• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସ୍ୱାମୀ ଫଟୋକୁ ଧରି ଭୋଭୋ କାନ୍ଦୁଛନ୍ତି ଜଣେ ବୃଦ୍ଧା । କେତେ କଣ କହିଯାଉଛନ୍ତି । ହଠାତ୍‌ ଏମିତି କିଛି ଦୃଶ୍ୟ ଦେଖିବା ପରେ ଆପଣ କିଛି ବୁଝିପାରୁନଥିବେ । ଆଉ ଭାବୁଥିବେ ସେହି ବୃଦ୍ଧା ଜଣକ କିଏ? କାହିଁକି ସ୍ୱାମୀଙ୍କ ଫଟୋକୁ ଧରି ସିଏ କାନ୍ଦୁଛନ୍ତି? ହେଲେ ସେ ଲୁହ ପଛର କାହାଣୀ ଜାଣିଲେ ଆପଣ ବି ସରକାରୀ ବ୍ୟବସ୍ଥାକୁ ଉପହାସ କରିବେ । ଆଉ କହିବେ, ଆମ ସରକାର କେବଳ ଯୋଜନାରେ ସୀମିତ ।

ସ୍ୱାମୀ ପରପାରିକୁ ଯିବାର ୮ ମାସ ହେଲାଣି, ହେଲେ ଏବେ ବି ବିଧାବା ଭତ୍ତା ତାଙ୍କୁ ମିଳିପାରିନାହିଁ । ଭତ୍ତା ଲାଗି ବଡ ବାବୁଙ୍କୁ ବାରମ୍ବାର ଗୁହାରି ସେ କରିଛନ୍ତି, ହେଲେ ତାଙ୍କ ଦୁଃଖ ଶୁଣିବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ କି ଇଚ୍ଛା ନାହିଁ । ତେଣୁ ଭତ୍ତା ନପାଇବାରୁ ଉପାୟଶୂନ୍ୟ ହୋଇ ଭୋ ଭୋ କାନ୍ଦୁଛନ୍ତି ବୃଦ୍ଧା ଜଣକ ।

ବେଲପାହାଡର ସୁବିଧା କୁମ୍ଭାର । ୮ ମାସ ତଳେ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା । ନିୟମ ଅନୁସାରେ, ତାଙ୍କୁ ବିଧବା ଭତା ମିଳିବାର କଥା । ହେଲେ ସେମିତି କିଛି ହେଲାନି କି ତାଙ୍କୁ ଭତ୍ତା ମିଳିଲା ନାହିଁ । ବୟସର ଅପରାହ୍ନରେ ପହଞ୍ଚିଥିବାରୁ କାମଦାମ କରିବା ତାଙ୍କ ପକ୍ଷରେ ବି ସମ୍ଭବ ନୁହେଁ । ତେଣୁ କେମିତି ବଞ୍ଚିବେ? କଣ ଖାଇବେ? ସେହି ଚିନ୍ତାରେ ଦାଣ୍ଡ ପିଣ୍ଡରେ ବସି କାନ୍ଦୁଛନ୍ତି ।

ଖାଲି ସୁବିଧା ନୁହେଁ ବରଂ ଗାଁରେ ତାଙ୍କ ପରି ଅନେକ ବୃଦ୍ଧ ଓ ବୃଦ୍ଧା ଅଛନ୍ତି ଯେଉଁମାନେ ସରକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି । ଆଉ ସମସ୍ତଙ୍କ ବୟସ ୬୦ ଉପରେ..କିନ୍ତୁ ସେମାନେ ଏଯାଏଁ ଭତ୍ତା ପାଇନାହାନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ କି ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ୧୦୦ ବର୍ଷ ହେଲାଣି ହେଲେ ସେମାନେ ଭତ୍ତା ପାଇନାହାନ୍ତି । ସରକାରୀ ଭତ୍ତା ଲାଗି ବାରମ୍ବାର ଆବେଦନ କରିଛନ୍ତି ସତ ହେଲେ ଭତ୍ତା ପାଇଁ ନାହାନ୍ତି । ସେପଟେ ବିଭାଗୀୟ ମନ୍ତ୍ରୀ କହୁଛନ୍ତି ଯେଉଁଠି କିଛି ଅସୁବିଧା ଅଛି ତାହାର ସମାଧାନ କରାଯିବ । ଆଉ ପୂରା ଘଟଣାକୁ ନେଇ ବେଲପଡା ବିଡିଓ କହୁଛନ୍ତି କାହିଁକି ସେମାନଙ୍କୁ ଭତ୍ତା ମିଳିନି ତାହାର ତଦନ୍ତ କରାଯିବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଦିଆଯିବ ।

ଗରିବ ହିତାଧିକାରୀଙ୍କୁ ଭତ୍ତା ଦେବା ପାଇଁ ସରକାର ଯୋଜନା କରିଛନ୍ତି, ଆଉ ଭତ୍ତା ବି ଦିଆଯାଉଛି । ହେଲେ ଯୋଗ୍ୟ ହିତାଧିକାରୀ ଥିବା ପରେ ବି ଆଜିଯାଏଁ ତାଙ୍କୁ ମିଳିପାରିଲାନି ପେନ୍‌ସନ୍‌ । ଯାହା ଲାଗି ନିଜ କଷ୍ଟ କହିଲା ବେଳକୁ ଆଖିରୁ ଝରି ପଡୁଛି ଲୁହ ।

 

  • Reported by:
  • Karunakar Budek