Advertisment

Nutrients: ଡାଇବେଟିସ୍‌ରେ ରାମବାଣ ପରି କାମ କରେ ମିଲେଟ୍

ଦିନେ ପ୍ରତି ଘରେ ପରିଚିତ ଥିବା ମିଲେଟ୍ ବା ମାଣ୍ଡିଆକୁ ଆମେ ସହଜରେ ଭୁଲିଯାଇଛେ। ସିମେଇ, ଚାଉମିନ୍, ବର୍ଗର, ମୋମୋ ଆଦିକୁ ଆପଣେଇ ନେଇଛେ। ମିଲେଟ୍ ଗୁଣବତ୍ତା, ଔଷଧୀୟ ଗୁଣ ସବୁ କିପରି ଆମ ପାଇଁ ଉପଯୋଗୀ ତାହା ଏବେ ଏବେ ଆମ ନଜରକୁ ଆସିଛି। ଆସନ୍ତୁ ଜାଣିବା।

author-image
Jyotsna Mohapatra
ଅଦ୍ୟତନ ହୋଇଛି
Millets turn panacea for diabetics

Millet works like a panacea in diabetes

ଆମ ଜେଜେମା-ଜେଜେବାପା, ଆଇ-ଅଜା ଓ ସେମାନଙ୍କ ବୟସର ଲୋକମାନେ ଦୈନନ୍ଦିନ ଖାଦ୍ୟରେ ମିଲେଟ୍‌(ମାଣ୍ଡିଆ ଆଦି)କୁ ଏକ ସାଧାରଣ ତଥା ସହଜରେ ମିଳିପାରୁଥିବା ଶସ୍ୟ ହିସାବରେ ବ୍ୟବହାର କରୁଥିଲେ। ସେମାନଙ୍କୁ ପଚାରିଲେ କୁହନ୍ତି ଯେ ସେମାନେ ନିତି ମାଣ୍ଡିଆ ଖାଉଥିଲେ। ଏହା ସହିତ ସୁଆଁ ଖିରି ଓ ଖେଚୁଡ଼ି ବି ଖାଉଥିଲେ।

Advertisment

ହେଲେ ଏବେ ଆମେ ମିଲେଟ୍ ବା ଶ୍ରୀଅନ୍ନକୁ ଧିରେ ଧିରେ ଆମ ଖାଦ୍ୟାଭ୍ୟାସରୁ କାଢ଼ି ଦେଇ ସିମେଇ, ଚାଉମିନ୍, ବର୍ଗର, ମୋମୋ ଆଦି ଖାଇବାରେ ଅଭ୍ୟସ୍ତ ହେଲୁଣି। ଏବେ ସହରରେ ମିଲେଟ୍‌କୁ ଏକ ବିଳାସପୂର୍ଣ୍ଣ ଖାଦ୍ୟ ଭାବେ ବ୍ୟବହାର କରାଯାଉଛି। ଅନେକ ରେଷ୍ଟୁରାଣ୍ଟରେ ମିଲେଟ୍‌ରୁ ଅନେକ ପ୍ରକାର ଖାଦ୍ୟ ତିଆରି କରି ଅତି ଉଚ୍ଚ ଦରରେ ପରଷାଯାଉଛି।

ଅଧିକ ପଢ଼ନ୍ତୁ: ଡାଇବେଟିସ ରୋଗୀ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ସମସ୍ୟା

ହେଲେ ଆପଣ କେବେ ଭାବିଛନ୍ତି କି, ଏତେ ସହଜରେ ଆମ ପାଖରେ ମିଳିପାରୁଥିବା ଓ ସହଜରେ ରନ୍ଧା ଯାଇପାରୁଥିବା ମାଣ୍ଡିଆକୁ ଆମେ ଏତେ ସହଜରେ କିପରି ଭୁଲିଯାଇଛେ। ଏହାର ଗୁଣବତ୍ତା, ଔଷଧୀୟ ଗୁଣ ସବୁ କିପରି ଆମ ପାଇଁ ଉପଯୋଗୀ ତାହା ଏବେ ଏବେ ଆମ ନଜରକୁ ଆସିଛି।

Advertisment

ମିଲେଟ୍ ପ୍ରତି ସଚେତନତା ସୃଷ୍ଟି କରିବାକୁ ଜାତିସଂଘ ୨୦୨୩କୁ ‘ମିଲେଟ୍ ବର୍ଷ’ ଭାବେ ଘୋଷଣା କରିଛି। ଧିରେ ଧିରେ ପୁଣି ଆମ ପୂର୍ବ ଖାଦ୍ୟାଭ୍ୟାସ ଫେରେଇ ଆଣିବାକୁ ଗୁରୁତ୍ତ୍ୱ ଦିଆଯାଉଛି। ଆମର ପାରମ୍ପାରିକ ଖାଦ୍ୟ ମିଲେଟ୍‌କୁ ବିଭିନ୍ନ ଉପାୟରେ ଆଧୁନିକ ଢଙ୍ଗରେ ପ୍ରସ୍ତୁତ କରି ଯୁବପିଢ଼ିଙ୍କ ପାଇଁ ଆକର୍ଷଣୀୟ ବନାଯାଉଛି। ତେବେ ଆସନ୍ତୁ ଆଜି ଆମେ ମାଣ୍ଡିଆର ଡାଇବେଟିସ୍ ପାଇଁ ଉପାଦେୟତା ବିଷୟରେ ଜାଣିନେବା।

ଡାଇବେଟିସ୍‌ କ’ଣ:

ବର୍ତ୍ତମାନ ଡାଇବେଟିସ୍ ଏକ ସାଧାରଣ ବ୍ୟାଧି ହୋଇଗଲାଣି। ଏହା ଏକ ଜୀବନଶୈଳୀଜନିତ ବ୍ୟାଧି, ଯାହାକୁ ଆମେ ମେଡିକାଲ ଭାଷାରେ ଲାଇଫ୍‌ଷ୍ଟାଇଲ୍ ଡିସ୍‌ଅର୍ଡ଼ର୍ ବୋଲି କହୁ। ଅର୍ଥାତ୍ ଆମ ଜୀବନଶୈଳୀରେ କିଛି ଅନିୟମିତତା ଯୋଗୁଁ ଆମ ଶରୀରର ଉପାଦାନଗୁଡ଼ିକରେ ମଧ୍ୟ ଅନିୟମିତତା ଦେଖାଯାଏ। ଆମେ ଦରକାରଠାରୁ ଅଧିକ ଗ୍ଲାଇସେମିକ୍ ଇଣ୍ଡେକ୍ସ ବା ଶର୍କରା ସୂଚକାଙ୍କ ଥିବା ଖାଦ୍ୟ ଖାଇଲେ ଆମର ରକ୍ତରେ ଶର୍କରା ବଢିଯାଏ। ତେବେ ଆମେ ଏହି ଖାଦ୍ୟ କାହିଁକି ଖାଉଛେ, କିପରି ଖାଇବା ନାହିଁ, କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟ ଯେପରି ମାଣ୍ଡିଆ ଖାଇବା ଦ୍ୱାରା କିପରି ଡାଇବେଟିସ୍ ନିୟନ୍ତ୍ରଣରେ ରୁହେ, ତାହା ଜାଣିବା।

ଗ୍ଲାଇସେମିକ୍ ଇଣ୍ଡେକ୍ସ କ’ଣ:

ଗ୍ଲାଇସେମିକ୍ ଇଣ୍ଡେକ୍ସ(ଜିଆଇ) ଅର୍ଥାତ୍ ଖାଦ୍ୟରେ ଶ୍ୱେତସାର ଓ ଶର୍କରା ବା ଗ୍ଲୁକୋଜ୍‌ର ପରିମାଣ ସୂଚାଉଥିବା ଏକ ସୂଚକାଙ୍କ କୁ ବୁଝାଏ। ସାଧାରଣତଃ ଅରୁଆ ଭାତ, ମିଠା ଖାଦ୍ୟ, ଚିନି, ମୂଳଜାତୀୟ ପରିବା, ଅନ୍ୟ ଶ୍ୱେତସାର ରହିଥିବା ଖାଦ୍ୟରେ ଏହା ଅଧିକ ଥାଏ। ଏଣୁ ଏହା ନିୟମିତ ଖାଇବା ଦ୍ୱାରା ଆମର ରକ୍ତ ଶର୍କରା ବଢ଼ିଥାଏ। କିନ୍ତୁ ଏହା ବଦଳରେ ଯଦି ଆମେ କମ୍ ଜିଆଇ ଥିବା ଖାଦ୍ୟ ଖାଇବା ତେବେ ଆମ ଶର୍କରା ବୃଦ୍ଧି ନିୟନ୍ତ୍ରଣରେ ରୁହେ।

ଯେପରିକି ମାଣ୍ଡିଆ ବା ଫିଙ୍ଗର୍ ମିଲେଟ୍, ଯହ୍ନା ବା ସୋରଗମ୍, ସୁଆଁ ବା ଲିଟିଲ୍ ମିଲେଟ୍, କୁଡୋ ମିଲେଟ୍, କାଙ୍ଗୁ ବା ଫକ୍ସଟେଲ୍ ମିଲେଟ୍, ବିଲ ସୁଆଁ ଆଦି କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଓ ଅନେକ ପୋଷଣରେ ଭରା। ଆମ ପାଇଁ ୫୫ରୁ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଖାଦ୍ୟ କମ୍ ଜିଆଇ ଓ ସବୁଠୁ ଉପଯୁକ୍ତ ହୋଇଥିବା ବେଳେ ୫୫ରୁ ୬୫ ଜିଆଇ ଥିଲେ ଏହା ମଧ୍ୟମ ଜିଆଇ ଏବଂ ଏହା ମଧ୍ୟ ଶର୍କରାକୁ ନିୟନ୍ତ୍ରଣରେ ରଖେ। ୭୦ରୁ ଅଧିକ ଜିଆଇ ଥିବା ଖାଦ୍ୟ ଖାଇଲେ ଆମର ଡାଇବେଟିସ୍ ହେବାର ଆଶଂକା ଥାଏ।

ଦେଖନ୍ତୁ ଭିଡିଓ | ଡାଇବେଟିସ୍‌ ହେଲେ ଶରୀରରେ ପ୍ରଥମେ କେଉଁ ଲକ୍ଷଣ ଦେଖାଯାଏ?

ତେବେ ଯଦି ଆବଶ୍ୟକ ପରିମାଣର ବ୍ୟାୟାମ ଓ ଶାରୀରିକ ପରିଶ୍ରମ କରୁଥିବେ ତେବେ ଶର୍କରା ବଢ଼ିବାର ଆଶଂକା କମିଯାଇଥାଏ। ଉପରୋକ୍ତ ମିଲେଟ୍ ମଧ୍ୟରୁ କୋଡୋ ମିଲେଟ୍ ଓ ବିଲ ସୁଆଁର ଜିଆଇ ମୂଲ୍ୟ ୫୫ରୁ କମ୍ ଥିବାବେଳେ ମାଣ୍ଡିଆରେ ସାଧାରଣତଃ ୫୪ରୁ ୬୮ ରହିଥାଏ।

ଏହା ଆପଣ କିପରି ଖାଉଛନ୍ତି ତାହା ମଧ୍ୟ ଜିଆଇ ମୂଲ୍ୟକୁ ପରିବର୍ତ୍ତନ କରେ। ଯେପରିକି ମାଣ୍ଡିଆ ଗୋଟା ଖାଇଲେ ଏହାର ଜିଆଇ କମ୍ ରୁହେ କିନ୍ତୁ ଏହାକୁ ପ୍ରକ୍ରିୟାକରଣ କରି ଖାଇବା ଦ୍ୱାରା ସେମିତି କିଛି ପ୍ରଭାବ ପଡ଼େ ନାହିଁ। ତେଣୁ ଏହା ମଧ୍ୟମ ଜିଆଇ ରେଞ୍ଜ୍ ଅନ୍ତର୍ଗତ। ଏହା ଛଡ଼ା ଅନ୍ୟ ମିଲେଟ୍‌ଗୁଡ଼ିକ ମଧ୍ୟମ ଜିଆଇରେ ଆସିବେ।

ଫାଇବରରେ ଭରପୂର:

ଡାଇବେଟିସ୍ ପାଇଁ ମିଲେଟ୍ ଉପାଦେୟତାର ଅନ୍ୟ ଏକ କାରଣ ହେଲା ଏହା ସବୁ ଫାଇବରରେ ଭରପୂର। ଫାଇବର୍ ବା ତନ୍ତୁଜାଚୀୟ ଖାଦ୍ୟ ଖାଇବା ଦ୍ୱାରା ଶ୍ୱେତସାର ଓ ଶର୍କରା ଆମ ରକ୍ତରେ ନିୟନ୍ତ୍ରଣରେ ରୁହେ। ସମସ୍ତ ପ୍ରକାର ମିଲେଟ୍ ଫାଇବର୍ ଓ ପ୍ରୋଟିନ୍‌ରେ ଭରପୂର ଥାଏ ଯାହା ଡାଇବେଟିସ୍ ଥିବା ବ୍ୟକ୍ତିଙ୍କ ପାଇଁ ଉପଯୋଗୀ। ଏହା ସହ ମିଲେଟ୍ ଗ୍ଲୁଟେନ୍ ମୁକ୍ତ ଅଟେ। ଗ୍ଲୁଟେନ୍ ହେଉଛି ଏକ ପ୍ରକାର ପ୍ରୋଟିନ୍ ଯାହା ଶାରୀରିକ ପ୍ରକ୍ରିୟା କ୍ରମରେ ୟୁରିକ୍ ଏସିଡ୍ ଉତ୍ପନ୍ନ କରେ।

ଡାଇବେଟିସ୍ ପାଇଁ ରାମବାଣ:

ଶରୀରରେ ଏହାର ପରିମାଣ ବଢ଼ିଲେ ଏହା ଗଣ୍ଠିମାନଙ୍କରେ ଜମିରହି ଅସହ୍ୟ ଯନ୍ତ୍ରଣା ଦିଏ। ଏହାକୁ ଗାଉଟ୍ କୁହାଯାଏ। ଏହା ଡାଇବେଟିସ୍ ଥିବା ବ୍ୟକ୍ତିମାନଙ୍କର କିଡ୍‌ନିକୁ ପ୍ରଭାବିତ କରେ। ଏଣୁ ମିଲେଟ୍ ଖାଇବା ଦ୍ୱାରା ଏହି ସମସ୍ୟା ମଧ୍ୟ ଦୂର ହୁଏ। ମିଲେଟ୍ ପ୍ରୋଟିନ୍‌ରେ ମଧ୍ୟ ଭରପୂର ଯାହା ଡାଇବେଟିସ୍ ପାଇଁ ଅତି ଜରୁରୀ। ଉଚ୍ଚ ପ୍ରୋଟିନ୍ ଓ ଫାଇବର ଥିବାରୁ ମିଲେଟ୍‌କୁ ଡାଇବେଟିସ୍ ଥିବା ବ୍ୟକ୍ତିଙ୍କ ପାଇଁ ନିହାତି ସେବନ କରିବା ଆବଶ୍ୟକ।

କିପରି ଖାଇବେ:

ତେବେ କେତେଜଣ ପଚାରିବେ ଏ ସବୁକୁ ସବୁଦିନ ଖିରି କରି କି ଖେଚୁଡ଼ି କରି କିଏ ଖାଇବ। ଏଥିପାଇଁ ଆଜିକାଲି ଅନେକ ପ୍ରକାର ଆଧୁନିକ ଖାଦ୍ୟର ରେସିପି ମଧ୍ୟ ଉପଲବ୍ଧ ଅଛି। ମିଲେଟ୍ ଉପରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଅନେକ ଭିଡ଼ିଓ ଅପଲୋଡ୍ କରୁଛନ୍ତି। ଆପଣ ବି ଘରେ ମିଲେଟ୍‌ର ଅଟାରୁ ପିଠା, ମିଲେଟ୍ ସିମେଇ, ମିଲେଟ‌୍‌କୁ ଅଳ୍ପ ଗୁଣ୍ଡ କରି ଉପମା(ଦଲିଆ ପରି) ଆଦି କରିପାରିବେ।

ଏବେ ତ ମିଲେଟ୍ କେକ୍ ଓ ପ୍ୟାଷ୍ଟ୍ରି ଆଦି ମଧ୍ୟ ଉପଲବ୍ଧ। ହେଲେ ସେସବୁ ଡାଇବେଟିସ୍ ପାଇଁ ଉପଯୋଗୀ ନୁହେଁ। ସବୁବେଳେ ଚେଷ୍ଟା କରିବେ ଯେପରି ମିଲେଟ୍‌କୁ ସରଳ ଭାବେ ରାନ୍ଧି ଖାଇବେ। ଅଧିକ ପ୍ରକ୍ରିୟାକରଣ ହେଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ।

ସହଜରେ ବଜାରରେ ମିଲେଟ୍ ଉପଲବ୍ଧ ହେଉଥିବା ବେଳେ ଆମେ ସମସ୍ତେ ଏହାକୁ ନିୟମିତ ଖାଇବା ଦ୍ୱାରା ଅନେକ ଶାରିରୀକ ସମସ୍ୟାର ସହଜରେ ସମାଧାନ ହୋଇପାରିବ। ଏଣୁ ଡାଇବେଟିସ୍ ଥିବା ଲୋକେ ନିୟମିତ ରୂପରେ ମିଲେଟ୍ ଯେପରି ମାଣ୍ଡିଆ, ସୁଆଁ, କାଙ୍ଗୁ ଆଦିକୁ ନିଜର ଖାଦ୍ୟରେ ସାମିଲ କରିବା ଉଚିତ୍।

ଇମେଲ୍ - [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Health Tips Daibetes Millers
Advertisment
Advertisment