• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀରେ ହାଇଡ୍ରାମା । ନବୀନ ନିବାସଠୁ ମାତ୍ର ୫ ଶହ ମିଟର ଦୂର ଶିଶୁଭବନ ଛକରେ ବିଚଳିତ କଲାଭଳି ଦୃଶ୍ୟ । ସୁଉଚ୍ଚ ହୋର୍ଡିଂ ଉପରେ ଚଢ଼ି, ଜାତୀୟ ପତାକାକୁ ପାଖରେ ବାନ୍ଧି ଜଣେ ଯୁବକଙ୍କ ଚରମ ପ୍ରତିବାଦ । ପୁଣି ହାତରେ ଲାଇଟର, ପେଟ୍ରୋଲ ଭର୍ତ୍ତି ବୋତଲ । ହଁ ଇଏ ସେଇ ପ୍ରତିବାଦକାରୀ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ । ଯିଏ  ରାଉରକେଲା ରୁ, ମୁଖ୍ୟମନ୍ତ୍ରୀ ଦେଇଥିବା ୯ ବର୍ଷ ତଳର ପ୍ରତିଶ୍ରୁତିକୁ ମଡେଲ୍‌ର ଭାର ବନେଇ ୫ ଶହରୁ ଊର୍ଦ୍ଧ୍ୱ କିଲୋମିଟର ବାଟ ପାଦରେ ଚାଲିଚାଲି ନବୀନ ନିବାସ ଯାଏଁ ଆସିଥିଲେ ।

ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ତାଙ୍କ ପ୍ରତିଶ୍ରୁତିକୁ ପୁଣି ମନେ ପକେଇ ଦେବାକୁ ଏଠି ୭ ଦିନ କାଳ ଶୀତ କାକରରେ ପଡି ରହିଥିଲେ । ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲ, ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ, କୋଏଲ୍ ନଦୀରେ ବ୍ୟାରେଜ୍ ଭଳି ଦାବି ନେଇ ଯିଏ ପୂର୍ବରୁ ମଧ୍ୟ ୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସ ଯାଇ ଭେଟିଥିଲେ । ଆଉ ଏଥର ୭ ଦିନର ଅପେକ୍ଷା ପରେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ନ ମିଳିବାରୁ ହୋର୍ଡିଂ ଉପରେ ଚଢ଼ିଯାଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ ମୁକ୍ତିକାନ୍ତ । ଓଟିଭି ପ୍ରତିନିଧିଙ୍କ ସହ ଫୋନ୍‌ରେ କଥା ହେବା ବେଳେ ଦାବି କରିଥିଲେ, ପ୍ରତିଶ୍ରୁତି ନେଇ ମୁଖ୍ୟମନ୍ତ୍ରୀ ସରକାରୀ ସ୍ତରରେ ଘୋଷଣା କରନ୍ତୁ, ନହେଲେ ଆତ୍ମାହୁତି ଦେବି ।

ହୋର୍ଡିଂ ଉପରେ ଅତି ବିପଦଶଂକୁଳ ଅବସ୍ଥାରେ ମୁକ୍ତିକାନ୍ତ, ତ ତଳେ ସୁରକ୍ଷିତ ଉଦ୍ଧାର ପାଇଁ ଅଗ୍ନିଶମ, ଓଡ୍ରାଫ୍ ବାହିନୀ ସହ ଅପରେସନ୍ ପ୍ରସ୍ତୁତି । ଆଉ ରାଜଧାନୀଠୁ ରାଉରକେଲା ଯାଏଁ ହଲ୍‌ଚଲ୍ ନାକେଦମ୍ ଶାସନ କଳ । ଏ ଭିତରେ ଗରିବଙ୍କ କଥା କେହି ଶୁଣିବେନି କହି ପୁଅକୁ ଫେରି ଆସିବାକୁ ବାପା-ମାଆ ବି ନିବେଦନ କଲେ ।

କିଛି ଫରକ ପଡୁ ନଥିଲା ମୁକ୍ତିକାନ୍ତଙ୍କ ଉପରେ । ଶିଶୁଭବନ ଛକରେ ଭିଡ଼ ବଢୁଥିଲା, ବଢୁଥିଲା ମୁକ୍ତିକାନ୍ତଙ୍କ ଜିଦ୍ । ଏପଟେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରି ସାମାଜିକ କର୍ମୀ ବି ଥରକୁ ଥର ନବୀନ ନିବାସ ଆସିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

ଦିନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା, ଏ ଭିତରେ ମଝିରେ ମଝିରେ ପେଟ୍ରୋଲ ଭର୍ତ୍ତି ବୋତଲ ଦେଖାଇ ଆତ୍ମାହୁତିର ଧମକ ଦେଇ ଚାଲିଥିଲେ ମୁକ୍ତିକାନ୍ତ । ଅଚାନକ ମୁକ୍ତିକାନ୍ତ ନିଜ ଦେହରେ ପେଟ୍ରୋଲ ଢାଳିବାରୁ ତଳେ ପ୍ରସ୍ତୁତ ଥିବା ଅଗ୍ନିଶମ ବାହିନୀ ତୁରନ୍ତ ତାଙ୍କ ଉପରକୁ ପାଣି ସ୍ପ୍ରେ କରି ଆରମ୍ଭ କରିଦେଲେ ଅପରେସନ୍ । କିଛି ଉଦ୍ଧାରକାରୀ ହୋର୍ଡିଂ ଉପରକୁ ଚଢିଲେ । ଟିମ୍‌ର ଆଉ କିଛି ସଦସ୍ୟ ବ୍ରୁଣ୍ଟୋ ସ୍କାଏ ଲିଫ୍ଟ ଜରିଆରେ ମୁକ୍ତିକାନ୍ତଙ୍କ ପାଖରେ ପହଞ୍ଚି ତାଙ୍କୁ କାବୁ କରି ନେଲେ । ତଳକୁ ଆସିବା ପରେ ମୁକ୍ତିକାନ୍ତଙ୍କ ସେଇ ଦୃଢ଼ୋକ୍ତି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଳନ ନହେବା ଯାଏଁ ଲଢେଇ ଜାରି ରହିବ ।

ମୁକ୍ତିକାନ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରି ପୋଲିସ ପ୍ରଶାସନ, ଶାନ୍ତିରେ ନିଶ୍ୱାସ ମାରିଛି ସତ । ହେଲେ ଏବେ ପ୍ରଶ୍ନ ମୁକ୍ତିକାନ୍ତଙ୍କ ଦାବିର ଭବିଷ୍ୟତ କଣ ? ରାଉରକେଲା ବିଧାୟକଙ୍କ କହିବା କଥା ମୁକ୍ତିକାନ୍ତ ଯେଉଁସବୁ ପ୍ରକଳ୍ପ କଥା କହୁଛନ୍ତି, ତାର କାମ ଆରମ୍ଭ ହୋଇସାରିଛି ।