Advertisment

Nutrients: ମାନସିକ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣ କରେ କେଉଁ ଖାଦ୍ୟ ?

ଆମେ ଅତି ଆଧୁନିକ ଢାଞ୍ଚାର ଜୀବନଶୈଳୀ ପାଇଁ ପରିଶ୍ରମ କରୁଛେ, କିନ୍ତୁ ବିକଳ୍ପ ଭାବେ ଦେଖିଲେ ଆମକୁ ମାନସିକ ଅବସାଦ ମାଡ଼ି ବସୁଛି। ଆଧୁନିକ ମନସ୍କତାର ଚଳଣିରୁ ଆମ ପିଲାମାନେ ମଧ୍ୟ ଅଟିଜିମ୍ ପରି ମାନସିକ ବ୍ୟାଧିରେ ପିଡ଼ିତ ହେଉଛନ୍ତି। ତେବେ ମନକୁ ସୁସ୍ଥ ରଖିବାରେ କ’ଣ ଆମେ ଗ୍ରହଣ କରୁଥିବା ଖାଦ୍ୟର କିଛି ଭୂମିକା ରହିଛି…

author-image
Jyotsna Mohapatra
ଅଦ୍ୟତନ ହୋଇଛି
Good Food For Mental Health Reddit

What foods control mental health

ଆଗକାଳରେ ଆମେମାନେ ଯୌଥ ପରିବାରରେ ବଢ଼ୁଥିଲେ, ମହିଳାମାନଙ୍କ ଉପରେ କୌଣସି କାମର ଚାପ ନ ଥିଲା, ପୁରୁଷମାନେ ଯାହା ରୋଜଗାର କରୁଥିଲେ ତାହା ଖାଇ ପୁଣି ବଳୁଥିଲା। ରୋଜଗାର କମ୍ ପଡ଼ିଲେ ମଧ୍ୟ ନିଜର ଜମିଚାଷରୁ ଆବଶ୍ୟକ ପରିମାମର ଖାଇବା ଜଣେ ଆଦାୟ କରିପାରୁଥିଲା।

Advertisment

ମଣିଷ ନିଜ ପରିବାରରେ ମନ କଥା ବାଣ୍ଟିପାରୁଥିଲା ଯାହା ତାକୁ ମାନସିକ ଭାବେ ଦୁର୍ବଳ କରୁ ନ ଥିଲା। ସମାଜ ବଦଳିବା ସଂଗେ ସଂଗେ ଆମର ଆବଶ୍ୟକତା ବଢ଼ିଲା ଓ ରୋଜଗାରର ପରିଧି ମଧ୍ୟ ବୃଦ୍ଧି ପାଇଲା। ଏବେ ସମାଜ ଏତେ ଆଗକୁ ଯାଇଛି ଯେ ପୁଅଟିଏ ପରି ଝିଅଟିଏ ମଧ୍ୟ ସ୍ୱାବଲମ୍ୱୀ ହେବା ଜରୁରୀ ହୋଇପଡ଼ିଛି। ଏଣୁ ଆମର ଦାୟିତ୍ୱ ବଢ଼ିଯାଉଛି।

ଆମେ ଅତି ଆଧୁନିକ ଢାଞ୍ଚାର ଜୀବନଶୈଳୀ ପାଇଁ ପରିଶ୍ରମ କରୁଛେ, କିନ୍ତୁ ବିକଳ୍ପ ଭାବେ ଦେଖିଲେ ଆମକୁ ମାନସିକ ଅବସାଦ ମାଡ଼ି ବସୁଛି। ଏବେ ଶାରୀରିକ ରୋଗର କାରଣ ହେଉଛି ଏହି ମାନସିକ ଅବସାଦ ବା ବିଭିନ୍ନ ମାନସିକ ଚିନ୍ତା। ନିଦ ଠିକ୍‌ରେ ନ ହେବା, ଅନେକ କଥା ମନେ ନ ରହିବା ଆଦି ସମସ୍ୟା ପ୍ରାୟ ଦେଖାଗଲାଣି।

Advertisment

ଅଧିକ ପଢ଼ନ୍ତୁ: ଏହି ୫ ମିଠା ଫଳ ସୁଗାର ଲେବଲ୍‌କୁ ନିୟନ୍ତ୍ରଣ କରିବ

ଆମେରିକା ପରି ଭାରତରେ ମଧ୍ୟ ମନସ୍ତତ୍ତ୍ୱ ବିଭାଗରେ ଏବେ ଡାକ୍ତର ଓ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଆମର ଆଧୁନିକ ମନସ୍କତାର ଚଳଣିରୁ ଆମ ପିଲାମାନେ ମଧ୍ୟ ଅଟିଜିମ୍ ପରି ମାନସିକ ବ୍ୟାଧିରେ ପିଡ଼ିତ ହେଉଛନ୍ତି।

ସ୍ୱାସ୍ଥ୍ୟ କହିଲେ ଶୀରୀରିକ ଭାବେ ସୁସ୍ଥତା ନୁହେଁ, ବରଂ ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଦିଗରେ ସଚେତନ ହେବାକୁ ବୁଝାଏ। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଉତ୍ତମ ସ୍ୱାସ୍ଥ୍ୟର ସଂଜ୍ଞା। ଏଣୁ ଏକ ସ୍ୱାସ୍ଥ୍ୟକର ଜୀବନଯାପନ ପାଇଁ କେବଳ ଶରୀର ନୁହେଁ, ମନର ମଧ୍ୟ ଆବଶ୍ୟକତା ରହିଛି। ତେବେ ମନକୁ ସୁସ୍ଥ ରଖିବାରେ କ’ଣ ଆମେ ଗ୍ରହଣ କରୁଥିବା ଖାଦ୍ୟର କିଛି ଭୂମିକା ରହିଛି… ଆଜି ଆମେ ତାହା ଆଲୋଚନା କରିବା।

ସାଧାରଣରେ ଦେଖାଯାଉଥିବା କେତେକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ହେଲା ନିଦ୍ରାହୀନତା, ଆନେରକ୍ସିଆ(ଭୋକ ନ ଲାଗିବା), ଡିମେନ୍‌ସିଆ ବା ସ୍ମୃତି ହ୍ରାସ, ଡିପ୍ରେସନ୍ ବା ଅବସାଦ ଇତ୍ୟାଦି। କାଉନ୍‌ସେଲିଂ ଆଦି କରି ମନକୁ ଏକ ସୁସ୍ଥ ସ୍ତରକୁ ଆଣିବାକୁ ଚେଷ୍ଟାକରିବା ସହିତ କେତେକ ଖାଦ୍ୟଶୈଳୀ ଅନୁସରଣ କଲେ ଆମେ ଏହିପରି କିଛି ସମସ୍ୟାକୁ ଏଡ଼ାଇଦେଇ ପାରିବା।

ଆପଣ ଭାବୁଥିବେ, ଖାଦ୍ୟ ଖାଇଲେ ସିନା ଶରୀର ସୁସ୍ଥ ରହିବ, ମନକୁ କେମିତି ଖାଦ୍ୟ ସୁସ୍ଥ ରଖିବ। ଆପଣ ନିଜେ ଭାବିଲେ, ଯେବେ ଆପଣ ଚିକେନ୍ ବା ମଟନ୍ ଆଦି ସହ ଅଧିକ ଭାତ ଖାଇଦେଇଥାନ୍ତି, ଆପଣ କେମିତି ଅଳସୁଆ ଅନୁଭବ କରନ୍ତି। ହେଲେ ଯେବେ କୌଣସି ମନ୍ଦିର ପ୍ରସାଦ କିମ୍ୱା ଫଳ ଓ ପନିପରିବା ଆଦି ଖାଇଥାନ୍ତି କିପରି ଆକ୍ଟିଭ୍ ଅନୁଭବ କରନ୍ତି।

ତେବେ ଶରୀରରେ ହେଉଥିବା ମାନସିକ ପରିବର୍ତ୍ତନର କାରଣ ହରମୋନ୍ ଓ ମସ୍ତିଷ୍କରୁ ତିଆରି ହେଉଥିବା ବିଭିନ୍ନ ନ୍ୟୁରୋଟ୍ରାନ୍ସମିଟର। ଆମେ ଠିକ୍ ଖାଦ୍ୟ ଖାଇବା ଦ୍ୱାରା ଆମକୁ ଠିକ ଖାଦ୍ୟସାର ମିଳେ, ଯାହା ଏହି କ୍ଷରଣକୁ ନିୟନ୍ତ୍ରଣରେ କରେ ଓ ଆମ ମନକୁ ସୁସ୍ଥ ରଖେ। ଓମେଗା ୩ ପ୍ୟାଟି ଏସିଡ୍, ଲୌହ, ମ୍ୟାଗ୍ନେସିୟମ୍, ଜିଙ୍କ୍, ଭିଟାମିନ୍ ବି ଜାତୀୟ ଖାଦ୍ୟ, ଭିଟାମିନ୍ ଏ ଓ ଭିଟାମିନ୍ ସି ଆଦି ପୋଷକ ତତ୍ତ୍ୱ ମାନସିକ ସ୍ୱାସ୍ଥ୍ୟ ସହିତ ଜଡିତ।

ଆମର ଗଟ୍ ବା ଖାଦ୍ୟନଳୀ ଠିକ୍ ରହିଲେ ଆମର ପାଚନ ଠିକ୍ ରୂପେ ହେବ ଓ ସମସ୍ତ ଶାରୀରିକ କ୍ରିୟା ଠିକ୍ ଚାଲିବ। ସେଥିପାଇଁ ଆମ ଖାଦ୍ୟ ପାଚନ ତନ୍ତ୍ରକୁ ଦ୍ୱିତୀୟ ମସ୍ତିଷ୍କ କୁହାଯାଏ। ଏହି ଖାଦ୍ୟନଳୀର ଭଲ ସ୍ୱାସ୍ଥ୍ୟ ପାଇଁ ଆମେ ପ୍ରି-ବାୟୋଟିକଯୁକ୍ତ ଖାଦ୍ୟ ଖାଇବା ଜରୁରୀ, ଯାହା ଖାଦ୍ୟ ହଜମ ଠିକ୍ କରାଇ ଡିପ୍ରେସନରୁ ରକ୍ଷା କରେ।

ପ୍ରି-ବାୟୋଟିକ୍ ଥିବା କେତେକ ଖାଦ୍ୟ ହେଲା, ଖଡ଼ା ଶାଗ, ଦହି, ରସୁଣ, ପିଆଜ, ଘୋଳଦହି, ଓଟ୍‌ସ, ବାର୍ଲି, କଦଳୀ, ସେଓ ଆଦି। ଏହା ଖାଇବା ଦ୍ୱାରା ମସ୍ତିଷ୍କକୁ ଅମ୍ଲଜାନ ଚଳାଚଳ ନିୟନ୍ତ୍ରିତ ହୁଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଉଚ୍ଚ ପରିମାଣର ଫାଇବର ଖାଇବା ଦ୍ୱାରା ଷ୍ଟ୍ରେସ୍ ଓ ଚିଡ଼ଚିଡ଼ାପଣ କମ ହୋଇଥାଏ। କେତେକ ହୋଲ୍ ଗ୍ରେନ୍ ବା ଗୋଟା ଶସ୍ୟ ଯେପପରି ଓଟ୍‌ସ, ଉଷୁନାଭାତ ଆଦି ଖାଇଲେ ଆମର ଟ୍ରିପ୍ଟୋଫାନ୍ ଗ୍ରହଣ କ୍ଷମତା ବଢ଼େ ଓ ଏହା ଆମକୁ କ୍ଲାନ୍ତ ହେବାରୁ ନିବୃତ୍ତ କରି ଆମକୁ ଫୂର୍ତ୍ତି ରଖେ।

ଏହାଛଡ଼ା ଏଥିରେ ଶର୍କରା କମ୍ ଥିବାରୁ ଏହା ଆମକୁ ଉଚ୍ଚ ରକ୍ତଚାପ ପରି ରୋଗରୁ ରକ୍ଷା କରେ ଓ ମାନସିକ ଭାବେ ସୁସ୍ଥ ରଖେ। ବିଭିନ୍ନ ପ୍ରକାର ଶାଗ ଖାଇବା ଦ୍ୱାରା ନିଦ ନ ଆସିବା ବା ଇନ୍‌ସୋମନିଆ ପରି ବ୍ୟାଧି ଦେଖାଯାଏ ନାହିଁ। ପାଳଙ୍ଗରେ ଥିବା ଆଇରନ୍ ଓ ଅନ୍ୟ ଗାଢ଼ ସବୁଜ ରଙ୍ଗର ଶାଗରେ ଥିବା ମ୍ୟାଗ୍ନେସିୟମ୍ ଓ ଅନ୍ୟ ପୋଷକ ଆମକୁ ଡିମେନ୍‌ସିଆ ବା ସ୍ମୃତିଶକ୍ତି ହ୍ରାସରୁ ମଧ୍ୟ ବଞ୍ଚାଏ।

ଅଧିକ ପଢ଼ନ୍ତୁ: ରୋଷେଇ ଘରର ଏହି ୨ଟି ଜିନିଷ ବ୍ୟବହାର କରି କମେଇଦିଅନ୍ତୁ କୋଲେଷ୍ଟ୍ରଲ୍ ସ୍ତର

କାଜୁ, ଅଲ୍‌ମଣ୍ଡ୍‌, ୱାଲ୍‌ନଟ୍, ରାଶି ମଞ୍ଜି ଆଦି ନଟ୍‌ସ ଓ ମଞ୍ଜିଜାତୀୟ ଖାଦ୍ୟରେ ପ୍ରଚୁର ପରିମାଣରେ ଓମେଗା ୩ ଫ୍ୟାଟି ଏସିଡ୍ ରହିଥାଏ ଯାହାକୁ ଖାଇବା ଦ୍ୱାରା ଆମର ମସ୍ତିଷ୍କକୁ ଅଧିକ କାର୍ଯ୍ୟକ୍ଷମ ରଖେ। ଅଲ୍‌ମଣ୍ଡ୍‌ ପରି ନଟ୍‌ସରେ ଫିନାଇଲାନାଇନ୍ ଥାଏ ଯାହା ମସ୍ତିଷ୍କରେ ନ୍ୟୁରୋଟ୍ରାନ୍ସମିଟର ବା ସ୍ନାୟୁ ବାର୍ତ୍ତା ବାହକ କୋଷ ତିଆରିରେ କାର୍ଯ୍ୟ କରେ ଏବଂ ପାର୍କିନ୍‌ସନସ୍ ଡିସିସ୍‌ର ଲକ୍ଷଣ କମ୍ କରିବାରେ ସାହାଯ୍ୟ କରେ।

ଟମୋଟୋରେ ଲାଇକୋପିନ୍ ନାମକ ଏକ ଉଦ୍ଭିଜଜାତ ପୋଷକ ଥାଏ ଯାହା ଆଲ୍‌ଝାଇମରସ୍ ଡିଜିଜ୍‌ରେ ନଷ୍ଟ ହେଉଥିବା କୋଷଗୁଡ଼ିକ ଜଲ୍‌ଦି ପୁନର୍ଗଠନରେ ସାହାଯ୍ୟ କରେ।

ଗର୍ଭବତୀ ମା’ମାନଙ୍କୁ ଆବଶ୍ୟକ ପରିମାଣରେ ଆଇରନ୍, କ୍ୟାଲ’ସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ସି ଓ ଏ ଦିଆଯାଇଥିଲେ ପରବର୍ତ୍ତୀ ସମୟରେ ଛୁଆକୁ ଅଟିଜିନ୍ ହେବାର ସମ୍ଭାବନା କମିଯାଇଥାଏ। ଏଣୁ ଗର୍ଭାବସ୍ଥାରେ ମଧ୍ୟ ମାଆର ମାନସିକ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପୋଷକ ଖାଦ୍ୟ ଦେବା ଅତ୍ୟନ୍ତ ଜରୁରୀ। ନିୟମିତ ଏହି ସବୁ ଖାଦ୍ୟ ସହ ଅଳ୍ପ ଶାରୀରିକ ବ୍ୟାୟାମ ମନକୁ ଫୂର୍ତ୍ତି ରଖିବ।

କେବଳ ଖାଦ୍ୟର ପ୍ରକାର ଛାଡ଼ିଦେଲେ ଖାଦ୍ୟ ଖାଇବା ଓ ବନେଇବାର ଅଭ୍ୟାସ ମଧ୍ୟ ଆମ ମାନସିକ ସ୍ଥିତିରେ ପ୍ରଭାବ ପକାଏ। ଖାଦ୍ୟ ଖାଇବା ବେଳେ ଖୁସି ମନରେ ଖାଇବା, ଖୁସି ମନରେ ଖାଦ୍ୟ ବନେଇବା, ସମସ୍ତଙ୍କ ସହ ବସି ଖାଇବା ଆଦି କେତୋଟି ଦିଗ ପ୍ରତି ଆମର ଦୃଷ୍ଟି ଦେବା ଜରୁରୀ, ଯାହା ଖାଦ୍ୟନଳୀରେ ଖାଦ୍ୟର ଗତିକୁ ସରଳ କରିବ ଓ ଏହା ମାନସିକଭାବେ ଆମକୁ ଶାନ୍ତି ରଖିବ।

ଆପଣ ଭାବି ଦେଖନ୍ତୁ, କୌଣସି ହୋଟେଲ କି ରେଷ୍ଟୁରାଣ୍ଟରେ ଖାଇବା ବେଳେ ପ୍ରଥମେ ଆମେ ଦେଖୁ ସେମାନେ କିପରି ସଫା ପରିବେଶରେ ଖାଦ୍ୟ ପ୍ରସ୍ତୁତ କରନ୍ତି। ନ ହେଲେ ଆମେ ଖାଇବା ପସନ୍ଦ କରି ନ ଥାଉ। ଆମ ଘରେ ଖାଦ୍ୟ ରାନ୍ଧିବା ପୂର୍ବରୁ ଆମେ ରୋଷେଇଘର ସଫା କରୁ।

ଆମେ ଭାରତୀୟମାନଙ୍କର ଖାଦ୍ୟ ଆମର ଜୀବନଶୈଳୀ ସହ ଜଡ଼ିତ। ତେଣୁ ଖାଦ୍ୟକୁ ଆମର ଶରୀର ବଞ୍ଚିବାର ମାଧ୍ୟମ ଭାବେ ନ ଦେଖି ଏକ ମାନସିକ ଓ ଶାରିରୀକ ସୁସ୍ଥତାର ପଥ ଭାବେ ଗ୍ରହଣ କଲେ ଆମେ ମାନସିକଭାବେ ସୁସ୍ଥ ରହିବା।

ଇମେଲ୍ - [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Mental Health Nutrients Health Tips Food For Healthy Life
Advertisment
Advertisment