• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା । ଖରିଫ ଚାଷ ସମୟ ଅଧାଅଧି ସରିଲାଣି । କିନ୍ତୁ ଯେତେ ବର୍ଷା ହେବା କଥା ହୋଇନି। ଏହା ଦ୍ୱାରା ଚାଷ ପ୍ରଭାବିତ ହୋଇଛି । ଫସଲ ନଷ୍ଟ ହେବା ଆଶଙ୍କାରେ ଶେଷରେ ହତାଶ ହୋଇ ଗଜପତି ମୋହନାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଅଡ଼ବା ଥାନାର ପଟାଚାଞ୍ଛତା ଗାଂର ଗୌରଚନ୍ଦ୍ର କାର୍ଜି।

ଗୌରଚନ୍ଦ୍ର ସାହୁକାରଠୁ ୨ ଲକ୍ଷ ଟଙ୍କା ଧାର ଆଣିଥିଲେ । ଧାନ ଓ ମକା ଚାଷ କରିଥିଲେ । କମ୍ ବର୍ଷା ଯୋଗୁଁ ବିଲ ଫାଟି ଆଁ କଲାଣି । ମକା ଓ ଧାନ ପୋଡ଼ି ଯିବା ଅବସ୍ଥାରେ । ଏଥିରେ ହତାଶ ହୋଇ ଗୌର ଗତକାଲି କୀଟନାଶକ ପିଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମୋହନା ଓ ପରେ ବ୍ରହ୍ମପୁର ମେଡିକାଲକୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

ତେବେ କହିବାକୁ ଗଲେ ଖରିଫରେ ମୌସୁମୀ ଖେଳୁଛି ଲୁଚକାଳି । ଶ୍ରାବଣରେ ଶୁଖିଲା ପଡ଼ିଛି ଚାଷଜମି । ଅସ୍ୱାଭାବିକ ବୃଷ୍ଟିପାତ ଦେଖି ପ୍ରତ୍ୟେକ ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । କୋରାପୁଟ ମୁଂଜା ଅଞ୍ଚଳର ଚାଷୀ ଭଗବାନ । ଧାର କରଜ କରି ଦେଢ଼ ଏକର ଜମିରେ ଧାନ ଚାଷ କରିବାକୁ ଚିନ୍ତା କରିଛନ୍ତି । ହେଲେ ବର୍ଷା ଅଭାବରୁ ବୁଦ୍ଧି ବଣା ହୋଇଯାଇଛି । ଶୁଖିଲା ପଡ଼ିଛି ଚାଷ ଜମି ।

ସେହିଭଳି ସମାନ ଦଶା ଭୋଗୁଛନ୍ତି ସେହି ମୁଂଜା ଗାଁର ଚାଷୀ ସୀମାଞ୍ଚଳ ସାମନ୍ତରାୟ । ତାଙ୍କ ଜମି ବି ପଡ଼ିଆ ପଡ଼ିଛି, ଶୁଖିଲା ମାଟିରେ ବା କେମିତି ତଳି ରୋଇବେ ତାଙ୍କୁ ଚିନ୍ତା ଘାରିଛି । କେବଳ ଭଗବାନ କିମ୍ବା ସୀମାଞ୍ଚଳ ନୁହଁନ୍ତି, ବୋରିଗୁମ୍ମା ଅଞ୍ଚଳରେ ବର୍ଷା ଅଭାବରୁ ଶହ ଶହ ଚାଷୀ ଦୁର୍ଦ୍ଦଶା ଭୋଗୁଛନ୍ତି । ଏଭଳି ସ୍ଥିତିରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପରୁ କିଛି ଅଞ୍ଚଳକୁ ଜଳସେଚନ ହୋଇପାରୁନଥିବାରୁ ସମସ୍ୟା ଦୁଇଗୁଣ ହୋଇଯାଇଛି ।