/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739020243.jpg)
Excess Protein
ସାଧାରଣତଃ ସନ୍ତୁଳିତ ଆହାର ସେବନ ପାଇଁ ଆମେ ସମସ୍ତେ ଯତ୍ନବାନ୍ ହୋଇଥାଉ ଏବଂ ପୁଷ୍ଟିବିତ୍ମାନେ ମଧ୍ୟ ଯଥେଷ୍ଟ ପୁଷ୍ଟିସାର, ଭିଟାମିନ୍ ଓ ଅନ୍ୟ ଖାଦ୍ୟସାର ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି। ହେଲେ ଆପଣ ଜାଣନ୍ତି କି, ଆମର ଶରୀରର ଆବଶ୍ୟକତା ଅନୁସାରେ ହିଁ ଆମକୁ ଯେକୌଣସି ଖାଦ୍ୟସାର ସେବନ କରିବା ଆବଶ୍ୟକ। ତେବେ ବର୍ତ୍ତମାନ ଯୁବପୀଢ଼ିଙ୍କ ଭିତରେ ଓଜନ ସନ୍ତୁଳନ ରଖିବାର ପ୍ରୟାସ ଯୋଗୁଁ ଅଧିକ ପ୍ରୋଟିନ୍ ବା ପୁଷ୍ଟିସାର ଓ ଫାଇବର୍ ଯୁକ୍ତ ଖାଦ୍ୟ ଖାଇବାର ଆଗ୍ରହ ଦେଖିବାକୁ ମିଳୁଛି। ଜିମ୍ ଯିବା, ଅନ୍ୟାନ୍ୟ ବ୍ୟାୟାମ କରିବା ଆଦି ଶାରୀରିକ କାର୍ଯ୍ୟକ୍ରମ ପରେ ଅତିରିକ୍ତ ସପ୍ଲିମେଣ୍ଟ ବା ପ୍ରୋଟିନ୍ ପାଉଡର୍ ନେବା ଯୁବପୀଢ଼ିଙ୍କ ମଧ୍ୟରେ ଦେଖାଯାଉଛି। ତେବେ ଅତ୍ୟଧିକ ପ୍ରୋଟିନ୍ ପାଉଡର୍ ସେବନର ଅନେକ ଖରାପ ପ୍ରଭାବ ମଧ୍ୟ ରହିଛି। ମାତ୍ରାଧିକ ଶାରୀରିକ କ୍ରିୟା ସହ ଅଧିକ ପ୍ରୋଟିନ୍ ସେବନ କିପରି ପ୍ରାଣଘାତୀ ହୋଇପାରେ ଆଜି ଆସନ୍ତୁ ସେହି ବିଷୟରେ ଜାଣିବା।
ଆପଣମାନେ ଜାଣନ୍ତି ଯେ, ଶାରୀରିକଭାବେ ନିଜକୁ ଫିଟ୍ ରଖିବା ପାଇଁ ମାଂସପେଶୀୟ ବିକାଶ ଆବଶ୍ୟକ ଏବଂ ସେଥିପାଇଁ ଜିମ୍ ଯାଉଥିବା ପିଲାମାନେ ପ୍ରୋଟିନ୍ ପାଉଡର୍ ନେଇଥାନ୍ତି। ଏହା ସାଧରଣତଃ ହ୍ୱେ ପ୍ରୋଟିନ୍ ହୋଇଥାଏ। ତେବେ ଯଦି ଶରୀରରେ ପ୍ରୋଟିନ୍ ଠିକ୍ରେ ଉପଯୋଗ ନ ହୁଏ ତେବେ ଏହା ଫ୍ୟାଟ୍ରେ ରୂପାନ୍ତରିତ ହୋଇଯାଏ ଏବଂ ଶରୀରରେ ଜମି ରହେ। ଏଣୁ ଏହା ଓଜମ କମ୍ କରିବା ପରିବର୍ତ୍ତେ ଓଜନ ବଢ଼ାଇଦିଏ।
ବେଳେବେଳେ ଆପଣଙ୍କ ପାଟିରୁ ଖରାପ ଦୁର୍ଗନ୍ଧ ଆସିବା ଆରମ୍ଭ ହୁଏ। ଏହା ଶରୀରରେ ଅତ୍ୟଧିକ ପ୍ରୋଟିନ୍ ଉପଲବ୍ଧ ହେବା ହେତୁ କିଟୋସିସ୍ ନାମକ ଏକ ରାସାୟନିକ କ୍ରିୟା ଚାଲେ ଯାହା ଏପରି ଗନ୍ଧ ପାଇଁ ଦାୟୀ। ତେବେ ଏଥିରୁ ରକ୍ଷା ପାଇବାକୁ ଆପଣ ନିୟମିତ ବ୍ରଶ୍ କରିବା ଉଚିତ୍।
ଶ୍ୱେତସାରର ଶୋଷଣକୁ ଶରୀରରେ ବାଧା ଦେଉଥିବା ପ୍ରୋଟିନ୍ ଅତ୍ୟଧିକ ସେବନ ଫଳରେ ଫାଇବର୍ ଅଂଶ କମ୍ ହୋଇଯାଏ ଯାହା ଫଳରେ କନଷ୍ଟିପେସନ୍ ଓ ଇରିଟେବଲ୍ ବାଓଲ୍ ସିଣ୍ଡ୍ରୋମ୍ ପରି ସମସ୍ୟା ଦେଖାଯାଏ। ବେଳେ ବେଳେ ଏହା ଡାଇରିଆର ବି କାରଣ ହୋଇଥାଏ।
ଆପଣଙ୍କ ଶରୀରରେ ଯେତେ ପ୍ରୋଟିନ୍ ବଢ଼ିବ ସେତେ ଜଳୀୟ ଅଂଶ ଆବଶ୍ୟକ ହେବ। କାରଣ ପ୍ରୋଟିନ୍ର ମୁଖ୍ୟ ଉପାଦାନ ଆମିନୋଏସିଡ୍ରେ ନାଇଟ୍ରୋଜେନ୍ ବା ଯବକ୍ଷାରଜାନ ଯାଏ ଯାହା ବାରମ୍ବାର ଜଳୀୟ ଅଂଶ ସହ ନିଷ୍କାସିତ ହୋଇଥାଏ। ଏଣୁ ଆପଣ ଯଦି ଅତ୍ୟଧିକ ପ୍ରୋଟିନ୍ ଖାଉଛନ୍ତି ତେବେ ଉପଯୁକ୍ତ ପରିମାଣର ପାଣି ପିଇବା ନିଶ୍ଚିତ କରନ୍ତୁ। ଏହା ପ୍ରକାରାନ୍ତରେ ଆମ କିଡନୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
ଯଦି ଆପଣ ମଟନ୍, ପରି ରେଡ୍ ମିଟ୍ ଅଧିକ ଖାଉଛନ୍ତି ତେବେ ଏହା ପରବର୍ତ୍ତୀ ସମୟରେ କ୍ୟାନସର କାରଣ ହୋଇପାରେ। କାରଣ ଏସବୁରେ ଥିବା ପ୍ରୋଟିନ୍ର ଏମିନୋ ଏସିଡ୍ କୋଲନ୍ ଓ ରେକ୍ଟମ୍ର ବ୍ୟାକ୍ଟେରିଆଗୁଡ଼ିକୁ ନଷ୍ଟ କରିଦେଇ ଇଣ୍ଟେଷ୍ଟାଇନ୍କୁ କ୍ଷତି କରେ। ଏହା ଆମର ହୃଦରୋଗ ସମସ୍ୟାର କାରଣ ମଧ୍ୟ ହୋଇପାରେ।
ଅଧିକ ପଢ଼ନ୍ତୁ : ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଲେ ହୃଦଘାତ !
ତେବେ ଆପଣ ନିଶ୍ଟୟ ଭାବୁଥିବେ ଆବଶ୍ୟକ ପରିମାଣର ପ୍ରୋଟିନ୍ କେତେ ନେବା ଉଚିତ୍। ଦୈନିକ ଆମ ଶରୀରର ଓଜନ ଅନୁସାରେ 1କେ.ଜି. ଓଜନ ପିଛା 80ମି.ଗ୍ରା-1ଗ୍ରା ପ୍ରୋଟିନ୍ ଖିଆଯିବା ଦରକାର। କିନ୍ତୁ ଯଦି ଆପଣ କୌଣସି ରୋଗରେ ପୀଡ଼ିତ କିମ୍ୱା ହୃଦରୋଗ ଓ କିଡନୀ ରୋଗ ପରି ସମସ୍ୟା ଥାଏ ତେବେ ଏହି ପରିମାଣ ଡାକ୍ତର କିମ୍ୱା ପୁଷ୍ଟିବିତ୍ଙ୍କ ପରାମର୍ଶ ଅନୁସାରେ ନେବା ଉଚିତ୍। ଦୈନିକ କ୍ୟାଲୋରୀ ଆବଶ୍ୟକତାର 20-22 ପ୍ରତିଶତ ପ୍ରୋଟିନ୍ ରହିବା ଆବଶ୍ୟକ। ଥରେ ଆପଣ ଭୋଜନ କରିବା ବେଳେ 20-30 ଗ୍ରାମ ପ୍ରୋଟିନ୍ ଖାଇବା ଆବଶ୍ୟକ। ଉଦାହରଣ ସ୍ୱରୂପ ଜଳଖିଆରେ ଯଦି ଆପଣ ବେସନ ଚକୁଳି ସହ ଦହି ନେଉଛନ୍ତି ତେବେ ଏହା ଦୈନିକ ପ୍ରୋଟିନ୍ର ଏକ ତୃତୀୟାଂଶ ଭରଣା କରିବ।
ତେବେ ଦୈନିକ ପ୍ରୋଟିନ୍ ଆବଶ୍ୟକତା ପୂରଣ ପାଇଁ ଆପଣ ଡାଲିଜାତୀୟ ଖାଦ୍ୟ, ମିଲେଟ୍, ହୋଲ୍ ଗ୍ରେନ୍, ବୁଟ, ମଟର ଆଦିର ଗଜା, ସୋୟାବିନ୍, ଛେନା ଇତ୍ୟାଦି ନିୟମିତ ଖାଇପାରିବେ। ତେବେ ଯଦି ୟୁରିକ୍ ଏସିଡ୍ ବଢ଼ିବା ଓ ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହୁଛି ତେବେ ପୁଷ୍ଟିବିତ୍ଙ୍କ ପରାମର୍ଶରେ ଆପଣ ସୋୟାବିନ୍ ଛେନା ଆଦି ଖାଦ୍ୟରୁ ବାଦ୍ ଦେଇ ପାରିବେ। ସର୍ବଦା ଚେଷ୍ଟା କରନ୍ତୁ ଆପଣ କୌଣସି ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇଲେ ସେଥିରେ ଫାଇବର୍ ମଧ୍ୟ ପ୍ରଚୁର ଥିବ। ତେବେ ଯାଇ ପ୍ରୋଟିନ୍ର ପାଚନରେ ଏହି ଫାଇବର ସହାୟକ ହେବ ଏବଂ ଏହା ଫ୍ୟାଟ୍ରେ ରୂପାନ୍ତର ହୋଇ ରକ୍ତରେ ଜମା ହେବ ନାହିଁ।
ଆମର ସମସ୍ତ ଖାଦ୍ୟସାର ଶରୀର ପାଇଁ ଏକ ସୀମା ପର୍ଯ୍ୟନ୍ତ ଉପଯୋଗୀ ହୋଇଥାଏ। ତେଣୁ କୌଣସି ବି ସପ୍ଲିମେଣ୍ଟ କିମ୍ୱା ଖାଦ୍ୟ ଖାଇବା ପୂର୍ବରୁ ଆପଣଙ୍କ ଡାକ୍ତର ତଥା ପୁଷ୍ଟିବିତ୍ଙ୍କ ସହ ପରାମର୍ଶ କରି ଖାଆନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)