• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭଙ୍ଗା ଦଦରା ଘର । ଦେଖିଲେ ଲାଗିବ କେହି ଜଣେ କୁଡ଼ିଆ ଘରଟିଏ କରି ସେଥିରେ ଆଳି ମାଳି ଜିନିଷ ବା ଜାଳେଣି ରଖୁଛି । କିନ୍ତୁ ନା । ସେଇ ଭଙ୍ଗଦଦରା ଘରେ ରହୁଛନ୍ତି ମଣିଷ । ଦିନେ କି ଓଳିଏ ନୁହେଁ ବର୍ଷ ବର୍ଷ ଧରି ସେହି ଘରେ ରହି ଆସୁଛନ୍ତି ମଣିଷ । ହଠାତ୍‌ ଆମେ ସେହି ଘର ବିଷୟରେ ଆପଣଙ୍କୁ କାହିଁକି କହିଲୁ, ତାହା ଭାବି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ?

ତେବେ ପ୍ରକୃତ ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଭଦ୍ରକ ବାସୁଦେବପୁର ନୂଆଗାଁର ବସନ୍ତ ମଳିକ l ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ ଆଉ ଦୁଇ ଝିଅ l ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ବସନ୍ତ ପର ଘରେ ମୂଲ ଲାଗିବା ସହ ସମୁଦ୍ରରୁ ମାଛ ମାରନ୍ତି । ଆଉ ସେଥିରୁ ଯେତିକି ରୋଜଗାର ହୁଏ ସେତିକିରେ ପରିବାର ଚଳେ । ପୈତୃକ ଘରେ ଭାଇଙ୍କ ସହ ବିବାଦ ହେବାରୁ ଘର ଛାଡି ରାସ୍ତା କଡ଼ରେ କୁଡିଆଟିଏ ନିର୍ମାଣ କରିଥିଲେ । ଦୁଃଖରେ ଚଳୁଥିଲେ । ହେଲେ ୬ ବର୍ଷ ତଳେ ପକ୍ଷଘାତ ବସନ୍ତଙ୍କୁ ଘାଇଲା କରିଦେଲା । ଗୋଡ ଚାଲିଲାନି କି ହାତ ଚାଲିଲାନି । ରୋଜଗାର ବନ୍ଦ ହୋଇଗଲା । ପୂରା ପରିବାର ବେସାହାରା ହୋଇପଡିଲା ।

ବସନ୍ତଙ୍କ ହାତ ଗୋଡ ଅଚଳ ହୋଇପଡିବା ପରେ ଏବେ ବଡ଼ ଦୁଃଖରେ ଦିନ କାଟୁଛନ୍ତି ପରିବାର ଲୋକ । ସ୍ୱାମୀଙ୍କର ଚିକିତ୍ସା ପାଇଁ ପର ଦୁଆରେ ମୂଲ ଲାଗୁଛନ୍ତି ବସନ୍ତଙ୍କ ପତ୍ନୀ । ହେଲେ ସେଥିରୁ ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳାଇବା କଷ୍ଟ । ଆଉ ଏମିତି ପରିସ୍ଥିତିରେ ବସନ୍ତଙ୍କ ସ୍ୱାସ୍ଥ୍ୟକଥା ପଚାରେ କିଏ ? ଚିକିତ୍ସା ଅଭାବରୁ ରୋଗାକ୍ରାନ୍ତ ଦିଶୁଛନ୍ତି ବସନ୍ତ । ଏମିତିକି ସ୍ତ୍ରୀ କିମ୍ବା ପୁଅ-ଝିଅଙ୍କ, ବିନା ସାହାରାରେ କିଛି କରିପାରୁନାହାନ୍ତି ।

ଅଧିକ ପଢ଼ନ୍ତୁ: ଆଉ କେବେ ମିଳିବ ହରମାଉସୀକୁ ସହାୟତା? ଘରର କାନ୍ଥ ଉଠିଲା ହେଲେ ଛାତ ପଡ଼ିପାରିଲାନି..

ବର୍ତ୍ତମାନ ବଡ଼ କଷ୍ଟରେ ଚଳୁଛନ୍ତି ବସନ୍ତଙ୍କ ପରିବାର । ଏପରି ସମୟରେ ସରକାରୀ ସହାୟତା କହିଲେ କେବଳ ରାସନ୍‌ କାର୍ଡରେ ମିଳୁଛି ଚାଉଳ । ତାହା ପୁଣି ପୂରା ପରିବାରକୁ ନୁହେଁ, ମାତ୍ର ତିନିଜଣଙ୍କୁ ହିଁ ମିଳୁଛି l ଦିବ୍ୟାଙ୍ଗ ହେବା ପରେ ବି ଭତ୍ତା ତାଲିକାରେ ତାଙ୍କର ନାଁ ନାହିଁ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।  ତେବେ ବସନ୍ତ ଓ ତାଙ୍କ ପରିବାରର ସମସ୍ୟାକୁ ନେଇ ଆମେ ସ୍ଥାନୀୟ ସରପଞ୍ଚଙ୍କୁ ଭେଟିଥିଲୁ l ଆଉ ସରପଞ୍ଚ ଘଟଣା ସମ୍ପର୍କରେ ଅବଗତ ଥିବା କହିଛନ୍ତି । ବସନ୍ତଙ୍କର ଦିବ୍ୟାଙ୍ଗ ଭତ୍ତା ସହ କେମିତି ସରକାରୀ ସହାୟତାରେ ଘର ପାଇବେ ସେନେଇ ବ୍ୟବସ୍ଥା କରିବେ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ସମୟ କହିବ ବସନ୍ତଙ୍କୁ କେବେ ମିଳୁଛି ସରକାରୀ ସହାୟତା ।

(ରିପୋର୍ଟ- କିରୀଟ ଦାସ, ବାସୁଦେବପୁର)