକ୍ସନ ଦିଆଯାଉଛି। ତେଣୁ ନନ୍-ଭେଜ୍ କିମ୍ବା ଭେଜ୍ ଖାଉଥିବା ଗର୍ଭବତୀ ମହିଳାଙ୍କ କ୍ଷୀରରେ ପେଷ୍ଟିସାଇଡ୍ ଥିବା ଜଣାପଡ଼ିଛି।
କେମିତି ଶିଶୁଙ୍କ ପାଖରେ ପହଞ୍ଚୁଛି ପେଷ୍ଟିସାଇଡ୍ ?
ନବଜାତ ଶିଶୁ ପ୍ରଥମ ଆହାର ଭାବେ ମା’ କ୍ଷୀର ବ୍ୟତୀତ ଆଉ କୌଣସି ଆହାର ଗ୍ରହଣ କରିନଥାଏ। ତେଣୁ ମା’ କ୍ଷୀର ମାଧ୍ୟମରେ ନବଜାତକଙ୍କ ଶରୀରରେ ପେଷ୍ଟିସାଇଡ୍ ପହଞ୍ଚୁଛି। ଯଦିଓ ଏହାର ମାତ୍ରା କମ୍ ରହିଛି, କିନ୍ତୁ ଏହା ନବଜାତକଙ୍କୁ କ୍ଷତି ପହଞ୍ଚାଇଥାଏ।
୩ ଜଣିଆ କମିଟି...
ନବଜାତ ଶିଶୁ ମୃତ୍ୟୁ ପଛର କାରଣ କ’ଣ, ଏହାର ତଦନ୍ତ ପାଇଁ ଚିଫ୍ ଡେଭଲପେମେଣ୍ଟ ଅଫିସର(CDO)ଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ସଦସ୍ୟଙ୍କୁ ନେଇ ଜିଲ୍ଲା ମାଜିଷ୍ଟ୍ରେଟ ଏକ କମିଟି ଗଠନ କରିଥିଲେ। ଏହାପରେ ଗର୍ଭବତୀଙ୍କ କ୍ଷୀରକୁ ନେଇ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା, ଶାକାହାରୀଙ୍କ ତୁଳନାରେ ମାଂସାହାରୀ ଗର୍ଭବତୀଙ୍କ କ୍ଷୀରରେ ୩ ଗୁଣା ଅଧିକ ପେଷ୍ଟିସାଇଡ୍ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)