କିଛି ଦିନ ତଳେ ଗୋଟେ ସାଙ୍ଗ ସହ କଥା ହେଲା ବେଳେ ଜାଣିଲି ତା’ ପୁଅ ସ୍କୁଲରେ ପାଠ ପଢ଼ା ନେଇ ସେ ଖୁବ୍ ବ୍ୟସ୍ତ। ଦୁଇଟା ଟିଉସନ୍, ସ୍କୁଲ, ତା ପରେ ଘରେ ସଂଧ୍ୟାରେ ସବୁଦିନ ସେ ନିଜେ ତାକୁ ପଢ଼ାଏ। ତଥାପି ଏଥର ପରୀକ୍ଷାରେ ମାର୍କ କମ୍ ଆସିଯାଇଛି। ସେଥିପାଇଁ ତା’ର ଚିନ୍ତା। ତେବେ ପୁଅ କେଉଁ ଶ୍ରେଣୀରେ ପଢ଼ୁଛି ପଚାରିବାରୁ ସେ କହିଲା, ୟୁକେଜି ମାନେ ମଣ୍ଟେଶ୍ୱରୀ ୩।
ମୁଁ ଆଶ୍ଚର୍ଯ୍ୟ ଯେତିକି ହେଲି ତା’ ଠାରୁ ବେଶୀ ଚିନ୍ତା ଲାଗିଲା ମୋ ସାଙ୍ଗର ଚିନ୍ତାଧାରକୁ ଜାଣି। ଏତେ ଛୋଟ ବୟସରେ ପିଲାର ମାର୍କ କମିଯିବାଟା ସତରେ ଏତେ ବଡ଼ ସମସ୍ୟାର ହେଇପାରେ ମାଆ-ବାପାଙ୍କ ପାଇଁ! କ୍ଲାସ୍ ହିସାବରେ ସେ ୪/୫ ବର୍ଷର ହୋଇଥିବ।
ଅଧିକ ପଢ଼ନ୍ତୁ: କେତେ କ୍ଷତିକାରକ ରିଫାଇନ୍ ତେଲ; କେଉଁ ତେଲ ଖାଇବା ଜରୁରୀ
ଆମ ପିଲାଦିନ କଥା ମନେପକେଇଲେ ଏଇ ବୟସରେ ଆମେ ଦାଣ୍ଡରେ ନିର୍ଧୂମ ଖେଳୁଥିଲୁ। ଯଦିଓ ମୁଁ ବି ୪ ବର୍ଷରେ ସ୍କୁଲ୍ ଯିବା ଆରମ୍ଭ କରିଥିଲି କିନ୍ତୁ ଏମିତି ପାଠ ପଢ଼ାକୁ ନେଇ ମାତ୍ରାଧିକ ବ୍ୟତିବ୍ୟସ୍ତ ହେବା ମୁଁ ମୋ ଘର ଲୋକଙ୍କୁ ଦେଖିନି।
Also Read
ତେବେ ପିଲାର ସ୍କୁଲକୁ ଯିବାର ସଠିକ୍ ବୟସ କେତେ ହେବା ଜରୁରୀ ଆପଣ ଜାଣନ୍ତି କି? ସ୍କୁଲକୁ ଛାଡ଼ିବା ଆଗରୁ କେହି ବୁଦ୍ଧିଜୀବୀଙ୍କ ସହ କେବେ ବିଚାର ବିମର୍ଶ କରିଛନ୍ତି କି? ବୋଧହୁଏ ନା। କିଛି ଲୋକ ହଁ କରି ବି ପାରନ୍ତି। ଆଜି ଏଇ ବିଷୟରେ ଟିକେ ଆଲୋଚନା କରିବା।
ଛୋଟ ଛୁଆଟି ଠିକ୍ରେ ବଢ଼ୁଛି ବୋଲି କହିଲେ ଆମେ ବୁଝିବା ଦରକାର ଯେ ପିଲାଟି ଶାରୀରିକ, ମାନସିକ ଓ ବୌଦ୍ଧିକ ଭାବେ ଉନ୍ନତ ହେଉଛି। ଛୁଆର ମସ୍କିଷ୍କର ବିକାଶ ହେବା ମା’ ପେଟରେ ଥିବାବେଳୁ ଆରମ୍ଭ ହୋଇଥାଏ ଏବଂ ଏହା ତୀବ୍ର ହୋଇଥାଏ ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ। ଏହି ସମୟରେ ବିଭିନ୍ନ କଥା ଶିଖିବାର ପ୍ରବୃତ୍ତି ରୁହେ ଯାହା ତାକୁ କଥା କହିବା, ଚାଲିବା, ବିଭିନ୍ନ କାର୍ଯ୍ୟକଳାପ ଆଦି କରିବାରେ ସାହାଯ୍ୟ କରେ।
ପାଞ୍ଚ ବର୍ଷ ବୟସ ମଧ୍ୟରେ ଛୁଆ ନିଜର ପରିବାର, ସାଙ୍ଗସାଥି, ନିଜ ଆଖପାଖରେ ରହୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନେ ଓ ସମାଜ ସହ ମିଶିବା ଆରମ୍ଭ କରେ। ଏହି ସମୟରେ ଛୁଆମାନଙ୍କୁ ସ୍ନେହ କରିବା, ତାଙ୍କୁ ଧ୍ୟାନ ଦେବା, ନୂଆ କଥା ଶିଖେଇବା, ବିଭିନ୍ନ ଆକ୍ଟିଭିଟି ମାଧ୍ୟମରେ ତାଙ୍କର ସୃଜନଶୀଳତା ବଢ଼ାଇବା ଆଦି ଜରୁରୀ ହୋଇଥାଏ। ପୁରୁଣା ଦିନରେ ଏସବୁ କାର୍ଯ୍ୟ ପରିବାର ଭିତରେ ହୋଇଯାଉଥିଲା।
ସେତେବେଳେ ଯେହେତୁ ଜଏଣ୍ଟ ଫ୍ୟାମିଲି ବା ଯୌଥ ପରିବାରରେ ଆମେ ରହୁଥିଲେ, ତେଣୁ ବାପା ମାଆଙ୍କୁ ଛାଡ଼ି ଜେଜେ, ଜେଜେମା, ଦାଦା, ଖୁଡ଼ୀ, ବଡ଼ବାପା, ବଡ଼ବୋଉ ଆଦି କେତେ କିଏ ଛୁଆମାନଙ୍କ ସହ ଖେଳୁଥିଲେ, ତାଙ୍କୁ ସମ୍ଭଆଳୁଥିଲେ। ଜେଜେମାଆର ଗପ ଶୁଣି ପିଲାମାନଙ୍କର ଶୁଣିବା ଓ ଶିଖିବା ପ୍ରବୃତ୍ତି ବିକାଶ ହେଉଥିଲା। ଏଥିରୁ ହିଁ ପିଲା ଅନେକ ପ୍ରକାର ପାଠ ପଢ଼ିଯାଉଥିଲା ସ୍କୁଲ ଯିବା ଆଗରୁ।
ତେବେ ଆଜିର ବ୍ୟସ୍ତବହୁଳ ସମୟରେ ବାପା ମା’ ଉଭୟ ଚାକିରୀ କରୁଥିବାରୁ ପ୍ଲେ ସ୍କୁଲ୍ ଓ ଡେ ବୋର୍ଡ଼ି ସ୍କୁଲ୍ ପରି ସଂସ୍ଥାର ଧାରଣା ଆମ ମନ ଭିତରେ ଆସିଲା। ବଡ଼ ବଡ଼ ସହରରେ ଛୋଟ ଛୁଆମାନଙ୍କୁ ମାଆମାନେ ଏଇଠି ନିର୍ଦ୍ୱନ୍ଦ୍ୱରେ ଛାଡ଼ି ଅଫିସ୍ ଯାଉଛନ୍ତି। ସେଇଠୁ ସେମାନେ ପାପଢ଼ା ବି ଆରମ୍ଭ କରନ୍ତି।
ଆମର ଶାସ୍ତ୍ରରେ ରହିଛି ଛୁଆର ୪ ବର୍ଷ ପୂର୍ଣ୍ଣ ହେବା ପରେ ହିଁ ବିଦ୍ୟାରମ୍ଭ ହେବ ଯାହା ଆମେ ଖଡ଼ିଛୁଆଁ ବୋଲି କହୁ। କାରଣ ଏହି ସମୟରେ ତା’ର ମସ୍ତିଷ୍କ ନୂଆ କଥା ଶିଖିବାକୁ ଲାଗେ। କିନ୍ତୁ ଆମେ ଏହାର ପ୍ରକୃତ ଉଦ୍ଦେଶ୍ୟ ନ ବୁଝି ଆମ ଛୁଆକୁ ୩ ବର୍ଷ ହେବା ବେଳୁ ସ୍କୁଲ୍ ଛାଡ଼ିବା ଆରମ୍ଭ କରିଦେଉଛୁ।
ତେବେ କଥା ଉଠୁଛି ପାଠ ପଢ଼ାର ଚାପକୁ ନେଇ। ଏବେ ବେସରକାରୀ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକରେ ଏଲ୍କେଜି ଓ ୟୁକେଜି ପିଲାମାନଙ୍କୁ ପରିବେଶ ବିଜ୍ଞାନ ପଢ଼ାଯାଉଛି। ପୁଣି ଭଲ ନମ୍ବର ନ ରଖିଲେ ବାପା-ମାଆଙ୍କୁ ତାଗିଦ କରାଯାଉଛି।
ତେବେ ପରିବେଶ ବିଷୟରେ ଯେ ପିଲା ଜାଣିବନି ତାହା ନୁହେଁ, କିନ୍ତୁ ସବୁ ପାଠ ଜାଣି ଏହାକୁ ଗ୍ରହଣ କରି ମସ୍ତିଷ୍କରେ ପ୍ରୋସେସିଂ କଲାପରି ବୟସ ତାର ହୋଇନଥାଏ। ମନସ୍ତତ୍ତ୍ୱବିତ୍ କୁହନ୍ତି ଯେ ପିଲାଟି ଛଅ ବର୍ଷର ହେଲେ ଯାଇ ମାନସିକ ସ୍ତରରେ କୌଣସି କଥା ବିଶ୍ଲେଷଣ କରିବାର କ୍ଷମତା ଆସେ। ସେଥିପାଇଁ ବର୍ତ୍ତମାନ ସରକାର ପ୍ରଥମ ଶ୍ରେଣୀରେ ପଢ଼ିବାର ବୟସକୁ ସର୍ବନିମ୍ନ ୬ ବର୍ଷ ହେବା ବାଧ୍ୟତାମୂଳକ କରିଛନ୍ତି।
କିଛି ଦିନ ତଳେ ଦ୍ୱିତୀୟ ଶ୍ରେଣୀ ଛୁଆମାନଙ୍କର ସ୍କୁଲ୍ ବ୍ୟାଗ୍ର ଓଜନକୁ ନେଇ ବିତ୍ତର୍କ ହୋଇଥିଲା ଓ ଦିଲ୍ଲୀ ହାଇକୋର୍ଟ ଏହାକୁ ନେଇ କିଛି ବାରଣ କରିଥିଲେ। ତେବେ ତାହାର କିଛି ପ୍ରଭାବ ତ ପଡ଼ିଲା ପରି ଲାଗୁନି। ଓଲଟା ଦିନକୁ ଦିନ ପିଲାଙ୍କ ପାଠ ଭାର ବଢ଼ି ଚାଲିଛି।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ଲେ ସ୍କୁଲ ଯିବା ପରେ ଛୁଆର ଆଲୋଚନାତ୍ମକ ଦକ୍ଷତା, ପାରସ୍ପରିକ କଥାବାର୍ତ୍ତା ହେବାର ଦକ୍ଷତା, ବିଭିନ୍ନ ଖେଳ ପ୍ରତି ଆଗ୍ରହ ଓ ସାଙ୍ଗସାଥୀ ବନାଇବା ଆଦି ଗୁଣ ବିକାଶ ହେବ। ହେଲେ ପାଠର ଚାପ ପଡ଼ିଗଲେ ତାହା ପ୍ରତିକୂଳ ପ୍ରଭାବ ପକାଇବ ଏବଂ ପାଠପଢ଼ା ପ୍ରତି ଏକ ଡର ସୃଷ୍ଟି କରିବ।
ଏହା ଛଡ଼ା ଆଉ କାହା ଛୁଆ ଦୁଇ ବର୍ଷରୁ ସ୍କୁଲ୍ ଗଲା ମାନେ ଆମ ଛୁଆ ବି ଯିବ, ଏହି ମନୋଭାବ ରଖି ବାପା ମାଆମାନେ ପିଲାକୁ ଜବରଦସ୍ତ ସ୍କୁଲ୍ ପଠାନ୍ତି ଓ ପିଲାର ଶୈଶବର ଯେଉଁ କୋମଳପଣ ତାହା ଏଥିରେ ହିଁ ନଷ୍ଟ ହୋଇଯାଏ।
ପିଲାମାନଙ୍କୁ ଘରେ ମାଆବାପାମାନେ ମଧ୍ୟ ଅନେକ କଥା ଶିଖାଇପାରିବେ। ସ୍କୁଲ ଯିବା ଆଗରୁ ଅକ୍ଷର ଶିଖିବା, ଗୀତ ବୋଲିବା, ପ୍ରାର୍ଥନା କରିବା, ବ୍ୟବହାରିକ ଶିକ୍ଷା ଆଦି ନିଜ ପରିବାର ବ୍ୟତୀତ ଆଉ କୌଣସି ଜାଗାରେ ଭଲରେ ଛୁଆ ଶିଖିପାରିବ ନାହିଁ। ଏଣୁ ଛୁଆକୁ ସର୍ବନିମ୍ନ ୬ ବର୍ଷ ହେବା ଆଗରୁ ଆନୁଷ୍ଠାନିକ ବା ଫର୍ମାଲ୍ ସ୍କୁଲକୁ ପଠାଇବା ଠିକ ନୁହେଁ।
ଆପଣମାନେ ବିଭିନ୍ନ ଏକାଡେମୀକୁ ଛାଡ଼ିପାରନ୍ତି, ଯେଉଁଠି ପିଲାମାନଙ୍କ ବିଭିନ୍ନ ଆକ୍ଟିଭିଟି ହୋଇଥାଏ। ସେଠାରେ ପିଲାମାନଙ୍କର ପାଠ ପଢ଼ିବା ଛଡ଼ା ଅନ୍ୟ ପ୍ରତିଭାର ପରିଚୟ ହୋଇଥାଏ। ନିଜର ଖାଲି ସମୟରେ ତାକୁ ଘରେ ବିଭିନ୍ନ ମହାପୁରୁଷ ତଥା ପୌରାଣିକ ଚରିତ୍ରମାନଙ୍କ ବିଷୟରେ କାହାଣୀ ଶୁଣାନ୍ତୁ ଯାହା ଦ୍ୱାରା ସେ ସେଗୁଡ଼ିକ ମନେରଖିବ।
ଏହି ସମୟରେ ପିଲାମାନେ ଖୁବ ଶୀଘ୍ର ଅନ୍ୟକୁ ଅନୁସରଣ କରନ୍ତି। ଏଣୁ ସେମାନଙ୍କ ଆଗରେ ଏପରି କିଛି କାର୍ଯ୍ୟକଳାପ କରନ୍ତୁ ଯାହା ସେମାନଙ୍କ ପାଇଁ ଭଲ। ସେମାନଙ୍କୁ ସର୍ବଦା ଟିଭି କିମ୍ୱା ମୋବାଇଲ୍ରେ ବ୍ୟସ୍ତ ନ ରଖି କିଛି କାମରେ ଲଗାନ୍ତୁ, ଯେପରିକି, ସାଙ୍ଗ ହୋଇ ବଗିଟାରେ ପାଣି ଦେବା, ଗଛ ଲଗେଇବାରେ ସାହାଯ୍ୟ କରିବା, ରୋଷେଇ ବେଳେ ଛୋଟ ଛୋଟ ପରିବା ଆଦି ଆଣିବା, ଖାଇବା ବେଳେ ପାଣି ବୋତଲ ଆଦି ନେଇ ରଖିବା, ଘରକୁ ଅତିଥି ଆସିଲେ ତାଙ୍କୁ ନମସ୍କାର କରିବା ଆଦି ବିଭିନ୍ନ କାର୍ଯ୍ୟକଳାପ ତାକୁ ନିତିଦିନିଆ ଚଳଣିରେ ଅନେକ କଥା ଶିଖିବାକୁ ସାହାଯ୍ୟ କରେ।
ଏହି ସବୁ କାମ କଲାବେଳେ ମଧ୍ୟ ଆମେ ତାଙ୍କୁ ଗପ ଓ ଗୀତ ଆଦି ଶୁଣେଇବା ଯାହା ଦ୍ୱାରା ସେମାନେ ଖୁସି ହେବେ ଓ ବୋର୍ ହେବେ ନାହିଁ। ଆଜିକାଲି ବଜାରରେ ଅନେକ ପ୍ରକାର ଆକ୍ଟିଭିଟି ସମ୍ପର୍କିତ ଖେଳଣା ମିଳିଲାଣି। ସେସବୁକୁ ପିଲାକୁ ଦେଇ ତା’ ସହ ଖେଳିବାକୁ ବସିଲେ ସେ ଖୁବ୍ ସହଜରେ ଅକ୍ଷର ଶିଖିପାରିବ।
ଅଧିକ ପଢ଼ନ୍ତୁ: ମଧୁମେହ ଥିବା ଗର୍ଭବତୀ ମହିଳାଙ୍କ ଖାଦ୍ୟାଭ୍ୟାସ କିପରି ହେବା ଉଚିତ
ସବୁ ପିଲାର ଭବିଷ୍ୟତ ପାଇଁ ବାପା-ମାଆ ବ୍ୟସ୍ତ ଥାଆନ୍ତି। ତେଣୁ ସେମାନେ ଯେତେସମ୍ଭବ ଛୁଆକୁ ଭଲଭାବେ ବଢ଼ାଇବାକୁ ଚେଷ୍ଟାକରନ୍ତି। ହେଲେ ପାଠ ପଢ଼ା ତା’ର ଜୀବନର ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରୁ ଗୋଟିଏ, ସେଥିପାଇଁ ବିଲ୍କୁଲ୍ ସମ୍ବେଦନଶୀଳ ହୁଅନ୍ତୁ ନାହିଁ।
ଅନ୍ୟପକ୍ଷରେ ଆଉ କାହା ସହ ନିଜ ପିଲାକୁ ତୁଳନା ନ କରି ପିଲାର ସୃଜନଶୀଳ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ନିଜ ପିଲାର ସାମର୍ଥ୍ୟ ଅନୁସାରେ ତାକୁ ଅନେକ କଥା ଶିଖାଇ ଏତେ କମ୍ ବୟସରୁ ସ୍କୁଲ ଛାଡ଼ିବା ବନ୍ଦ କରନ୍ତୁ। ଏହା ହୋଇପାରିଲେ ପିଲାର ସର୍ବାଙ୍ଗୀନ ଉନ୍ନତି ହେବ।
ଇମେଲ୍ - jmohapatra13@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)