Advertisment

କଡ଼ା ସୁରକ୍ଷା ବଳୟରେ ହେଲା ଶୋଭାଯାତ୍ରା, ସାରା ସହରରେ ପୋଲିସ ଛାଉଣୀ

ସମ୍ବଲପୁରରେ ଆରମ୍ଭ ହେଲା ହନୁମାନ ଜୟନ୍ତୀ ଶୋଭାଯାତ୍ରା । ଶୋଭାଯାତ୍ରା ପାଇଁ ସମ୍ବଲପୁରରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା  ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Sambalpur

ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା । ସାରା ସମ୍ବଲପୁର ପୋଲିସ ଛାଉଣୀରେ ଭର୍ତ୍ତି । ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ଆରମ୍ଭ ହୋଇଛି ଶୋଭାଯାତ୍ରା । ବୁଧବାର ରାତିର ହିଂସା ପରଠୁ ପୋଲିସ ସୁରକ୍ଷା ମଧ୍ୟରେ ଶୋଭାଯାତ୍ରାରେ ବାହାରୁଛନ୍ତି ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ସଦସ୍ୟ । ଏଥିପାଇଁ ସାରା ସହର ପୋଲିସ ଛାଉଣୀରେ ପରିଣତ ହୋଇଛି । ବ୍ୟାନ୍ ରହିଛି ଇଣ୍ଟରନେଟ୍ ସେବା । ଶୋଭାଯାତ୍ରା ପଥରେ କୋହଳ ରହିଛି ୧୪୪ ଧାରା।

Advertisment

ଆଜି ହନୁମାନ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଛି । ଜୟ ଶ୍ରୀରାମ ନାରାରେ କମ୍ପିଥିଲା ପରିବେଶ । ଜୟ ହନୁମାନ ଧ୍ୱନୀରେ ଦୁଲୁକୁଥିଲା ସାରା ସହର । ପାରମ୍ପରିକ ଲୋକନୃତ୍ୟ, ଲୋକବାଦ୍ୟ ସହ ଆଖଡ଼ା ଖେଳର ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବ୍ରୁକ୍ସ ହିଲ ସ୍ଥିତ ହନୁମାନ ମନ୍ଦିରରୁ ଗୋଟିଏ ପରେ ଗୋଟିଏ ସଂଗଠନ  ଶୋଭାଯାତ୍ରାରେ ବାହାରିଥିଲେ । ଜିଲ୍ଲା ସ୍କୁଲ ଛକରେ ମହା ଆଳତୀ କରାଯାଇଥିଲା । ସେଠାରୁ ଲକ୍ଷ୍ମୀ ଟକିଜ୍, ଗୋଲବଜାର ଛକ ଦେଇ ଶକ୍ତିଛକରେ ଶୋଭାଯାତ୍ରା ପହଞ୍ଚିଥିଲା ।

ବୁଧବାର ସଂଗଠିତ ହିଂସାକାଣ୍ଡ ସ୍ଥଳ ତଥା ମୋତିଝରଣ ରାସ୍ତାରେ ଗେଙ୍ଗୁଟିପାଲିରୁ ଆଉ ଏକ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ପୂର୍ବରୁ ଆୟୋଜିତ ହୋଇଥିବା ଆଳତୀରେ ବିଜେପି ନେତୃବୃନ୍ଦ ସାମିଲ ହୋଇଥିଲେ । ଏଭଳି ବିସ୍ତୃତ କାର୍ଯ୍ୟକ୍ରମକୁ ଦେଖି ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ୪୨  ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଦାୟିତ୍ୱରେ ଅଛନ୍ତି ଶହେରୁ ଅଧିକ ଅଫିସର । ଏପରିକି ଉତ୍ତର କେନ୍ଦ୍ରାଞ୍ଚଳ DIGଙ୍କ ସହ ଏସପି, ଜିଲ୍ଲାପାଳ ମଧ୍ୟ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି । ସହର ବ୍ୟାପି ଜାରି ରହିଛି ପାଟ୍ରୋଲିଂ। ସୋସିଆଲ ମିଡିଆରେ ହିଂସା ସୃଷ୍ଟିକାରୀ ବାର୍ତ୍ତା ଉପରେ ରୋକ ଲଗାଇବା ଉଦେଶ୍ୟରେ ବନ୍ଦ ରହିଛି ଇଣ୍ଟରନେଟ୍ ସେବା । ଶୋଭାଯାତ୍ରା ଯିବାକୁ ଥିବା ରୁଟରେ 144 ଧାରାକୁ କୋହଳ ରଖାଯାଇଛି ।

Advertisment

ବୁଧବାର ରାତିର ହିଂସା ପରଠୁ ସମ୍ବଲପୁରରେ ଲାଗିରହିଛି ଚାପା ଉତ୍ତେଜନା। ପୋଲିସର କଡ଼ା ପହରା ସତ୍ତ୍ୱେ ଗତରାତିରେ, କିଛି ସ୍ଥାନରେ ନିଆଁରେ ଜଳିଯାଇଛି ଦୋକାନ ଘର । ବୁଢ଼ାରଜା ଅଞ୍ଚଳ ରାସ୍ତା କଡ଼ରେ ୪/୫ଟି କ୍ୟାବିନରେ ନିଆଁ ଲାଗିଯାଇଥିଲା। ପରେ ଦମକଳ ବାହିନୀ ନିଆଁକୁ ନିୟନ୍ତ୍ରଣ କରିଥିଲା । ଘଟଣାସ୍ଥଳକୁ ଉତ୍ତର କେନ୍ଦ୍ରାଞ୍ଚଳ DIG ଏବଂ SP ମଧ୍ୟ ଯାଇଥିଲେ । ତେବେ ନିଆଁ ଲାଗିବାର କାରଣ ଅନୁଧ୍ୟାନ କରାଯାଉଥିବା କହିଛନ୍ତି ଡିଆଇଜି। ଅପରପକ୍ଷେ ହିଂସାକାଣ୍ଡ ପରଠୁ ୩୨ ଜଣଙ୍କୁ ପୋଲିସ ଗିରଫ କରିଛି । ଆଗକୁ ବି ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି କହିଛନ୍ତି ଏସ.ପି। 

ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ କାହିଁକି ଘଟିଲା ହିଂସା ? କାହିଁକି ସ୍ଥିତିକୁ ରୋକିପାରିଲାନି ପୋଲିସ ? କେଉଁଠି ରହିଲା ତ୍ରୁଟି ? ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିଛି ରାଜ୍ୟ ବିଜେପିର ସ୍ୱତନ୍ତ୍ର ଟିମ୍ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ସୁବାସ ପାଣିଗ୍ରାହୀ, ନାଉରୀ ନାଏକ ଓ ମୁଖପାତ୍ର ବିରଞ୍ଚି ତ୍ରିପାଠୀ ମେଡ଼ିକାଲ ଯାଇ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର଼ କାର୍ଯ୍ୟକାରୀ ସଭାପତି ଦାମୋଦର କରଙ୍କ ସହ ଅନ୍ୟ ଆହତଙ୍କୁ ଭେଟିଛନ୍ତି । ତାସହ ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ଆସିଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ଏପରି ଗଣ୍ଡଗୋଳ ଗ୍ରହଣୀୟ ନୁହେଁ। 

(ସମ୍ବଲପୁରରୁ ପୱନ ତିୱାରୀ ଏବଂ ସଞ୍ଜୟ କୁମାର ଜେନାଙ୍କ ରିପୋର୍ଟ, ଓଟିଭି)

Odisha News
Advertisment
Advertisment