• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ ସହରରେ ଟ୍ରଲିରେ ବୁହାହେଲା ଶବ । ଦୁଇ ଦିନ ତଳେ କଟକ ଶେଖ ବଜାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ଶବ ପଡି ରହିଥିଲା। ଖବରପାଇ କିଛି ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ମୃତ ବ୍ୟକ୍ତିଙ୍କୁ ଟ୍ରଲିରେ ବୋହି ଶତିଚଉରା ମଶାଣୀକୁ ନେଇ ଶବ ସତ୍କାର କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ପ୍ରଶାସନିକ ସ୍ତରରେ ଶବ ପଡି ରହିଥିଲେ ବି ଏହାର ସତ୍କାର କରାଗଲାନି କାହିଁକି । 

କିଛି ଦିନ ପୂର୍ବରୁ ମଧ୍ୟ ଏକ ଶବକୁ ଅସମ୍ମାନ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ଶବକୁ ମିଳିନଥିଲା ମହାପ୍ରୟାଣ ଗାଡ଼ି । ଷ୍ଟ୍ରେଚରରେ ମରଶରୀରକୁ ୮ କିଲୋମିଟର ବାଟ ଟାଣି-ଟାଣି ନେଇଥିଲେ ପରିବାର ଲୋକ । ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଘଟଣା । ସିନାପାଲି ବ୍ଲକ ଗରଡ଼ାମାଲର ସରସ୍ୱତୀ ସା’ଙ୍କ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ମିଳିନଥିଲା । ବେସରକାରୀ ଭାବେ ମଧ୍ୟ କୌଣସି ଗାଡ଼ି ଯୋଗାଡ଼ ହୋଇପାରି ନଥିବାରୁ, ଶେଷରେ ଷ୍ଟ୍ରେଚରରେ ମରଶରୀର ଲଦି ଟାଣି ଟାଣି ନେଇଥିଲେ । ସିନାପାଲି ଚିକିତ୍ସାଳୟରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ ଓ ବ୍ୟକ୍ତିଗତ ଭାବରେ ଯୋଗାଇ ଦିଆଯାଏ ବୋଲି ଲୋକେ ଅଭିଯୋଗ କରିଥିଲେ ।

ଏହାପୂର୍ବରୁ କୋରାପୁଟ ପଟାଙ୍ଗି ସୀମାନ୍ତ ଅଞ୍ଚଳରୁ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ପତ୍ନୀଙ୍କ ଶବକୁ ୩୩ କି.ମି. ପର୍ଯ୍ୟନ୍ତ କାନ୍ଧରେ ବୋହିଥିଲେ ସ୍ୱାମୀ। ପତ୍ନୀଙ୍କ ଶବକୁ ଗାଡ଼ିରେ ଗାଁକୁ ଆଣିବା ପାଇଁ ପାଖରେ ଟଙ୍କା ନଥିବାରୁ ବ୍ୟକ୍ତି ଜଣକ କାନ୍ଧରେ ବୋହି ବୋହି ନେଉଥିବା ଦେଖିବାକୁ ମିଳିଥିଲା। ଏହାଦେଖି ବାଟରେ ପୋଲିସ ଅଟକାଇଥିଲା ଓ ଆମ୍ବୁଲାନ୍ସ କରି ଶବ ପଠାଇବାର ବ୍ୟବସ୍ଥା କରିଥିଲା।