• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସ୍କୁଲରେ ତାଲା ପଡ଼ିଛି, ବାହାରେ ପାଲ ପଡ଼ିଛି । ଆଉ ତାହାରି ଭିତରେ ମେଞ୍ଚାଏ ଲୋକ ବସିଛନ୍ତି । ଏମିତି ସବୁ ଦେଖିବା ପରେ ଆପଣ କିଛି ବୁଝିପାରିବେନି । ମନରେ ପ୍ରଶ୍ନ ନିଶ୍ଚୟ ଆସୁଥିବ ସେମାନେ କାହିଁକି ଏମିତି ବସିଥିଲେ ? ହେଲେ ପ୍ରକୃତ କଥା ଜଣାପଡ଼ିବା ପରେ ଆପଣ ବି ସ୍ତବ୍ଧ ହେବେ ଆଉ କହିବେ ସାମନ୍ୟ କଥାକୁ ନେଇ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି ।

ବିଦ୍ୟାଳୟ ପରିଚାଳନା କମିଟି ଗଠନ ନହେବା କାରଣରୁ ଜିଦରେ ଅଟଳ ଅଭିଭାବକ ଓ ଗ୍ରାମବାସୀ । ଦିନେ କି ଦୁଇଦିନ ନୁହେଁ ବରଂ ୫ଦିନ ହେବ ବିଦ୍ୟାଳୟରେ ତାଲା ପଡିଥିବା ବେଳେ ଛାତ୍ରଛାତ୍ରୀ ଆସୁ ନାହାଁନ୍ତି । ଶିକ୍ଷକ ଓ ଶିକ୍ଷୟତ୍ରୀ ଆସୁଥିଲେ ବି ସ୍କୁଲ ବାହାରେ ବସିବସି ଫେରୁଛନ୍ତି । ତେଣୁ ପିଲାଙ୍କ ଭବିଷ୍ୟତକୁ ନେଇ ଅନ୍ଧାରରେ ଅଭିଭାବକ ।

ଅଧିକ ପଢ଼ନ୍ତୁ: ଇଏ ସ୍କୁଲ ନୁହେଁ ଯମଦ୍ୱାରକୁ ରାସ୍ତା...

ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅଧନ ଖଡ଼ିସିଙ୍ଗା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା । ଶିକ୍ଷକ ଓ ଶିକ୍ଷୟିତ୍ରୀ ଆସୁଛନ୍ତି ସତ ହେଲେ ସ୍କୁଲ ଖୋଲୁନି.. ସେଇଥି ଲାଗି ତ ସାମ୍ନା ଗେଟ୍‌ରେ ବସି ବସି ଘରକୁ ଫେରୁଛନ୍ତି ସେମାନେ । ତେବେ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେବାର କାରଣ ହେଉଛି ବିଦ୍ୟାଳୟ କମିଟି । ଅବିଭାବକଙ୍କ କହିବା କଥା ସ୍କୁଲ କମିଟି ନଥିବାରୁ କିଛି ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁନାହିଁ । ପ୍ରଧାନଶିକ୍ଷକ ବି ଠିକ୍‌ରେ ସ୍କୁଲ ଆସୁନାହାନ୍ତି । ତେଣୁ ସ୍କୁଲରେ ଏମିତି ଅଚଳାବସ୍ଥା ଦେଖାଦେଇଛି ।

ସ୍ଥିତି ଜଟିଳ ହେବାରୁ ଗାଁ ଲୋକ ଓ ଅଭିଭାବକଙ୍କ ସହ ଆଲୋଚନ କରିଛନ୍ତି ବ୍ଲକ୍‌ ଶିକ୍ଷାଧିକାରୀ । ହେଲେ ଲୋକଙ୍କ ଅଭିଯୋଗ ପ୍ରଧାନଶିକ୍ଷକ ଜାଣିଶୁଣି କମିଟି ଗଠନ କରୁନାହାନ୍ତି ବରଂ ଚଞ୍ଚକତା କରି ଦୁର୍ନୀତି କରୁଛନ୍ତି । ତେଣୁ କମିଟି ଗଠନ ନହେଲା ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ ବୋଲି ରୋକଠୋକ୍‌ କହିଛନ୍ତି ସ୍ଥାନୀୟ ଲୋକେ । ସେପଟେ ବ୍ଲକ ଶିକ୍ଷାଧିକାରୀ କହୁଛନ୍ତି, ଆନ୍ଦୋଳନ ବନ୍ଦ ପାଇଁ ଆଲୋଚନା ହୋଇଛି । ଅଭିଯୋଗର ତଦନ୍ତ ଚାଲିଛି ।  ତେବେ ସ୍କୁଲ କମିଟିକୁ ନେଇ ବାଜିରେ ଲାଗିଛି ପିଲାଙ୍କ ଭବିଷ୍ୟତ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା । ସମୟ କହିବ କେବେ ସ୍କୁଲ କମିଟି ଗଠନ ହେବ ଆଉ କେବେ ପିଲାଙ୍କ ପାଠପଢା ଆରମ୍ଭ ହେବ ।

  • Reported by:
  • Partha Sarathi nayak