• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁନି ବୟସରେ କାନ୍ଦି କାନ୍ଦି କହୁଛି ମୋ ହାତ ଦୁଇଟା ଲଗାଇ ଦିଅ । ମୁଁ ପାଠ ପଢିବି । ସାଙ୍ଗଙ୍କ ସହ ଖେଳିବି । ଆଉ ଏଇ କଥା କହିବା ପରେ ଆଖି ତା’ର ଛଳଛଳ ହୋଇଯାଉଛି । ବୟସ ସିନା କମ୍‌ ହେଲେ କଷ୍ଟ ଏତେ ଅଧିକ ଯେ ନିଜର ଦୁଃଖ କଥା କହିବା ବେଳେ ବୋଲ ମାନୁନି ଲୁହ । ସେ ହେଉଛି ଗଜପତି ମୋହନା ଘାସପଦା ଗାଁର ଅଭିଜିତ୍‌ ନାୟକ । ପଂଚମ ଶ୍ରେଣୀରେ ପାଠ ପଢୁଛି । ବୟସ ବଡ ଜୋରରେ ୧୦ ହେବ । ପିଲାଟି ଦିନରୁ ପାଠ ଓ ଖେଳକୁଦରେ ପ୍ରବଳ ରୁଚି ଥିଲା । ହେଲେ ଦୈବ ଏମିତି ଦୁଃଖ ଅଜାଡି ଦେଲା ଯେ, ଅଭିଜିତ୍‌ର କଷ୍ଟ ଯିଏ ଦେଖୁଛି ସିଏ କହୁଛି ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ।

ଅଧିକ ପଢ଼ନ୍ତୁ: କି ଦୁଃଖ ! ଆଗ ଭେଣ୍ଡିଆ ପୁଅ, ତାପରେ ଝିଅ ଚାଲିଗଲା.. ବାପା ମାଆଙ୍କ କଥା ବୁଝିବ କିଏ ?

ସକାଳ ହେଲେ ସ୍କୁଲ ଯିବା ପାଇଁ ବଡ ତରତର ହୋଇ ବାହାରି ପଡ଼ୁଥିଲା ଅଭିଜିତ୍‌ । ଆଉ ସ୍କୁଲରେ ପହଞ୍ଚିବା ପରେ ଖେଳକୁଦ୍‌ କରୁଥିଲା, ହେଲେ ସେ ଜାଣିନଥିଲା ସେହିଦିନ ତା ଜୀବନରେ ଢାଙ୍କି ହୋଇ ଆସିବ ଦୁଃଖର କଳାବାଦଲ । ସେଦିନ ଥିଲା ଡିସେମ୍ବର ୨୧, ମସିହା ୨୦୨୧। ସାଙ୍ଗ ସହ ଖେଳୁ ଖେଳୁ ସ୍କୁଲ ଛାତ ଉପରେ ପଡିଥିଲା ଟାୟାର । ଆଉ ଟାୟାର ଆଣିବାକୁ ଯାଇ ୧୧ କେଭି ତାରରେ ଲାଗିଯାଇଥିଲା ଅଭିଜିତ୍ର ହାତ । ବାସ୍‌ କଂରେଟ ଲାଗିବା ପରେ ପ୍ରଥମେ ମୋହନା ପରେ କଟକ ମେଡିକାଲରେ ଚିକିତ୍ସା ତ ହେଲା । କିନ୍ତୁ ହାତ ଦୁଇଟି ନଷ୍ଟ ହୋଇଯାଇଥିବା କାରଣରୁ ୨ଟି ହାତକୁ କାଟିବାକୁ ନିଷ୍ପତ୍ତି ନେଇଥିଲେ ଡାକ୍ତର ।

ହାତ କଟିଯିବା ପରେ ବହୁ କଷ୍ଟରେ ସିନା ସ୍କୁଲ ଯାଉଛି ଅଭିଜିତ୍‌ । ହେଲେ ସାଙ୍ଗଙ୍କ ସହ ଖେଳିପାରୁନି କି ବହିବସ୍ତାନୀ କାନ୍ଧରେ ଧରିପାରୁନି । ଯାହା ତାକୁ ବେଶି କଷ୍ଟ ଦେଉଛି । ହେଲେ ଉପାୟ ବି କିଛି ନାହିଁ । ସେହି ଦୃଶ୍ୟ ଦେଖିଲେ ଆପଣ ବି ଜାଣିପାରିବେ କି, ପାଠ ପଢିବା ପାଇଁ ଅଭିଜିତ୍‌ର ମନରେ କେତେ ଇଚ୍ଛା । ସ୍କୁଲ ଯିବା ପାଇଁ ମାଆକୁ ସବୁବେଳେ ତରତର କରୁଛି। ଆଉ ପୁଅର ଖୁସି ପାଇଁ ମାଆ ଝଅଟି ଝଅଟି ଗାଧୋଇ ଦେଉଛି ପୁଣି ଭାତ ଖୁଆଇ ଦେଇ ପୁଅକୁ ସ୍କୁଲରେ ଛାଡିଆସୁଛି । ହେଲେ ପୁଅର କଷ୍ଟ ଦେଖିଲେ ତା ଆଖିରେ ବି ଆସିଯାଉଛି ପାଣି ।

ହାତ ହରାଇବା ପରେ ବି ହାର୍‌ ମାନିନି କୁନି ପୁଅ । ସ୍କୁଲରେ ପ୍ରାର୍ଥନା ବୋଲୁଛି, ପୁଣି ଲେଖା ଲେଖି ବି କରୁଛି । ହେଲେ ବହୁ କଷ୍ଟରେ । ହାତ କଟିଯିବା ପରେ ଦିବ୍ୟାଙ୍ଗ ବାବଦରେ ୫୦୦ ଟଙ୍କା ଭତ୍ତା ମିଳୁଛି ହେଲେ ତାହା ସମୁଦ୍ରଙ୍କୁ ଶଙ୍ଖେ । ଅଭିଜିତ୍‌ଙ୍କ ଏପରି ଅବସ୍ଥା ଦେଖି ସରକାରୀ ସହାୟତା ଦେବା ସହ ପ୍ଲାଷ୍ଟିକ ସର୍ଜରୀ କରି ହାତ ଲଗାଇବାକୁ ଦାବି କରିଛନ୍ତି ଗାଁ ଲୋକେ ।

ସେପଟେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ କହିଛନ୍ତି, ସରକାରଙ୍କ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଅଭିଜିତ୍‌ର ହାତ ଲଗାଯିବ । ତେବେ ସମୟ କହିବ ନିଜ ପ୍ରତିଶ୍ରୁତି କେତେ ଦୂର ରଖୁଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ।