• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଉଳିଗଲା ଆଶା, ଭାଙ୍ଗିଗଲା ସ୍ୱପ୍ନ । ଦୀର୍ଘ ବର୍ଷ ଧରି ଜାରି ରହିଥିବା ଆନ୍ଦୋଳନ ସତ୍ତ୍ୱେ ହାଇକୋର୍ଟ ବେଞ୍ଚ ଦାବିକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ । ଆନ୍ଦୋଳନରୁ ଓହରିବା ପାଇଁ ପ୍ରଥମେ ଚେତାବନୀ ଶୁଣାଇଥିଲେ ସର୍ବୋଚ୍ଚ କୋର୍ଟ, ଲାଇସେନ୍ସ ସସ୍‌ପେଣ୍ଡ ସହ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ଆଜି ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଗଠନ ଦାବିକୁ ସଫା ସଫା ମନା କରିଦେବା ସହ ଓକିଲ ଆନ୍ଦୋଳନ ବିରୋଧରେ କଡ଼ା ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ ଏସ୍.କେ କୌଲ ଏବଂ ଜଷ୍ଟିସ ଅଭୟ ଏସ୍.ଓକାଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି, ଭୌଗୋଳିକ ସ୍ଥିତିକୁ ଦେଖିଲେ ଓଡ଼ିଶା ରେ ହାଇକୋର୍ଟର କୌଣସି ବେଞ୍ଚର ଆବଶ୍ୟକତା ହିଁ ନାହିଁ । ଯଦିବା ଯାହା କିଛି ଆଶା ଥିଲା, ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଏବଂ ଆଚରଣ ଯୋଗୁ ସମ୍ପୂର୍ଣ୍ଣ ମଉଳିଗଲା ବୋଲି କହିଛନ୍ତି ଖଣ୍ଡପୀଠ । ତାସହ ଘଟଣାରେ ଓକିଲ ସଂଘଠାରୁ ବିସ୍ତୃତ ରିଜୋଲ୍ୟୁସନ ମାଗିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ଆଶା ଏବେ ଧୂଳିସାତ ହୋଇଯାଇଛି ।

କେବଳ ଏତିକି ନୁହେଁ, ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଓକିଲମାନେ ଆନ୍ଦୋଳନ କରିବା, ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଆଦି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିବା ସୁପ୍ରିମକୋର୍ଟ, ଡିଜିପି ଓ ଉତ୍ତରାଞ୍ଚଳ ଆଇଜିଙ୍କୁ ଭର୍ତ୍ସନା କରିଛନ୍ତି । ଆଜି ଭର୍ଚୁଆଲ୍‌ରେ ହାଜର ହୋଇଥିଲେ ଡିଜିପି ଓ ଆଇଜି । ୧୫ ପ୍ଲାଟୁନ ଫୋର୍ସ ସତ୍ତ୍ୱେ ଏଭଳି କାହିଁକି ଘଟଣା ଘଟିଲା ବୋଲି ପଚାରିବା ସହ ବର୍ଷିଥିଲେ ସର୍ବୋଚ୍ଚ କୋର୍ଟ । ତୁମେ ଏଭଳି ନିୟନ୍ତ୍ରଣ କରୁଛ କି ବୋଲି ପଚାରିଲେ ସୁପ୍ରିମକୋର୍ଟ । ଯଦି ପାରୁନ, ତେବେ ଆମେ ପାରାମିଲିଟାରୀ ଫୋର୍ସ ନେବୁ । ଏହା ପୋଲିସର ଚରମ ବିଫଳତା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶାନ୍ତି ଶୃଙ୍ଖଳାର ସହ କୋର୍ଟ କାର୍ଯ୍ୟ ଚାଲିବା ଜରୁରୀ ବୋଲି କୋର୍ଟ ତାଗିଦ୍ କରିଛନ୍ତି ।

ପୂର୍ବ ଧାର୍ଯ୍ୟ ମୂତାବକ ଆଜି ୧୧ଟା ୪୫ ମିନିଟ୍‌ରେ ଆରମ୍ଭ ହୋଇଥିଲା ଶୁଣାଣି। ପ୍ରାୟ ଦେଢ଼ଘଣ୍ଟା ଧରି ଭର୍ଚୁଆଲ୍‌ରେ ଚାଲିଥିଲା ଶୁଣାଣି ପ୍ରକ୍ରିୟା । ଏଥିରେ ଓଡ଼ିଶା ଡିଜିପି ସୁନୀଲ ବଂଶଲ, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଓଡ଼ିଶା ଏଜି ଅଶୋକ ପରିଜା, ବାର୍ କାଉନ୍‌ସିଲ୍ ଅଫ ଇଣ୍ଡିଆ ଏବଂ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଆଇନଜୀବୀ ଉପସ୍ଥିିତ ଥିଲେ । ଏହି ସମୟରେ ସରଗରମ ହୋଇଥିଲା ଜବାବ ସୁଆଲ୍ । ଜଣ ଜଣ କରି ସମସ୍ତ ପକ୍ଷଙ୍କୁ ପଚାରିଥିଲେ ଜଷ୍ଟିସ୍ ଏସ୍.କେ କୌଲ ଏବଂ ଜଷ୍ଟିସ ଅଭୟ ଏସ୍.ଓକା । ବାର କାଉନ୍ସିଲ୍ ଅଫ୍ ଇଣ୍ଡିଆ(BCI) ପକ୍ଷରୁ କୁହାଯାଇଥିଲା ଆଇନଜୀବୀଙ୍କୁ ନିଲମ୍ବିତ କରାଯାଇଛି ଓ କେତେ ଜଣଙ୍କୁ ଗିରଫ କରାଯାଇଛି । 

ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଓକିଲ କହିଥିଲେ, ମୁଖ୍ୟ ସମସ୍ୟା ହେଉଛି, ୫ଟି ବାର୍ ଆସୋସିଏସନ୍ ୫ଟି ଭିନ୍ନ ଭିନ୍ନ ବେଞ୍ଚ ପାଇଁ ଦାବି କରୁଛନ୍ତି, ଯାହାକି ସମ୍ପୂର୍ଣ୍ଣ ଅସମ୍ଭବ । ଆମର ପରାମର୍ଶ ହେଲା ବର୍ତ୍ତମାନର ଇଲେକ୍ଟ୍ରୋନିସ୍ ଯୁଗରେ ଗୋଟିଏ କମିଶନ ଗଠନ କରାଯାଉ ଯାହା କି ବେଞ୍ଚ ପ୍ରତିଷ୍ଠା ଦିଗରେ କାମ କରିବ । ଏହାପରେ ଜଷ୍ଟିସ ଏସ୍.କେ. କୌଲ ଅସନ୍ତୋଷ ପ୍ରକାଶ କରିବା ସହ କହିଥିଲେ ଯଦି ଓକିଲ ଏଭଳି ବ୍ୟବହାର କରିବେ, ତେବେ ବେଞ୍ଚ କାହିଁକି ପ୍ରତିଷ୍ଠା କରାଯିବ ? ଉତ୍ତରାଞ୍ଚଳ ଆଇଜିଙ୍କୁ ଜଷ୍ଟିସ କୌଲ କାହିକିଁ ଏଭଳି ସ୍ଥିତି ସୃଷ୍ଟି ହେଲା ବୋଲି ପଚାରିଥିଲେ ।

ଉତ୍ତରାଞ୍ଚଳ ଆଇଜି କହିଥିଲେ CRPCର ଧାରା ୧୧୪ ଅନୁସାରେ ପ୍ରତିଷେଧକ ମୂଲକ ବ୍ୟବସ୍ଥା ନିଆଯାଇଥିଲା । ତ୍ରିସ୍ତରୀୟ ସୁରକ୍ଷା ବି ଥିଲା । ୧୪୪ ଧାରାର ଉଲ୍ଲଂଘନ କରାଯାଇଥିବାରୁ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି । ୧୧ ତାରିଖରେ ସେମାନେ ୨୬ଟି ବିଭିନ୍ନ ସଂଗଠନକୁ ଏକତ୍ରିତ କରିଥିଲେ । ପୋଲିସ ରାସ୍ତାକୁ ଅବରୋଧ କରିବାରୁ ଧସ୍ତାଧସ୍ତି ହୋଇଥିଲା । ସେମାନଙ୍କ ମଧ୍ୟରୁ କିଛି କାନ୍ଥ ଡେଇଁ ଭିତରକୁ ଯିବାରେ ସଫଳ ହୋଇଥିଲେ । ଜଷ୍ଟିସ କୌଲ କହିଥିଲେ ମୁଁ ଭିଡିଓ ଦେଖିଛି । ତୁମେ ନିୟନ୍ତ୍ରଣ କରିପାରିଲନି, ଏଥିରୁ ପୋଲିସ ଅଯୋଗ୍ୟ ବୋଲି ଆମେ ରେକର୍ଡ କରିବୁ ।

ପୋଲିସ ଡିଜିଙ୍କ ଉତ୍ତର ଥିଲା.. ସାରା ସହର ପାଇଁ ଫୋର୍ସ ମୁତୟନ କରାଯାଇଥିଲା । ତେବେ ୧୨ ତାରିଖ ସକାଳେ ଧସ୍ତାଧସ୍ତି ହୋଇଥିଲା । ଆକାରରେ ଦେଖିଲେ ପୁରା ପରିସର ବହୁତ ବଡ ଥିଲା । ଅଳ୍ପ କେଇ ଜଣ ଓକିଲ କାନ୍ଥ ଡେଇଁ ଚ୍ୟାମ୍ବର ଭିତରକୁ ପଶିଥିଲେ । ଜଷ୍ଟିସ ଏସ୍.କେ. କୌଲ କହିଥିଲେ ମୋ ଅନୁସାରେ ଏହା ପୋଲିସର ବିଫଳତା । ଆଇନଜୀବୀଙ୍କୁ ଗିରଫ ଲାଗି କୋର୍ଟଙ୍କ ଅର୍ଡର ଦରକାର କି ? ତେବେ ଓଡ଼ିଶା ଡିଜିପି କହିଥିଲେ ବାରକୁ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ସମର୍ଥନ କରୁଥିଲେ । ଆଇନ ଶୃଙ୍ଖଳା ସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଛି । ଆଜି ସବୁ କୋର୍ଟ ଠିକ ଭାବେ କାମ କରୁଛି ।

ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଓକିଲ କହିଥିଲେ, ବର୍ତ୍ତମାନର ଡିଜିଟାଲ ଯୁଗରେ ବେଞ୍ଚର ଆବଶ୍ୟକତା ନାହିଁ । ଲୋକେ ଭିସି ଜରିଆରେ ହାଜର ହୋଇପାରିବ ।
ଓଡ଼ିଶା ଏଜିଙ୍କ ଯୁକ୍ତି ଥିଲା ବାର ସଦସ୍ୟଙ୍କ ନିଲମ୍ବନକୁ ବନ୍ଦ କରିବା ଲାଗି ଆଇନଜୀବୀଙ୍କ ଯୁକ୍ତି । ଏହାଦ୍ୱାରା ସେମାନେ ହତାଶ ହୋଇଯିବେ ବୋଲି କହିଲେ ।  
ଜଷ୍ଟିସ କୌଲ କହିଲେ ସେମାନେ ହତାଶ ହୁଅନ୍ତୁ ।

ଏଭଳି କିଛି ଜବାବ ସୁଆଲ୍ ଭିତରେ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଶୁଣାଣି ସାରି ହାଇକୋର୍ଟ ବେଞ୍ଚ ଅନାବଶ୍ୟକ ବୋଲି କହିଥିଲେ । ଏବେ ଅପେକ୍ଷା ଆସନ୍ତା ଫେବ୍ରୁଆରୀ ୬ରେ ହେବାକୁ ଥିବା ସୁପ୍ରିମକୋର୍ଟଙ୍କ ପରବର୍ତ୍ତି ଶୁଣାଣିକୁ ।