• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ । ଫୁଲ ଓ ଫଳ, ଗଛରେ ସଜେଇ ହୋଇଛି ସ୍କୁଲ ପରିବେଶ। ଏଠାରେ ବିଭିନ୍ନ ପ୍ରକାରର ଫୁଲ ଓ ପନିପରିବା ଗଛ ଲାଗିଛି । ଆଉ ସ୍କୁଲକୁ ଏତେ ସୁନ୍ଦର କରି ଗଢ଼ି ତୋଳିବା ପଛରେ ଅଛନ୍ତି ଜଣେ ଦିଦି । ତାଙ୍କୁ ସମସ୍ତ ମିନତୀ ଦିଦି ବୋଲି ଡାକନ୍ତି। ମିନତୀ ଦିଦିଙ୍କ ସବୁଜ ସଂକଳ୍ପ ପାଇଁ ଆଜି ତାଙ୍କ ସ୍କୁଲ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଛି ।

କଟକ କାନପୁର ଥାନା ଅଧିନରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ସିଆରିଆ ସ୍କୁଲ। ଏଠାରେ ପ୍ରଧାନ ଶିକ୍ଷୟତ୍ରୀ ଅଛନ୍ତି ମିନତୀ ବେହେରା । ସ୍କୁଲରେ ସମୁଦାୟ ୫ଟି ଶ୍ରେଣୀରେ ୯୧ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ୩ଜଣ ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ । ଏହି ବିଦ୍ୟାଳୟ ପରିସରରେ ଗଣେଶ, ସରସ୍ୱତୀ, ବୁଦ୍ଧ, ସୁଭାଷ ବୋଷ ଓ ମଧୁ ବାବୁଙ୍କର ପ୍ରତିମୂର୍ତ୍ତି ରହିଛି । ବିଦ୍ୟାଳୟ ପରିସରରେ ଖେଳ ସାମଗ୍ରୀ ସହ ପାର୍କ ମଧ୍ୟ ରହିଛି, ଯାହା ଛାତ୍ରୀଛାତ୍ରମାନଙ୍କୁ ବେଶ୍‌ ଆକର୍ଷିତ କରୁଛି ।

ଅଧିକ ପଢ଼ନ୍ତୁ: ପର୍ଯ୍ୟଟନସ୍ଥଳୀ ପରି ଲାଗୁଛି ସରକାରୀ ସ୍କୁଲ୍ : ଉତ୍ତମ ପରିବେଶ ସହ କାନ୍ଥବାଡ଼ରେ ଆକର୍ଷଣୀୟ ଚିତ୍ରକଳା

କେବଳ ଏତିକି ନୁହେଁ ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ସ୍କୁଲ ପରସରରେ ଗେଣ୍ଡୁ, ସେବତି, ସୂର୍ଯ୍ୟମୁଖୀ, ଡାଲିଆ, ଗୋଲାପ, କୁଷ୍ଣଚୂଡା ସହ ବିଦେଶୀ ଓ ଅନ୍ୟାନ୍ୟ ପ୍ରଜାତିର ଫୁଲ ଗଛ ସବୁ ଲାଗିଛି । ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ ହେଁ ଏହା ପଛରେ ପ୍ରମୁଖ ହାତ ରହିଛି ମିନତୀ ଦିଦିଙ୍କର ।

କିଚେନ୍ ଗାର୍ଡେନରେ ଫଳିଛି କଦଳୀ ସହ ଅମୃତ ଭଣ୍ଡା, କଖାରୁ, ବାଇଗଣ, ଲେମ୍ବୁ, କଞ୍ଚାଲଙ୍କା ଆଦି ପନିପରିବା । ଏହା କୌଣସି ପାର୍କ, ଫଳ ଓ ଫୁଲ୍ ବଗିଚା ଠାରୁ କମ୍ ନୁହେଁ। ସେହିପରି କାନ୍ଥ ଓ ପାଚେରୀରେ ଲେଖାଯାଇଛି ନୀତି ଶିକ୍ଷା ମନ୍ତ୍ର । ଚିତ୍ରିତ ହୋଇଛି ରାଜ୍ୟ କଳା ଓ ସଂସ୍କୃତିର ଝଲକ । ଅଭିଭାବକ ହେଉ ଅବା କୌଣସି ସରକାରୀ ଅଧିକାରୀ ସ୍କୁଲ ବୁଲି ଆସୁଛନ୍ତି । ସ୍କୁଲର ସୌନ୍ଦର୍ଯ୍ୟକୁ ଖୁବ୍ ମନଭରି ଉପଭୋଗ କରୁଛନ୍ତି । ପିଲାଙ୍କୁ ସ୍କୁଲ୍ ମୁହାଁ କରିବା, ସେମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ବଢ଼ାଇବାକୁ ଏମିତି ପ୍ରୟାସ ଜାରି ରଖିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମିନତୀ ବେହେରା ।

ଯେଉଁ ସ୍କୁଲର ମାଟିରେ ଦିନେ ଗଛ ବଞ୍ଚୁ ନଥିଲା, ସେଠି ଏବେ ସୃଷ୍ଟି ହୋଇଛି ସବୁଜିମା ପରିବେଶ । ସ୍କୁଲ ପ୍ରତି ମିନତୀ ଦିଦିଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ଯୋଗୁ ସେ କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ସୁନ୍ଦର ପରିବେଶ ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ ସ୍କୁଲ ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ପାଇଛି।