• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେବେ ହେବ ଶ୍ରୀଜିଉଙ୍କ ବନକଲାଗି ? କାରଣ, ଗତକାଲି ବି ହୋଇପାରିନି ମହାପ୍ରଭୁଙ୍କ ବନକଲାଗି ନୀତି । ଅନୁମତି ନଥିବାରୁ ଗତକାଲି ବନକଲାଗି ହୋଇପାରିନଥିଲା। ସମୟ ଗଡ଼ିବା ସହ ବିବାଦ ବି ବଢ଼ିବାରେ ଲାଗିଛି । ଆଜି ଏ ସମ୍ପର୍କରେ ନୀତି ସବ୍ କମିଟି ବୈଠକରେ ଆଲୋଚନା ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସେବାୟତଙ୍କର ଆଲୋଚନା ହେବ ।

ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକ ଲାଗି ନୀତି ହେଉନଥିବାରୁ ବେଶ୍ ବ୍ୟଥିତ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ବନକଲାଗି ବୁଧବାର କିମ୍ବା ଗୁରୁବାର, କେବେ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।

ଗତ ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗକୁ ନର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ପ୍ରଶାସନ। ଏହାର ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏହାସହ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ୟ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଥିଲେ । ତେବେ ତାଗିଦ୍‌ ସତ୍ତ୍ୱେ ବି ଏଯାଏ ହୋଇପାରିନି ବନକ ଲାଗି ନୀତି ।

ପ୍ରଶାସନ ପକ୍ଷରୁ ବୁଧବାର ବନକଲାଗି ନୀତି କରିବାକୁ ଦାବି କରାଯାଇଥିବା ବେଳେ ଗୁରୁବାର ବନକଲାଗି କରାଯିବ ବୋଲି ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ଜିଦ୍‌ ଧରି ବସିଥିଲେ । ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି ବୋଲି ସେମାନେ କହିଥିଲେ ।

ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତ ନିଯୋଗ ମଧ୍ୟରେ ଏଭଳି ବିବାଦ ଯୋଗୁଁ ନୀଳାଦ୍ରି ବିଜେ ପରଠାରୁ ଠାକୁରମାନଙ୍କ ଶ୍ରୀମୁଖ ଶିଙ୍ଗାର କରାଯାଇନାହିଁ । ଫଳରେ ଶ୍ରୀମନ୍ଦିର ଆସୁଥିବା ଅଗଣିତ ଭକ୍ତ ଠାକୁରଙ୍କ ମଳିନ ମୁଖକୁ ଦର୍ଶନ କରି ଫେରିବା ସହ ଏହାକୁ ନେଇ ଭକ୍ତ ମହଲରେ କ୍ଷୋଭ ପ୍ରକାଶ ପାଇଛି ।