• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୁଢ଼ି ମାଆକୁ ଯାହା ପଚାରିଲା ବେଳକୁ ରାହା ଧରି କାନ୍ଦୁଛି । ନିଜର ଯନ୍ତ୍ରଣା ଏତେ ଅଧିକ ଯେ ସେ କିଛି କହିବି ପାରୁନି । ପରିଣତ ବୟସରେ ଯେବେ ପର ହୋଇଯାଏ ବୃଦ୍ଧା ମାଆଟି, ସେତେବେଳେ ଏମିତି କାନ୍ଦିବା ଛଡା ତା ପାଖରେ ଉପାୟ ବା କଣ ? ରାସ୍ତା କଡ଼ରେ ଭଙ୍ଗାଦଦରା ଦୋକାନ ଟିଏ ଅଛି, ଆଉ କବାଟ ମେଲାଇ ଦେଖିଲା ବେଳକୁ ବୃଦ୍ଧା ଜଣକ ଅତି ଦୟନୀତ ଅବସ୍ଥାରେ ବସିଛନ୍ତି । ଆଉ ପ୍ରଶ୍ନ କରିବା ମାତ୍ରେ ଭୋ ଭୋ ହୋଇ କାନ୍ଦୁଛନ୍ତି ।

ଏମିତି ଦୃଶ୍ୟ ଯେତିକି ବେଦନା ଦାୟକ ସେତିକି କଷ୍ଟକର ମଧ୍ୟ । ଆଉ ତାଙ୍କ ଦୁଃଖର କଥା ଯଦି ଶୁଣିବେ ଆପଣଙ୍କ ଆଖିରୁ ଧାରଧାର ହୋଇ ବୋହିବ ଲୁହ । ଆପଣ କହିପାରନ୍ତି ତାଙ୍କୁ ନ୍ୟାୟ ଦେବା ପାଇଁ ଆଇନଜୀବୀଙ୍କର ଆମେ ସହାୟତା ନେବା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଜଣେ ମହାନ ଆଇନଜୀବୀଙ୍କ ପାଇଁ ଆଜି ରାସ୍ତା କଡରେ ଏମିତି ବସି କଇଁ କଇଁ କାନ୍ଦୁଛନ୍ତି ସେହି ବୁଢୀ ମାଆ ।

ଏମିତସି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଅଂଚଳରେ । ଆଉ ବୃଦ୍ଧା ଜଣକ ହେଉଛନ୍ତି ଅମରାବତୀ । ବୟସ ୮୦ ଟପିଲାଣି । ବୟସ ଥିବା ବେଳେ କାମଧନ୍ଦା କରି ପେଟ ପୋଷୁଥିଲେ । ହେଲେ ବୟସ ବଢିବା ପରେ ହାତଗୋଡ ଧୀରେ ଧୀରେ ଅଚଳ ହେଲା, ଦେହ ବି ଖରାପ ହେଲା । ଆଉ ସେଇଥିପାଇଁ ତ ଘରୁ ତଡା ଖାଇ ଆଜି ରାସ୍ତାରେ ବସି କାନ୍ଦୁଛି ବୁଢୀ ମାଆ ।

ଚାନ୍ଦବାଲି ଇଚ୍ଛାପୁରର ମଧୁଆ ଦାସ୍‌ । ପରିବାରର ଚଳଣି ସ୍ୱଚ୍ଛଳ । କାହିଁ କେତେ ଦିନରୁ ଏଇ ଅମରାବତୀ ତାଙ୍କ ଘରେ ରହି କାମଧନ୍ଦା କରୁଥିଲେ । ବାସନ ମାଜୁଥିଲେ, ଘର ଓଳାଉଥିଲେ ପୁଣି ପରିବା କଟାଠୁ ରୋଷେଇ ସବୁ କରୁଥିଲେ । ଆଉ ମଧୁଆଙ୍କ ପୁଅ ମିଟୁ ଦାସ ପୁଣି ପେଶାରେ ଜଣେ ଆଇନଜୀବୀ । କାମ କରୁ କରୁ ଅମରାବତୀଙ୍କ ଦେହ ହଠାତ୍‌ ଖରାପ ହେଲା । ଆଉ ଦେହ ଖରାପ ହେବା ପରେ ଡାକ୍ତରଖାନା ନେବାକୁ ଅମରାବତୀ ପରିବାରର ସମସ୍ତଙ୍କୁ କହିଥିଲେ । ହେଲେ ଘର ଲୋକ କହିଥିଲେ ତୋତେ କାହିଁକି ଭଲ କରିବୁ, ତୁ ଘରେ ପଡ଼ିବୁ, ଅସନା କରିବୁ । ଏମିତି କହି କେହି ଶୁଣିନଥିଲେ ବୋଲି ଅମରାବତୀ କହୁଛନ୍ତି ।

୧୦ ଦିନ ପୂର୍ବେ ଅମରାବତୀକୁ ଘରୁ କାଢ଼ିଦେଇଥିଲେ । ଘରୁ ବାହାର କରିଦେବା ପରେ ରାସ୍ତା କଡ଼ରେ ବସି କାନ୍ଦୁଥିଲେ ବୃଦ୍ଧା ଜଣକ । ଆଉ ସେ ଦୃଶ୍ୟ ସ୍ଥାନୀୟ ଯୁବକଙ୍କ ଆଖିରେ ପଡିବା ପରେ ଏକ ଘରେ ତାଙ୍କୁ ରଖିଥିଲେ । ହେଲେ ବୟସାଧିକ କାରଣରୁ ସେ ଏକା କେମିତି ରହିବେ ସେନେଇ ଏବେ ଉଠିଛି ବଡ଼ପ୍ରଶ୍ନ ।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା, ଅମରାବତୀ ସେ ଓକିଲବାବୁଙ୍କ ଘରଠାରୁ ଏବେ ମାତ୍ର ୩ କିମି ଦୂରରେ ରହୁଥିଲେ ବି ପରିବାରର କୌଣସି ସଦସ୍ୟ ତାଙ୍କ ପାଖକୁ ଆସୁ ବି ନାହାନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏଇଟା କଣ ମଣିଷପଣିଆ ? ଏତେ ଦିନ ଧରି ଯାହା ଘରେ ସେ କାମ କଲେ, ବୟସ ଅଧିକ ହେବାରୁ ତାଙ୍କୁ ଘରୁ ତଡିଦେଲେ । ସତରେ ଏ ମଣିଷ କେତେ ନିଷ୍ଠୁର ।

(ରିପୋର୍ଟ- ବାସୁଦେବ ଦାସ, ଚାନ୍ଦବାଲି)