• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଛାତରୁ ସ୍ଲାବ୍‌ ଖସୁଛି, ଟିପିଟିପି ହୋଇ ପାଣି ବି ପଡ଼ୁଛି । ସ୍ଥିତି ଏମିତି ହେଲାଣି ଯେ ଛାତରୁ ସିମେଣ୍ଟ ଖଣ୍ଡ ଛାଡ଼ି ଲୁହା ରଡ୍‌ ଦେଖାଗଲାଣି । କେତେବେଳେ ଭୁଶୁଡ଼ି ପଡ଼ିବ ତାହା କେହି ବି କହିପାରିବେ ନାହିଁ । କିନ୍ତୁ ନିଜ ଜୀବନକୁ ବିପଦରେ ପକାଇ ଏମିତି ସ୍କୁଲରେ ବସି ପାଠ ପଢୁଛନ୍ତି ଶତାଧିକ ପିଲା । ବାରମ୍ବାର ଦାବି ପରେ ବି ପ୍ରଶାସନ ସ୍କୁଲ କୋଠରୀକୁ ତିଆରି କରୁନଥିବାରୁ ଏବେ ଚିନ୍ତାରେ ଅଭିଭାବକ ।

ପାଠପଢା ଲାଗି ବାଜିରେ ଲାଗିଛି ପିଲାଙ୍କ ଜୀବନ । ଅତି ବିପଦସଂକୁଳ ଶ୍ରେଣୀ ଗୃହରେ ଚାଲିଛି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢା । ସ୍କୁଲ କୋଠରୀ ଦେଖିଲେ ଜଣାପଡୁଛି କେତେ ବିପଦପୂର୍ଣ୍ଣ ଭାବରେ ଚାଲିଛି ଶ୍ରେଣୀ ଗୃହ । ବର୍ଷେ କି ଦୁଇବର୍ଷ ନୁହେଁ ବରଂ ବର୍ଷବର୍ଷ ଧରି ଭଙ୍ଗା ଘରେ ଚାଲିଛି ପିଲାଙ୍କ ପାଠପଢା ।

ଏମିତି ଭୟଙ୍କର ସ୍ଥିତିରେ ପିଲାଏ ପାଠ ପଢୁଛନ୍ତି ସୁବର୍ଣ୍ଣପୁର ବିନିକା ଚରଦା ପଚାଂୟତ ଫୁଳମୁଠିର ମାହେଶ୍ୱରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର କାନ୍ଥରେ ବଡବଡ ଫାଟ ସୃଷ୍ଟି ହେବା ସହିତ ଛାତ ଉପରୁ ସିମେଣ୍ଟ ଖସୁଥିବାରୁ ଭୟଭୀତ ଅବସ୍ଥାରେ ଭବିଷ୍ୟତ ଗଢୁଛନ୍ତି ଛାତ୍ରଛାତ୍ରୀ । ସାମାନ୍ୟ ଟିକିଏ ବର୍ଷା ହେଲେ ସ୍କୁଲ ଛାତରୁ ପାଣି ଝରୁଥିବାରୁ ଅନେକ ସମୟରେ ବାରଣ୍ଡାରେ ପାଠ ପଢୁଛନ୍ତି ପିଲା । ବିଦ୍ୟାଳୟର ସମସ୍ୟାକୁ ନେଇ ସ୍କୁଲ କମିଟି ଓ ପ୍ରଧାନ ଶିକ୍ଷକ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ଲାଭ ମିଳିନଥିବା ଅଭିଯୋଗ ହୋଇଛି ।

 

ବାହାବା ନେବା ପାଇଁ ୫-ଟି ସ୍କୁଲ ତିଆରି ହେଉଛି, ହେଲେ ପ୍ରକୃତରେ ସ୍କୁଲରେ କେତେ ବିପଦ ସଂକୁଳ ଅବସ୍ଥାରେ ପିଲାଏ ପାଠ ପଢୁଛନ୍ତି ତାହା ସେହି ଚିତ୍ର ଦେଖିଲେ ସ୍ପଷ୍ଟ ବୁଝାପଡ଼ିବ । ସେପଟେ ପୂରା ଘଟଣା ସମ୍ପର୍କରେ ବିଡିଓ ଅବଗତ ହେବା ପରେ କହିଛନ୍ତି, ଖୁବଶୀଘ୍ର ସ୍କୁଲ ଘର ନିର୍ମାଣ ହେବ ।

(ବିନିକାରୁ ଦିଲ୍ଲୀପ କୁମାର ସାହୁଙ୍କ ରିପୋର୍ଟ)