• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ବୁଧବାର ବନକଲାଗି କରିବାକୁ ଦତ୍ତମହାପାତ୍ର ନିଯୋଗ ରାଜି । ନୀତି ସବ୍ କମିଟି ବୈଠକ ପରେ ଦତ୍ତମହାପାତ୍ରଙ୍କ ଏନେଇ ପ୍ରତିକ୍ରିୟା ରଖିବା ସହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯଦି ପରିଚାଳନା କମିଟି କହିବେ ବୁଧବାର କରିବାକୁ ଆମେ ରାଜି । ଶ୍ରୀଜିଉଙ୍କ ନୀତିରେ ଆଉ କୌଣସି ବିଳମ୍ବ କରିବାକୁ ଚାହୁଁନୁ । କିନ୍ତୁ କେବଳ ବୁଧବାର ନକରି ଗୁରୁବାର ମଧ୍ୟ ନୀତି ହେବା ଦରକାର ବୋଲି ସେ କହିଛନ୍ତି । ମୁଖ୍ୟପ୍ରଶାସକଙ୍କୁ ସେବାୟତଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରିବାକୁ ସେ ନିବେଦନ କରିଛନ୍ତି । ବନକଲାଗି ନୀତି ବିବାଦ ନେଇ ସବ୍ କମିଟି ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦତ୍ତ ମହାପାତ୍ର ନିଯୋଗ ସଂପାଦକ ମଦନମୋହନ ଦତ୍ତ ।

ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକ ଲାଗି ନୀତି ହୋଇନଥିବାରୁ ବେଶ୍ ବ୍ୟଥିତ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ବନକଲାଗି ବୁଧବାର କିମ୍ବା ଗୁରୁବାର, କେବେ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଏବେ ବୁଧବାର ହେବ ବୋଲି ନିଷ୍ପତି ହୋଇଛି ।

ଗତ ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗକୁ ନର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ପ୍ରଶାସନ। ଏହାର ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏହାସହ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ୟ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଚେତାବନୀ ଦେଇଥିଲେ । ତେବେ ତାଗିଦ୍‌ ସତ୍ତ୍ୱେ ବି ଏଯାଏ ହୋଇପାରିନି ବନକ ଲାଗି ନୀତି ।

ପ୍ରଶାସନ ପକ୍ଷରୁ ବୁଧବାର ବନକଲାଗି ନୀତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଗୁରୁବାର ବନକଲାଗି କରାଯିବ ବୋଲି ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ଜିଦ୍‌ ଧରି ବସିଥିଲେ । ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି ବୋଲି ସେମାନେ କହିଥିଲେ । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତ ନିଯୋଗ ମଧ୍ୟରେ ଏଭଳି ବିବାଦ ଯୋଗୁଁ ନୀଳାଦ୍ରି ବିଜେ ପରଠାରୁ ଠାକୁରମାନଙ୍କ ଶ୍ରୀମୁଖ ଶିଙ୍ଗାର କରାଯାଇନାହିଁ । ଫଳରେ ଶ୍ରୀମନ୍ଦିର ଆସୁଥିବା ଅଗଣିତ ଭକ୍ତ ଠାକୁରଙ୍କ ମଳିନ ମୁଖକୁ ଦର୍ଶନ କରି ଫେରିବା ସହ ଏହାକୁ ନେଇ ଭକ୍ତ ମହଲରେ କ୍ଷୋଭ ପ୍ରକାଶ ପାଇଛି ।