• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାହାକୁ ଅକ୍ସିଜେନ ଦେଉଛନ୍ତି ତ ଆଉ କାହାକୁ ଅଟୋରେ ବସାଇ ମେଡିକାଲ ନେଉଛନ୍ତି । ତ ପୁଣି କାହାର ଗୋଡ଼ ହାତ ଘସାଘସି କରୁଛନ୍ତି । ଏସବୁ ଆମେ କ’ଣ କହୁଛୁ ଆପଣ କିଛି ବୁଝିପାରୁନଥିବେ । ଆଉ ମନରେ ପ୍ରଶ୍ନ ଆସୁଥିବ ଆମେ କାହା ବିଷୟରେ କହୁଛୁ ? କାହିଁକି କହୁଛୁ ? ଶୁଣନ୍ତୁ.. ଆମେ କହୁଛୁ ଏମିତି ଜଣେ ଲୋକଙ୍କ କଥା, ଯିଏ ରୋଗୀ ସେବା କରନ୍ତି । ସେ ଚିହ୍ନା ହୁଅନ୍ତୁ କି ଅଚିହ୍ନା । ସେ କୌଣସି ସ୍ୱାସ୍ଥ୍ୟ କର୍ମୀ ବି ନୁହଁନ୍ତି । କିମ୍ବା ଏଭଳି ରୋଗୀ ସେବା ପାଇଁ କେହି ତାଙ୍କୁ ଦରମା ବି ଦିଅନ୍ତି ନାହିଁ । କିନ୍ତୁ ସେହି ବ୍ୟକ୍ତିଙ୍କର ପରିଚୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ କହିବେ ଏମିତି ଜଣେ ଲୋକ ସବୁ ଅଞ୍ଚଳରେ ରହିବା ଆବଶ୍ୟକ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ରାଜନେତା । ପେଶା ସିନା ରାଜନୀତି ହେଲେ ଲୋକଙ୍କ ସେବା କରିବାର ନିଶା ତାଙ୍କୁ ଆଜି ଚର୍ଚ୍ଚିତ କରିଦେଇଛି ।

ସୋନପୁର ବିନିକା ଏନଏସି ୬ ନମ୍ବର ୱାର୍ଡର କାଉନସିଲର ବିଜୟ ନାରାୟଣ ବରାଇ । ଆଜି ନୁହେଁ ବରଂ ୩୦ ବର୍ଷ ହେଲାଣି ନିରନ୍ତର ଭାବରେ ସେ ଅନ୍ୟର ସେବା କରୁଛନ୍ତି । କାହାର ଦେହ ଖରାପ ହେଉ କି କାହାକୁ ଅକ୍ସିଜେନ ଦରକାର ହେଉ । ଖବର ଶୁଣିବା ମାତ୍ରେ ସହାଯ୍ୟ ଲାଗି ହାଜର ହୋଇଯାଆନ୍ତି ବିଜୟ । ଆପଣଜାଣି ଆଶ୍ଚର୍ଯ୍ୟ ହେବେ କି ନିଜସ୍ୱ ଖର୍ଚ୍ଚରେ ବିନିକା ଅଂଚଳର ଶହଶହ ଲୋକଙ୍କୁ କଟକ, ଭୁବନେଶ୍ୱର ଏମିତିକି ଦିଲ୍ଲୀ ମୁମ୍ବାଇ ନେଇ ମାଗଣାରେ କରାଇଛନ୍ତି ଚିକିତ୍ସା ।

ଅଧିକ ପଢ଼ନ୍ତୁ: ଜଙ୍ଗଲ ଭିତରେ ଚାଲିଛି ଜନସେବା କେନ୍ଦ୍ର

ସୀମିତ ରୋଜଗାର ଥିଲେ ବି ପରର ସେବା କରିବାକୁ ସତେ ଯେମିତି ପଣ କରିଛନ୍ତି ବିଜୟ । ଆଉ ବିଜୟଙ୍କ ଉଦାରତା ପାଇଁ ରାଜନୀତିରେ ସାମିଲ ହେବାକୁ ତାଙ୍କୁ ବାଧ୍ୟ କରିଥିଲେ ସ୍ଥାନୀୟ ଲୋକ । ଆଉ ଲୋକଙ୍କ ଅକୁଣ୍ଠ ଭଲପାଇବା ଦେଖି ଇଚ୍ଛା ନଥିଲେ ବି କାଉନସିଲର ପ୍ରାର୍ଥୀ ହେଲେ ଆଉ ନିର୍ବାଚନରେ ବିଜୟଙ୍କର ବିଜୟ ହେଲା ।

୫୮ ବର୍ଷିୟ ବିଜୟ ରୋଗୀ ସେବାରେ କେବେ ଥକିନାହାନ୍ତି ବରଂ ନିସ୍ୱାର୍ଥପର ସେବା କରିବାକୁ ଅନବରତ ଚେଷ୍ଟା କରିଛନ୍ତି । ଏମିତିକି ବିଜୟଙ୍କ ସେବା ପାଇଁ ତାଙ୍କୁ ଅନେକ ଲୋକ ଦ୍ୱିତୀୟ ଭଗବାନ ବୋଲି କହିବାକୁ ପଛାଉନାହାନ୍ତି । ଆପଣଜାଣି ଆଶ୍ଚର୍ଯ୍ୟ ହେବେ କି ନିଜ ପାଖରେ ଟଙ୍କା ନଥିଲେ ବି ଅନ୍ୟପାଖରୁ ଧାର ଉଧାର କରି ଲୋକଙ୍କର ଅନେକ ଥର ଚିକିତ୍ସା କରାଇଛନ୍ତି ବିଜୟ । ସେବା ଓ ପରୋପକାରରେ ସେ ଏତେ ମଗ୍ନ ଯେ, ନିଜ ପାଇଁ ଭଲ ଘର ଖଣ୍ଡିଏ ବି କରି ନାହାନ୍ତି । ଏବେ ବି ସେ ଟିଣ ଆଜେବେଷ୍ଟସ ଘରେ ରହୁଛନ୍ତି । ଯାହା କି ଅଧା ଅଧି ଭାଙ୍ଗିବା ଉପରେ । ଘରର କବାଟ ବି ବଙ୍କା ହେଲାଣି । ନିଜ ଘର ସଜାଡିବାରେ ସେ ଯେତିକି ଗୁରୁତ୍ୱ ଦେଉନାହାନ୍ତି ତାଠାରୁ ଅଧିକ ଲୋକଙ୍କ ଭଲ ପାଇଁ ଚିନ୍ତା କରୁଛନ୍ତି ।

ବିଜୟଙ୍କର ଏପରି ନିସ୍ୱାର୍ଥ ସେବା ଦେଖି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କୁ ପ୍ରଶଂସା କରିଛନ୍ତି । ଖାଲି ସରକାରୀ ବାବୁ କାହିଁକି ? ବିଜୟଙ୍କୁ ଅନେକ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ବାରମ୍ବାର ପୁରସ୍କୃତ କରିଛନ୍ତି । ତେବେ ମାନବ ସେବା ହିଁ ମାଧବ ସେବା ଉକ୍ତିକୁ ପାଳନ କରି ରୋଗୀ ସେବା କରିଚାଲିଛନ୍ତି ବିଜୟ । ସତରେ ବିଜୟଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ ।

(ରିପୋର୍ଟ- ଦିଲ୍ଲୀପ କୁମାର ସାହୁ, ବିନିକା)