Advertisment

Nutrients: ସୁସ୍ଥ ଦାନ୍ତ ପାଇଁ ପିଲାମାନଙ୍କୁ କେଉଁ ଖାଦ୍ୟ ଦେବେ, କେଉଁ ଖାଦ୍ୟ ନ ଦେବେ

ଛୋଟଛୁଆମାନଙ୍କୁ ଚକୋଲେଟ୍ ଖାଇବାକୁ ଖୁବ ଭଲଲାଗେ। କ୍ରିମ୍ ବିସ୍କୁଟ୍, ଜୁସ୍, ଜାମ୍, ଆଇସକ୍ରିମ୍ ଆଦି ନାଁ ଶୁଣିଲେ ପିଲାମାନେ ଜିଦ୍ କରନ୍ତି ଖାଇବାକୁ ଏବଂ ଆମେ ମଧ୍ୟ ସାଙ୍ଗେ ସାଙ୍ଗେ ଆଣିଦେଉ। ହେଲେ କେବେ ଭାବିଛନ୍ତି କି ଏସବୁ ସେମାନଙ୍କ ଦାନ୍ତ ପାଇଁ କେତେ ହାନିକାରକ? କେବେ ସେମାନଙ୍କ ଦାନ୍ତର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିଛନ୍ତି କି?

author-image
Jyotsna Mohapatra
ଅଦ୍ୟତନ ହୋଇଛି
Best Foods for Childrens Teeth

What food to give children for healthy teeth

ଛୋଟଛୁଆମାନଙ୍କୁ ଚକୋଲେଟ୍ ଖାଇବାକୁ ଖୁବ ଭଲଲାଗେ। କ୍ରିମ୍ ବିସ୍କୁଟ୍, ଜୁସ୍, ଜାମ୍, ଆଇସକ୍ରିମ୍ ଆଦି ନାଁ ଶୁଣିଲେ ପିଲାମାନେ ଜିଦ୍ କରନ୍ତି ଖାଇବାକୁ ଏବଂ ଆମେ ମଧ୍ୟ ସାଙ୍ଗେ ସାଙ୍ଗେ ଆଣିଦେଉ। ହେଲେ କେବେ ଭାବିଛନ୍ତି କି ଏସବୁ ସେମାନଙ୍କ ଦାନ୍ତ ପାଇଁ କେତେ ହାନିକାରକ? କେବେ ସେମାନଙ୍କ ଦାନ୍ତର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିଛନ୍ତି କି?

Advertisment

ଥରେ ଦାନ୍ତ ଖରାପ ହେବା ଆରମ୍ଭ ହେଲେ କିମ୍ୱା କ୍ୟାଭିଟି ଆସିଗଲେ ଦାନ୍ତମାଢ଼ି ଦୁର୍ବଳ ହୋଇଯାଏ। ଜୀବନସାରା ପାଇଁ ସେ ପିଲା ଦାନ୍ତଜନିତ କୌଣସି ନା କୌଣସି ସମସ୍ୟା ଭୋଗେ। ବର୍ତ୍ତମାନ ପ୍ରାୟ ୧୦ରେ ୬ଜଣ ପିଲା ଯେଉଁମାନେ ୭/୮ବର୍ଷର ସେମାନଙ୍କ ଦାନ୍ତରେ କ୍ୟାଭିଟି ଥିବା ସାଧାରଣ କଥା ହେଇଗଲାଣି।

ଅଧିକ ପଢ଼ନ୍ତୁ: ପିଲାଙ୍କ ବୃଦ୍ଧିରେ ବାଧକ ରେଡି-ଟୁ-ଇଟ୍ ଖାଦ୍ୟ ଓ ହେଲ୍‌ଥ ଡ୍ରିଙ୍କ୍

ସାଧାରଣ ଭାଷାରେ କହିଲେ ଦାନ୍ତକୁ ପୋକ କାଟିବା। ଆଜି ତେଣୁ ଆସନ୍ତୁ ଛୁଆମାନଙ୍କର କିଛି ଖାଦ୍ୟାଭ୍ୟାସ ବିଷୟରେ ଜାଣିବା ଯାହା ସେମାନଙ୍କ ଦାନ୍ତର ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ।

Advertisment

ଦାନ୍ତର ପ୍ରକାର:

ଆମ ଦାନ୍ତ ଆମକୁ ଖାଇବା, କଥା କହିବା ଓ ହସିବାରେ ସାହାଯ୍ୟ କରେ। ଛୁଆକୁ ୭ମାସରୁ ୯ମାସ ହେବା ବେଳେ ତା’ର ଦାନ୍ତ ଉଠିବା ଆରମ୍ଭ ହୁଏ। ୩ ବର୍ଷ ମଧ୍ୟରେ ପ୍ରଥମ ୨୦ଟି ଦାନ୍ତ ଉଠେ। ଆମର ଦାନ୍ତ ମୁଖ୍ୟତଃ ଚାରି ପ୍ରକାର ହୋଇଥାଏ, ଯେପରିକି ମୋଲାର, ପ୍ରିମୋଲାର୍, ଇନ୍‌ସିଜ୍‌ର ଓ କାନାଇନ୍।

ଆଗରେ ଥିବା ବଡ଼ଦାନ୍ତ ଉପରେ ଓ ତଳେ ଦୁଇଟି ଲେଖାଁ ଇନ୍‌ସିଜର, ତା’ ପାଖରେ ଥିବା ମୁନିଆ ଦାନ୍ତ ହେଲା କାନାଇନ୍ ବା ଶ୍ୱାନ ଦାନ୍ତ, ତାକୁ ଲାଗି ଉପରେ ଓ ତଳେ ରହିଥାଏ ପ୍ରିମୋଲାର, ଯାହା କଳ ଦାନ୍ତ ପୂର୍ବରୁ ଥାଏ। ଆଉ ଚାରୋଟି କଳଦାନ୍ତ ସବା ଶେଷରେ ଯାହାକୁ କି ମୋଲାର ଟିଥ୍ କୁହାଯାଏ।

ତେବେ ଛୁଆକୁ ୨ ବର୍ଷ ହେବା ମଧ୍ୟରେ ଇନ୍‌ସିଜର୍‌ ଓ କାନାଇନ୍ ଦାନ୍ତ ଭଲଭାବରେ ଉଠି ସାରିଥାଏ। ୩ ବର୍ଷ ବେଳକୁ କଳଦାନ୍ତ ଉଠିବା ଆରମ୍ଭ ହୁଏ। ଦାନ୍ତ ଉଠିବା ଆରମ୍ଭ ହେବା ସମୟରେ କିଛି ପ୍ରକାରର ଦେହ ଖରାପ ହୁଏ ଯାହା କି ସ୍ୱାଭାବିକ।

ଛୁଆର ଖାଇବା:

ଦାନ୍ତ ଉଠିବା ପୂର୍ବରୁ ଓ ପରେ ଛୁଆର ଖାଇବା ସେହି ଅନୁଯାୟୀ ଅଲଗା ଅଲଗା ହୋଇଥାଏ। ମୂଳରୁ ସମ୍ପୂର୍ଣ୍ଣ ତରଳ ଖାଦ୍ୟ ଖାଉଥିବା ବେଳେ ୮-୧୨ମାସ ଯେବେ ଦାନ୍ତ ଉଠିବା ସମୟ ଆସେ ସେତେବେଳେ ଛୁଆକୁ ସେମି ସଲିଡ୍ ବା ସ୍ୱଳ୍ପ କଠିନ ଖାଦ୍ୟ ଯେପରିକି ପତଳା ଖେଚୁଡ଼ି, ସିଝା ପରିବା, ଦୋରନ୍ଧା ଭାତ ଆଦି ଦେବା ଆରମ୍ଭ ହୋଇଥାଏ। ଧୀରେ ଧୀରେ ଛୁଆ ଆମ ପରି ସାଧାରଣ ଭାବେ ଭାତ, ଡାଲି ଓ ବିଭିନ୍ନ ପରିବା ଖାଇବା ଆରମ୍ଭ କରେ।

ବିଭିନ୍ନ ଫଳର ଛୋଟଛୋଟ ଖଣ୍ଡ କରି ମଧ୍ୟ ଏହି ସମୟରେ ଦିଆଯାଏ। ତେବେ ଏହି ସମୟରେ ଛୁଆମାନଙ୍କୁ ଘରଲୋକେ ସ୍ନେହରେ ଗୋଟେ ଚକୋଲେଟ୍ କି ବିସ୍କୁଟ ଧରେଇଦିଅନ୍ତି। ଏହା କିନ୍ତୁ ପରବର୍ତ୍ତୀ ସମୟରେ ଏକ ଖରାପ ଅଭ୍ୟାସର କାରଣ ହୁଏ।

ଦାନ୍ତ ସଫା:

ଛୁଆମାନେ ଏକ ବର୍ଷ ପୂରଣ କରିବା ପରେ ସେମାନଙ୍କ ଦାନ୍ତ ନିୟମିତ ଭାବେ ସଫା କରିବା ଜରୁରୀ। ଏଥିପାଇଁ ନରମ ସିଲିକନ୍ ତିଆରି ବ୍ରଶ୍ ବ୍ୟବହାର କରିପାରିବେ। ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଶିଶୁମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ପ୍ରକାର ଟୁଥ୍‌ପେଷ୍ଟ ନ ଆଣି ଗୋଟିଏ ପ୍ରକାର ଟୁଥ୍‌ପେଷ୍ଟ୍‌ ଯେଉଁଥିରେ ସଲ୍‌ଫେଟ୍‌ ନ ଥିବ ତାହା ବ୍ୟବହାର କରିପାରିବେ।

ଆମେମାନେ ସାଧାରଣତଃ ଫ୍ଲୋରାଇଡ୍ ଯୁକ୍ତ ପେଷ୍ଟ୍‌ ଘସିବାକୁ ପିଲାଙ୍କୁ ଦେଇ ନ ଥାଉ। କିନ୍ତୁ ଛୁଆମାନଙ୍କର ଦାନ୍ତର ଉପର ଆସ୍ତରଣ ବା ଏନାମେଲ୍‌ ତିଆରି ପାଇଁ ଫ୍ୟୋରାଇଡ୍ ନିହାତି ଆବଶ୍ୟକ। ଏଣୁ ଅଳ୍ପ ଫ୍ଲୋରାଇଡ୍ ଥିବା ପେଷ୍ଟ୍‌ ହିଁ ଘସିବାକୁ ଦିଅନ୍ତୁ। ଧୀରେ ଧୀରେ ଦାନ୍ତଘଷା ସମୟକୁ ଦିନକୁ ଦୁଇଥର କରାନ୍ତୁ, ଯାହା ଦ୍ୱାରା ଛୁଆର ଦାନ୍ତ ସହଜରେ କ୍ଷୟ ହୁଏ ନାହିଁ।

ଛୁଆକୁ ୫ ବର୍ଷ ହେବା ଯାଏଁ ତାକୁ ଆପଣ ନିଜେ ବ୍ରଶ୍ କରାନ୍ତୁ। ବହୁ ଲୋକେ ପିଲାକୁ ବ୍ରଶ୍ ଧରେଇଦେଇ ନିଜେ ନିଜ କାମରେ ବ୍ୟସ୍ତ ହୋଇଯାଆନ୍ତି। ହେଲେ ଏମିତି କରିବା ଦ୍ୱାରା ଦାନ୍ତ ମୂଳରେ ମଇଳା ଓ ଖାଦ୍ୟ ଟୁକୁଡ଼ା ଲାଗି ରହେ ଓ ପରେ ଦାନ୍ତ କ୍ଷୟ କରାଏ।

କ’ଣ ନ ଦେବେ:

ଯେଉଁ ଛୁଆମାନଙ୍କୁ ୬ମାସ ପରେ ଫର୍ମୁଲା କିମ୍ୱା ବାହାର ରେଡ଼ିମେଡ଼୍ ଖାଦ୍ୟ ଦେଉଥିବେ, ଧ୍ୟାନ ରଖନ୍ତୁ ଯେପରି ଦାନ୍ତ ଉଠିବା ପରେ ସେ ଆଉ ବଟଲ୍‌ରେ ନ ଖାଇ କପ୍‌ରେ କ୍ଷୀର ଓ ଅନ୍ୟ ଖାଦ୍ୟକୁ ପିଇବ। ଏହାଦ୍ୱାରା ତା’ର ଆବଶ୍ୟକ ଖାଦ୍ୟର ମାତ୍ରା ଠିକ୍ ରହିବ। ଛୁଆକୁ ଏକ ବର୍ଷ ହେବା ଆଗରୁ ତାକୁ କୌଣସି ଜୁସ୍ ଦିଅନ୍ତୁ ନାହିଁ। ଏହା ପରେ ଅତ୍ୟଧିକ ମିଠା ଥିବା ଜୁସ୍ ମଧ୍ୟ ଦିଅନ୍ତୁ ନାହିଁ, ଛୁଆ ଶୋଇବା ବେଳେ ତା’ର ପାଟିରେ କୌଣସି ବୋତଲ ବା କପ୍ ଆଦି ଧରି ଶୋଇବା ଉଚିତ୍ ନୁହେଁ।

ଏହା ଦ୍ୱାରା ଖାଦ୍ୟର ଅଂଶ ଦାନ୍ତ ସନ୍ଧିରେ ଜମା ହୋଇଯାଏ ଏବଂ ଏନାମେଲ୍‌ କ୍ଷୟ କରିଥାଏ। ଚକୋଲେଟ୍, ମିଠା ସ୍ନାକ୍ସ, କୋଲ୍‌ଡ୍ରିନ୍ସ ଇତ୍ୟାଦି ମଧ୍ୟ ଛୁଆକୁ ଦେବା ଠିକ ନୁହେଁ।

ଅଧିକ ପଢ଼ନ୍ତୁ: ପିଲାଙ୍କୁ ସ୍କୁଲ ଛାଡ଼ିବାର ବୟସ କେତେ ହେବା ଦରକାର

ଚକୋଲେଟ୍‌ରେ କ୍ୟାଫେନ୍ ଓ ଶର୍କରା ରହୁଥିବାରୁଏହା ଛୁଆମାନଙ୍କ ନିଦ ଉପରେ ମଧ୍ୟ ପ୍ରଭାବ ପକାଏ। ପେଷ୍ଟ୍ରି, କେକ୍, ଆଇସ୍‌କ୍ରିମ୍ ଏ ସବୁଥିରେ ଶର୍କରାର ପରିମାଣ ଖୁବ ଅଧିକ ହୋଇଥାଏ। ଏହା ସହ ଏଥିରେ ଚର୍ବିଜାତୀୟ ଦ୍ରବ୍ୟ ମଧ୍ୟ ଦିଆଯାଏ ଯାହା ଏହାର ଟେକ୍ସଚର ବଢ଼ାଇବାରେ ସାହାଯ୍ୟ କରେ।

ସାବଧାନତା:

କୌଣସି ପ୍ରକାର ଦାନ୍ତଜନିତ ସମସ୍ୟା ଦେଖାଗଲେ ସାଙ୍ଗେ ସାଙ୍ଗେ ଯାଇ ଦାନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଖାଦ୍ୟରେ ଏହିସବୁ ସାବଧାନତା ଅବଲମ୍ବନ କଲେ ପିଲାର ଦାନ୍ତ ଖରାପ ହେବା ପୂର୍ବରୁ ରକ୍ଷା କରିହେବ।

ଇମେଲ୍ - [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Nutrients Health Tips
Advertisment
Advertisment