• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖଡ଼ିଆଳ(କୁନାଲ ଚରଣ ବେହେରା) : ମନଲୋଭା ଚିତ୍ରକଳା ସହ ଆକର୍ଷଣୀୟ ବୃକ୍ଷ ଲତା। ତା ସାଙ୍ଗକୁ ସ୍ଥାନ ପାଇଛି ଓଡିଶାର କଳା ସ୍ଥାପତ୍ୟ । ଭାରତୀୟ ଗର୍ଵ ଗୌରବର ପ୍ରତୀକ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପ୍ରତିମୂର୍ତ୍ତି ଦେଖିଲେ ଛାତି ଫୁଲି ଉଠୁଛି । କ୍ରୀଡ଼ା, ରାଜନୀତି, ସଂସ୍କୃତି ସହ ଜଡିତ ବ୍ୟକ୍ତି ବିଶେଷଙ୍କ ଫୋଟୋ ଚିତ୍ର ଦେଖିଲେ ଆଖି ଫେରାଇ ହେଉନି, ପୂରା ଜୀବନ୍ତ ପରି ଲାଗୁଛି । ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ସହରବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର । ଉତ୍ତମ ପରିବେଶ ସହ କାନ୍ଥବାଡର ଆକର୍ଷଣୀୟ ଜୀବନ୍ତ ଚିତ୍ରକଳା ଛାତ୍ରଛାତ୍ରୀଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି । ଅବିଭାବକ, ଛାତ୍ରଛାତ୍ରୀ ତଥା ସହରବାସୀଙ୍କୁ ଏକ ପର୍ଯ୍ୟଟନ କ୍ଷେତ୍ର ଭଳି ଭ୍ରମସୃଷ୍ଟି କରୁଛି ଏହି ବିଦ୍ୟାଳୟ । ବିଦ୍ୟାଳୟକୁ ମନଭରି ଦେଖିବାପାଇଁ ଏବେ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖାଦେଇଛି ।

ଖଡ଼ିଆଳ ସହରରେ ରହିଛି ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ । ଜିଲ୍ଲା ସଦର ମହକୁମା ଠାରୁ ଏହାର ଦୂରତା ୭୦ କିଲୋମିଟର। ଅତୀତରେ ଏହି ବିଦ୍ୟାଳୟ ଅନେକ ଖ୍ୟାତି ଅର୍ଜନ କରିଛି । କାନ୍ଥବାଡରେ ଜୀବନ୍ତ ଚିତ୍ରକଳା ଶୋଭା ବଢାଉଛି । ଗ୍ରାମୀଣ ଖେଳକୁଦ, ଅତ୍ୟାଧୁନିକ ବିଜ୍ଞାନଗାର,ପାଠ୍ୟପୁସ୍ତକର ଚିତ୍ର ଛାତ୍ରଛାତ୍ରୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତାସହ ମହାମାରୀ କୋଭିଡ ,ରକ୍ତଦାନ, ସ୍ୱଚ୍ଛ ଭାରତ ଭଳି ଏକାଧିକ ସଚେତନତା ବାର୍ତ୍ତା ପିଲାଙ୍କ ମନରେ ସଚେତନ ସୃଷ୍ଟି କରୁଛି ।

୧୯/୧୦/ ୧୯୪୩ ମସିହାରେ ସ୍ଥାପିତ ହୋଇଥିଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ । ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ବିଭିନ୍ନ ଉଚ୍ଚ ପଦପଦବୀର ରହିଛନ୍ତି । ଯାହାପାଇଁ ବିଦ୍ୟାଳୟ ପାଇଁ ବେଶ ଖ୍ୟାତି ଅର୍ଜନ କରିଛି । ବିଦ୍ୟାଳୟରେ ବର୍ତ୍ତମାନ ୩୬୬ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ରାଜ୍ୟ ସରକାରଙ୍କ 5T ଯୋଜନାରେ ବିଦ୍ୟାଳୟ ସାମିଲ ହୋଇଛି । ଯାହାକୁ ନେଇ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ପ୍ରତି ବେଶ ଗୁରୁତ୍ୱ ଦେଉଛନ୍ତି ପ୍ରଧାନ ଶିକ୍ଷକ ।

ବିଦ୍ୟାଳୟରେ ୪ଗୋଟି ସ୍ମାର୍ଟ କ୍ଳାସ ରୁମ ରହିଛି । ଯେଉଁଥିରେ ଅତ୍ୟାଧୁନିକ ଟେକ୍ନୋଲୋଜିରେ ପିଲାଏ ପାଠ ପଢୁଛନ୍ତି । ବିଦ୍ୟାଳୟରେ ଅତ୍ୟାଧୁନିକ ବିଜ୍ଞାନଗାର, ଗ୍ରନ୍ଥାଗାର ରହିଥିବା ବେଳେ ଇଣ୍ଡୋର ଗେମ,ଟେବୁଲ ଟେନିସ, କ୍ରିକେଟ, ଫୁଟବଲ, କେରମ ଆଦି ଖେଳ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମାନସିକ ଶାରୀରିକ ବିକାଶ କରାଯାଉଛି ବୋଲି ଶିକ୍ଷକ କହନ୍ତି ।

ସ୍ମାର୍ଟ କ୍ଲାସ କେବଳ ନବମ ଓ ଦଶମ ଶ୍ରେଣୀ ପାଇଁ ବ୍ୟବସ୍ଥା ହୋଇଛି। ଏହି ଦୁଇ ଶ୍ରେଣୀରେ ୨୯୫ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଚାରିଟି ସ୍ମାର୍ଟ କ୍ଲାସ ଅଛି।ପ୍ରତି ସ୍ମାର୍ଟ କ୍ଲାସ ରେ ,୪୫ଜଣ ପଢିପାରିବେ ଏଣୁ ଆହୁରି ଦୁଇ ରୁ ତିନିଟି ସ୍ମାର୍ଟ କ୍ଲାସ ଦରକାର ପଡୁଛି । ସ୍କୁଲରେ ୧୩ ଜଣ ଶିକ୍ଷକ ଥିବା ବେଳେ ଆହୁରି କେତେଜଣ ଶିକ୍ଷକ ନିଯୁକ୍ତି ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି।ଏବେ ବିଦ୍ୟାଳୟ ସ୍ମାର୍ଟ ହୋଇଥିବା ବେଳେ ଏହାର ଶୋଭା ବଢ଼ାଉଛି ସୁନ୍ଦର ବୃକ୍ଷଲତା ଓ ଫୁଲ ବଗିଚା ।

ଏହାର ରକ୍ଷଣାବେକ୍ଷଣ ପାଇଁ ଜଣେ ମାଳି ନିଯୁକ୍ତିର ଆବଶ୍ୟକତା ରହିଛି।ଅନ୍ୟ ପକ୍ଷରେ ଏହି ବିଦ୍ୟାଳୟ ପରିଦର୍ଶନରେ ଆସି ରାଜ୍ୟ ଗଣଶିକ୍ଷା ଓ ବିଦ୍ୟାଳୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସନ୍ତୋଷ ପ୍ରକାଶ କରିବା ସହ କିଛି ବର୍ଷ ମଧ୍ୟରେ ରାଜ୍ୟର ସବୁ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଥିବା କହିଛନ୍ତି।