/odishatv-khabar/media/post_attachments/uploadimage/library/16_9/16_9_0/PMAY_1671678040.jpg)
PMAY
କାହା ଘରୁ ମାଟି ଖସିପଡିଲାଣି ତ ଆଉ କାହା ଘରର ପିଢାରୁ ଚାଳ ଛପର ଉଡିଗଲାଣି । ଏମିତିକି ମାଟି କାନ୍ଥ ଲିପା ହେବା ପରେ ବି ଖଣ୍ଡଖଣ୍ଡ ମାଟି ଖସିଲାଣି । ଗୋବର ଦେଇ ଯେତେ ଲିପିଲେ ବି କିଛି ଲାଭ ହେଉନି । ଗାଁର ଜଣେ କି ଦୁଇ ଜଣଙ୍କର ଏମିତି ଅବସ୍ଥା ନୁହେଁ ବରଂ ପୂରା ଗାଁଟା ଯାକର ଅବସ୍ଥା ଏମିତି । ଏହି ଗାଁ ଲୋକଙ୍କ ଦୁଃଖ ଜାଣିଲେ ଆପଣଙ୍କ ଆଖିରୁ ବି ଝରିଆସିବ ଲୁହ । ଆଉ କହିବେ ପ୍ରଶାସନ କଣ କିଛି ଦେଖୁନି ନା ସବୁ ଦେଖି ଆଖି ବୁଜି ଦେଇଛି ?
ଏହି ଗାଁ ହେଉଛି କେନ୍ଦୁଝର ହାଟଡିହି ବ୍ଲକ ଷଡ଼ଙ୍ଗ ପଞ୍ଚାୟତର ମଙ୍ଗରାଜପୁର । ଗାଁ ଆରମ୍ଭରୁ ଶେଷ ଯାଏଁ ସମସ୍ତଙ୍କ ଘରର ଏମିତି ଅବସ୍ଥା । ଏଠିକାର ପ୍ରାୟ ସବୁ ଲୋକ ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି । ଆଉ ସରକାରଙ୍କ ପକ୍ଷରୁ ମିଳୁଥିବା ଟଙ୍କିକିଆ ଚାଉଳ ଉପରେ ମୁଖ୍ୟତଃ ନିର୍ଭର କରନ୍ତି । ବଡ ଦୁଃଖର କଥା ଏଯାଏଁ ଏମାନଙ୍କୁ ମିଳିପାରିଲା ନାହିଁ ସରକାରୀ ଯୋଜନାରେ ଘର ।
ଅଧିକ ପଢ଼ନ୍ତୁ: ରାଜ୍ୟକୁ କେନ୍ଦ୍ରର ଚେତାବନୀ, ଲୋକଙ୍କୁ ଜମି ପଟ୍ଟା ଦିଅ ନହେଲେ ଫେରିଯିବ ଆବାସ
କେନ୍ଦ୍ରଠୁ ରାଜ୍ୟ.. ଯୋଜନା ମାଳମାଳ । ହେଲେ ହିତାଧିକାରୀଙ୍କ ପାଖରେ ତାହା ପହଞ୍ଚୁଛି କି ନାହିଁ ତାହାର ଖବର କାହା ପାଖରେ ନାହିଁ । ଘର ଖଣ୍ଡିଏ ପାଇଁ ଜିଆରଏସ୍ଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି । ହେଲେ ଏମାନଙ୍କ ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆବାସ ଯୋଜନାରେ ଏମାନେ ଆବେଦନ କରିଥିବା ପରେ ବି ସରାକାରୀ ବାବୁଙ୍କ ଚରମ ଅବହେଳା ପାଇଁ ଏମାନେ ପାଉନାହାନ୍ତି ଘର । ଆଉ ଏମିତି ଭଙ୍ଗାଦଦରା ଘରେ କାଟୁଛନ୍ତି ଜୀବନ । ତେବେ ସମୟ କହିବ କେବେ କୁମ୍ଭକର୍ଣ୍ଣ ନିଦରୁ ଉଠୁଛି ପ୍ରଶାସନ ଆଉ କେବେ ଏଇ ଗାଁର ଲୋକଙ୍କୁ ମିଳୁଛି ଘର ।
(ରିପୋର୍ଟ- ମୁନା ସିଂହ, ଆନନ୍ଦପୁର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)