• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହ୍ୱିଲ ଚେୟାର ପଡିଛି, ଆଉ ସେଥିରେ ତିନିଭଉଣୀ ବସିଛନ୍ତି । ପାଦେ ଚାଲିବା ପାଇଁ ବି ସେମାନେ ସକ୍ଷମ ନୁହନ୍ତି । ମାଆ, ପିଠିରେ ଲାଉ କରି ନେବା ଆଣିବା କରୁଛନ୍ତି । ଏମିତି ଦୃଶ୍ୟ ଦେଖିଲେ ଆପଣଙ୍କୁ କଷ୍ଟ ଲାଗୁଥିବ ନିଶ୍ଚୟ, ହେଲେ ଏମାନଙ୍କ ପାଖରେ ଅନ୍ୟ କିଛି ଉପାୟ ବି ନାହିଁ । ମାଆ ପିଠିରେ ଯଦି ଲାଉ ନହେବେ ତେବେ ବାପା-ମାଆ ଦୁଇ ପଟୁ ଧରିଲେ ହିଁ ଏମାନେ ବାଟ ଚାଲିବେ ।

ନୂଆପଡା ଖଡିଆଳ ମହେଶ୍ୱର ଗାଁର ଉପେନ୍ଦ୍ର ଏବଂ ଅନ୍ନପୂର୍ଣ୍ଣା ବନ୍ଦୀଛୋରଙ୍କ ତିନି ଝିଅ ଗାୟତ୍ରୀ, ଗୌତମୀ ଓ ଚମ୍ପାକଳୀ । ଏହି ତିନି ଭଉଣୀ ପାଠ ପଢାରେ ମେଧାବୀ ଛାତ୍ରୀ ଥିଲେ । ଭଲ ନମ୍ବର ରଖି ମ୍ୟାଟ୍ରିକ୍‌ ବି ପାସ୍‌ କଲେ । ବଡଭଉଣୀ ଗାୟତ୍ରୀ ୨୦୦୮, ମଝିଆ ଭଉଣୀ ୨୦୧୦ରେ ଏବଂ ସାନ ଭଉଣୀ ୨୦୧୨ ମ୍ୟାଟ୍ରିକ୍‌ ପାସ୍‌ କଲେ । କିନ୍ତୁ ଦୁଃଖର କଥା ତିନିଭଉଣୀ ମାଟ୍ରିକ୍‌ ପାସ୍‌ କରିବା ପରେ ହଠାତ୍‌ ଦିବ୍ୟାଙ୍ଗ ହୋଇଗଲେ । ସବୁକିଛି ଠିକ୍‌ ଥିବା ପରେ ବି ହଠାତ୍‌ ତିନି ଭଉଣୀଙ୍କ ଗୋଡ ଆଉ କାମ କଲାନି କି ସେମାନେ ଆଉ ଚାଲି ବୁଲି ପାରିଲେନି ।

ଅଧିକ ପଢ଼ନ୍ତୁ: କି ଦୁଃଖ ! ବୋଝ ପରେ ନଳିତା ବିଡ଼ା; ମେଡିକାଲରେ ସ୍ୱାମୀଙ୍କ ଚିକିତ୍ସା ଚାଲିଛି, ସେପଟେ ପୁଅ ହଜିଗଲାଣି

ଝିଅ ମାନଙ୍କ ପାଠ ପଢ଼ା ଦେଖି ବାପା-ମାଆ ସ୍ୱପ୍ନ ଦେଖୁଥିଲେ କି, ତିନି ଭଉଣୀ ମ୍ୟାଟ୍ରିକ୍‌ ପାସ୍‌ କରିବା ପରେ କଲେଜ୍‌ରେ ପଢିଲେ ଭଲ ଚାକିରି କରିବେ, ପରିବାର ପୋଷିବେ । ହେଲେ ସବୁ ସ୍ୱପ୍ନ ଚୁରମାର ହୋଇଗଲା । ତିନିଭଉଣୀ ଦିବ୍ୟାଙ୍ଗ ହେବା ପରେ ଏବେ ତାଙ୍କରି ସେବାରେ ଦିନ କଟୁଛି ବାପା-ମାଆଙ୍କର ।

ନିତ୍ୟକର୍ମଠୁ ଆରମ୍ଭ କରି ଖାଇବା ପିଇବା ପର୍ଯ୍ୟନ୍ତ ସବୁ କାମ ପାଇଁ ବାପା-ମାଆ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ନିର୍ଭର କରୁଛନ୍ତି ତିନି ଭଉଣୀ । ବଢିଲା ଝିଅମାନଙ୍କ ଚିକିତ୍ସା ପାଇଁ ଘରେ ଯାହା ସମ୍ପତ୍ତି ଥିଲା ସେସବୁକୁ ବିକ୍ରି କରିସାରିଲେଣି ବାପା-ମାଆ, ହେଲେ ଚିକିତ୍ସା ସରୁନି କି ତିନି ଭଉଣୀ ଭଲ ହେଉନାହାନ୍ତି । ଆଉ ଆଖି ଆଗରେ ତିନି ଝିଅଙ୍କ କଷ୍ଟ ଦେଖି ଲୁହ ଗଡାଉଛନ୍ତି ବାପା-ମାଆ ।

ଏଇ ତିନିଭଉଣୀଙ୍କର ପ୍ରଥମେ ଖଡିଆଳ, ପରେ ବୁର୍ଲା ସେଠାରୁ ଉଲଟପୁରରେ ଚିକିତ୍ସା କରାଯାଇଥିଲା । ହେଲେ ଲାଭ ହେଲାନି । ବର୍ତ୍ତମାନ ମେଡିକାଲରେ ରହି ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ହେଲେ ମେଡିକାଲରେ ରହିଲେ ଅନେକ ଟଙ୍କା ଦରକାର । ଆଉ ଘରେ ଥିବା ଅନ୍ୟ ତିନି ଭାଇଭଉଣୀଙ୍କ ଦାୟିତ୍ୱ ସହ ସେମାନଙ୍କ ଖାଇବା ପିଇବାର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ତେଣୁ ସରକାରୀ, କି କୌଣସି ବେସରକାରୀ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଯଦି ସାହାଯ୍ୟ କରନ୍ତେ ତେବେ ତିନି ଭଉଣୀ ଭଲ ହେବା ସହିତ ଏଇ ପରିବାରର ଦୁଃଖ ଯାଆନ୍ତା ବୋଲି କହିଛନ୍ତି ବାପା-ମାଆ ଓ ପରିବାର ଲୋକ ।

ସେପଟେ ଖଡିଆଳ ଉପଖଣ୍ଡ ଚିକିତ୍ସା କେନ୍ଦ୍ରର ଇନଚାର୍ଜ କହିଛନ୍ତି, ସିଡିଏମଓଙ୍କ ସହ ଆଲୋଚନା ପରେ ତିନି ଭଉଣୀଙ୍କର ସବୁ ପ୍ରକାର ଚିକିତ୍ସା କରାଯିବ ।

(ରିପୋର୍ଟ- କୁନା ଚରଣ ବେହେରା, ଖଡିଆଳ)