• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତାଳଚେରରୁ ଉତ୍ପାଦନ ହେଉଛି କିନ୍ତୁ ଓଡ଼ିଶା ରେ ମହଙ୍ଗା ଅଥଚ ତାମିଲନାଡୁରେ ଶସ୍ତା । ଆମେ କହୁଛୁ ରାଜ୍ୟରେ ବିଜୁଳି ଦର କଥା । ଯେଉଁ ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ତାମିଲନାଡୁ ସରକାର ବିଜୁଳି କମ୍ ଦରରେ କିଣୁଛନ୍ତି ସେଇଠୁ କିନ୍ତୁ ୟୁନିଟ୍ ପିଛା ୩୦ ପଇସା ଅଧିକ ଦେଇ କିଣୁଛି ଗ୍ରୀଡ୍ କର୍ପୋରେସନ ଅଫ୍ ଓଡ଼ିଶା ବା ଗ୍ରୀଡ୍‌କୋ ।

ସୂଚନା ଅନୁସାରେ, NTPC କଣିହାରୁ ତାମିଲନାଡୁ ବାର୍ଷିକ ପ୍ରାୟ ୩ ହଜାର ନିୟୁତ ୟୁନିଟ୍ ବିଦ୍ୟୁତ କିଣୁଛି । ତାକୁ ୟୁନିଟ୍ ପିଛା ଦେବାକୁ ପଡୁଛି ୨ଟଙ୍କା ୫୩ ପଇସା । ହେଲେ ସେହି ସମାନ ଜାଗାରୁ ଗ୍ରୀଡ୍‌କୋ କିଣୁଥିବା ବିଦ୍ୟୁତ୍ ୟୁନିଟ୍ ପିଛା ଦର ରହିଛି ୨ ଟଙ୍କା ୮୩ ପଇସା । ଅର୍ଥାତ୍ ଗୋଟିଏ ୟୁନିଟ୍ ବାବଦରେ ସିଧା ୩୦ ପଇସା ଉଚ୍ଚା । ୨୦୨୧-୨୨ରେ ତାମିଲନାଡୁ ଜେନେରସନ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ୍‌କୁ ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ୍-୨ ୟୁନିଟ୍ ପିଛା ମାତ୍ର ୨ଟଙ୍କା ୫୩ ପଇସାରେ କିଣିବାକୁ ସ୍ପଷ୍ଟ ଭାବେ ଅନୁମୋଦନ ଦେଇଛି ତାମିଲନାଡୁ ବିଦ୍ୟୁତ ନିୟାମକ ଆୟୋଗ । ହେଲେ ଓଡ଼ିଶା କିନ୍ତୁ କିଣୁଛି ୨ଟଙ୍କା ୮୩ ପଇସାରେ ।

ଅଧିକ ପଢ଼ନ୍ତୁ: ସୌରଶକ୍ତିରେ ଆଲୋକିତ ହେବ କୋଣାର୍କ, କଳାହାଣ୍ଡି ତେନ୍ତୁଳିପଦା ସୌରଶକ୍ତି ପ୍ରକଳ୍ପରୁ ଆସିବ ବିଜୁଳି 

ଏଠି ପ୍ରଶ୍ନ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଏକଥା ଜାଣିଛି ନା ଜାଣି ନଜାଣିଲା ଭଳି ଅଭିନୟ କରୁଛି ? ତେବେ ଏଭଳି ଖେଳ କୋଟି କୋଟି ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ କାଳ ବୋଲି କହିଛି ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ସଂଘ । ଭାରତୀୟ ବିକାଶ ପରିଷଦ ଏହା ପଛରେ ଏକ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାରିବା ସହ ଏହାର ସିବିଆଇ ତଦନ୍ତ ଦାବି କରିଛି ।

ଓଡ଼ିଶାରୁ ବିଜୁଳି ବିକ୍ରି ହେଉଛି, ହେଲେ ଓଡ଼ିଶାଠାରୁ ଶସ୍ତାରେ ପାଉଛି ତାମିଲନାଡୁ ? କେମିତି ସମ୍ଭବ ? ଘଣ୍ଟାଚକଟା ଭିତରେ ତଥ୍ୟ ଆହୁରି ମଧ୍ୟ କହୁଛି-ତାମିଲନାଡୁର ପ୍ରାୟ ୩ କୋଟି ବିଦ୍ୟୁତ୍ ଗ୍ରାହକ ଶସ୍ତାରେ ବିଜୁଳି ପାଉଛନ୍ତି । ହେଲେ ଓଡ଼ିଶାର ପ୍ରାୟ ୧ କୋଟି ଗ୍ରାହକ ଚଢା ଦରରେ କିଣୁଛନ୍ତି । ଓଡ଼ିଶାରେ ଥିବା ତାପଜ ବିଦ୍ୟୁତ ପ୍ଲାଂଟରୁ ଓଡ଼ିଶା ଚଢ଼ା ଦରରେ ବିଜୁଳି କିଣିବାକୁ କେମିତି ଅନୁମୋଦନ ଦେଉଛି ଓଇଆରସି ? ବିଜୁଳି କିଣିବାକୁ ଏନଟିପିସି ସହ ଚୁକ୍ତି କଲାବେଳେ ଅନ୍ୟ ରାଜ୍ୟମାନେ କେଉଁ ଦରରେ କିଣୁଛନ୍ତି ତାର ଅନୁଧ୍ୟାନ କରୁନାହିଁ କି ? ଜବାବରେ ଓଇଆରସି ଲୋକ ସଂପର୍କ ଅଧିକାରୀ କହିଛନ୍ତି-ବିଦ୍ୟୁତ୍ ଶୁଳ୍କ ବଢ଼ାଇବା ବେଳେ ଓଇଆରସି ସବୁ ପକ୍ଷଙ୍କ ସହ ଆଲୋଚନା କରେ । ତାମିଲନାଡୁ ଅପେକ୍ଷା ଓଡ଼ିଶା କାହିଁକି ଅଧିକ ଦରରେ କିଣୁଛି, ତା ଉତ୍ତର ଗ୍ରୀଡ୍‌କୋ ଦେଇପାରିବ ବୋଲି କୁହାଯାଉଛି ।

ଓଇଆରସି ନା ଗ୍ରୀଡ୍‌କୋ ? କାହା ଷଡ଼ଯନ୍ତ୍ରରୁ ବିଦ୍ୟୁତ୍ ବିଲ୍‌ର ଅଧିକା ବୋଝ ବୋହୁଛନ୍ତି ଓଡ଼ିଶାର ଗ୍ରାହକ ? ଏ ସଂପର୍କରେ କିନ୍ତୁ ଗ୍ରୀଡ୍‌କୋ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।