• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେବେ ଭାବିଛନ୍ତି କି ଯେତେବେଳେ ଆପଣ ୭୯ ବର୍ଷର ହୋଇସାରିଥିବେ । ଆଉ ହଠାତ୍‌ ଆପଣଙ୍କର ସମସ୍ତ ରୋଜଗାର ପନ୍ଥା ବନ୍ଦ ହୋଇଯିବ । ତେବେ ଆପଣ କ’ଣ କରିବେ । କିଭଳି ଚଳିବେ । କେତେ କାହାକୁ ଗୁହାରି କରିବେ । କେମିତି ନିଜର ଗୁଜୁରାଣ ମେଣ୍ଟାଇବେ । ଠିକ୍‌ ଏମିତି କିଛି ଘଟିଛି ପଶ୍ଚିମବଙ୍ଗର ଜଣେ ବୃଦ୍ଧଙ୍କ ସହ । ନିଜ ହକ୍‌ର ପେନ୍‌ସନ୍‌ ପାଇଁ ତାଙ୍କୁ ଦୁଆର ଦୁଆର ବୁଲିବାକୁ ପଡ଼ୁଛି ।

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାର ୭୯ ବର୍ଷିୟ ବିଜୟ ହାଥି, ବିନା ପେନ୍‌ସନ୍‌ରେ ଭାରି କଷ୍ଟରେ ଦିନ କାଟୁଛନ୍ତି । କାରଣ ତାଙ୍କୁ କାଗଜପତ୍ରରେ ମୃତ ଘୋଷଣା କରାଯାଇଛି । ଯେଉଁଥିପାଇଁ ଗତ ଦୁଇ ବର୍ଷ ହେବ ତାଙ୍କର ପେନ୍‌ସନ୍ ଆସିବା ବନ୍ଦ ହୋଇଯାଇଛି । ବୃଦ୍ଧାବସ୍ଥାରେ ପେନ୍‌ସନ୍‌ ବନ୍ଦ ହେବା ପରେ ବିଜୟ ଦୁଆର ଦୁଆର ବୁଲୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ପେନ୍‌ସନ୍ ହୋଇପାରୁ ନାହିଁ ।

ଢୋଲଟର ତେଲି ଗାଁରେ ବିଜୟ, ପତ୍ନୀ ଏବଂ ଅସୁସ୍ଥ ପୁଅ ସହ ରୁହନ୍ତି । ତାଙ୍କର ଗୁଜୁରାଣ ଭାରି କଷ୍ଟରେ ହେଉଛି । ଦୁଇ ଓଳି ଦୁଇ ମୁଠା ଖାଇବାକୁ ବି ପାଉ ନାହାନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ତାଙ୍କ ଘରର ଅବସ୍ଥା ବି ଭଲ ନାହିଁ । କେତେବେଳେ ଯେ, ତାଙ୍କ ଘର ଭୁଶୁଡ଼ି ପଡ଼ିବ କିଛି କହି ହେବ ନାହିଁ । ତାଙ୍କର ଏକମାତ୍ର ପୁଅ ସେହି ଘରର ଗୋଟିଏ କୋଣରେ, ପ୍ରବଳ ଗ୍ରୀଷ୍ଣ ସତ୍ତ୍ୱେ କମ୍ବଳ ଘୋଡ଼େଇ ହୋଇ ଶୋଇରହିଥାଏ । ତାଙ୍କ ପାଖରେ ପୁଅ ପାଇଁ ଔଷଧ କିଣିବାକୁ ବି ଟଙ୍କା ନାହିଁ। ଖାଇବାକୁ ଦେବା ତ ଦୂରର କଥା ।

ଅଧିକ ପଢ଼ନ୍ତୁ: ବାବୁ ମତେ ୧୦୦ ଛୁଇଁଲାଣି, ଭତ୍ତା କେବେ ପାଇବି?

ଦୁଇ ବର୍ଷ ପୂର୍ବେ ବିଜୟଙ୍କୁ ପବ୍ଲିକ୍‌ ରେକର୍ଡରେ ମୃତ ଘୋଷଣା କରାଯାଇଥିଲା । ହେଲେ ଏହା ସେ ଜାଣିନଥିଲେ । ଯେତେବେଳେ ତାଙ୍କର ପେନ୍‌ସନ୍ ବନ୍ଦ ହୋଇଗଲା, ସେତେବେଳେ ସେ ବ୍ଲକ୍ ବିକାଶ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ଆଉ ତାପରେ ଜାଣିଲେ ସେ ନିଜେ ଆଉ ଜୀବିତ ନାହାନ୍ତି । ସରକାରୀ କାଗଜପତ୍ରରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଛି । ଯାହାଫଳରେ ତାଙ୍କୁ ଆଉ ପେନ୍‌ସନ୍‌ ମିଳୁ ନାହିଁ । ସବୁଠାରୁ ବଡ଼ କଥା ହେଲା, ବିଜୟ ବଞ୍ଚିଛନ୍ତି ବୋଲି ସରକାରୀ ଅଧିକାରୀ ଜଣକ ଜାଣିବା ପରେ ମଧ୍ୟ ତାଙ୍କର ପେନ୍‌ସନ୍‌ କରାଇ ନାହାନ୍ତି ।