• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟ୍ରାଜେଡି ଗୁଜରାଟ ମୋର୍ବିରେ । ହେଲେ ଛନକା ଧବଳେଶ୍ୱର ପୀଠରେ । କାହିଁକି ନା ଏଠି ବି ଅଛି ଝୁଲାପୋଲ, ଚାଲୁଛନ୍ତି ଭକ୍ତ ମାଳ ମାଳ । ଆଜି କାର୍ତ୍ତିକ ଚତୁର୍ଥ ସୋମବାର ଅବସରରେ କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ସଂଯୋଗ କରୁଥିବା ଝୁଲା ପୋଲକୁ ମିନିଟିଏ ବି ଫୁରୁସତ୍ ନାହିଁ । ମୋର୍ବିରେ ଭୟଙ୍କର ଦୁର୍ଘଟଣା ପରେ କିନ୍ତୁ ହଠାତ୍ ପ୍ରଶାସନ ଏଠି ଚେଇଁ ଉଠିଛି । କାଳେ କିଛି ଅଘଟଣ ଘଟିଯିବ, ସେ ଆଶଙ୍କାରେ ଆଗୁଆ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଆପଣେଇଛି । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ପୋଲର ଉଭୟପଟୁ ଥରକେ ଶହେ ଶହେ କରି ୨ଶହ ଲୋକଙ୍କୁ ଛଡ଼ା ଯାଉଛି । ସେମାନେ ପୋଲ ପାର୍ ହୋଇ ସାରିଲା ପରେ, ପୁଣି ୨ଶହ ଭକ୍ତଙ୍କୁ ଛଡ଼ାଯାଉଛି ।

ଅଧିକ ପଢ଼ନ୍ତୁ: ଝୁଲାପୋଲ ଛିଡ଼ି ପ୍ରାଣ ହରାଇଛନ୍ତି ରାଜକୋଟ ବିଜେପି ସାଂସଦଙ୍କ ୧୨ ଜଣ ସମ୍ପର୍କୀୟ

ଏଥିପାଇଁ ପୋଲର ଦୁଇ ପ୍ରବେଶ ପଥରେ ବ୍ୟାନର ଟାଙ୍ଗି ସୂଚନା ଦିଆଯାଇଛି । ଏକାଥରକେ ୬ ଶହ ଭକ୍ତଙ୍କ ଯାତାୟାତ ଯାଗାରେ ୨ଶହ ଲେଖାଏଁ ଛଡ଼ା ଯାଉଥିବାରୁ ଶହ ଶହ ଲୋକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ବଢ଼ିଛି । ସେପଟେ ଆଜି ସକାଳେ ହଠାତ୍ ପୋଲ ଯାଞ୍ଚ ପାଇଁ ଏକ ବିଶେଷଜ୍ଞ ଟିମ୍ ପହଞ୍ଚି ତନ୍ନ ତନ୍ନ ଯାଞ୍ଚ କରିଛି । ଯାଞ୍ଚବେଳେ ୧୨ଟି ଟଣକାରେ ଫାଟ ଜଳ ଜଳ ଦିଶିବା ସହ କିଛି ସ୍ଥାନରେ ପିଲାର କଳଙ୍କି ଲାଗି ଖାଇ ଯାଇଥିବା ବି ନଜରକୁ ଆସିଛି । ଫଳରେ ଡରରେ ଅଧିକ ଯାଞ୍ଚ ସହ ମରାମତି ପାଇଁ ଆସନ୍ତାକାଲି ପୋଲ ଉପରେ ଭକ୍ତଙ୍କ ଯାଆସ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ତେଣେ ଆଜି କାର୍ତ୍ତିକ ମାସର ଶେଷ ସୋମବାର ସାଙ୍ଗକୁ ମୁଣ୍ଡ ଉପରେ ପଞ୍ଚୁକ ଓ ବଡ଼ଓଷା । ଏବେଳରେ ପ୍ରଶାସନର ଏମିତି ପଦକ୍ଷେପକୁ ବାହାଘର ବେଳେ ବାଇଗଣ ରୁଆ ବୋଲି ଆକ୍ଷେପ କରିଛନ୍ତି ଭକ୍ତ ଓ ପୂଜକ ।

ଗେେଟେ ପଟେ ପାହା଼ଡ, ତ ଅନ୍ୟପଟେ ମହାନଦୀର ଗଣ୍ଡ । ଏଥିପାଇଁ ଧବଳେଶ୍ୱର ପୀଠକୁ ସୁରୁଖୁରୁରେ ଭକ୍ତଙ୍କ ଯାତାୟାତ ପାଇଁ ଗତ ୨୦୦୬ ମସିହାରେ ଉଦ୍‌ଘାଟନ ହଇଥିଲା ଲୁହା ଝୁଲାପୋଲ । ଯାହା ଉପରେ ଏକକାଳୀନ ୨ ହଜାର ଲୋକ ନିରାପଦରେ ଯାଆସ କରିପାରିବେ । ତେବେ ଧିରେ ଧିରେ ଉକ୍ତ ପୋଲଟି ରକ୍ଷଣାବେକ୍ଷଣ ଅଭାବରୁ କଳଙ୍କି ଲାଗିବାକୁ ବସିଲାଣି । ଏମିତିକି ପୋଲ ରାସ୍ତାରେ ଫାଟ ସାଙ୍ଗକୁ ଟଣକା ବି କଳଙ୍କି ଲାଗିଲାଣି । 

ତେଣୁ ଏଠି ପ୍ରଶ୍ନ-ଧବେଳେଶ୍ୱରଙ୍କ ବଡ଼ ପର୍ବ ବଡ଼ ଓଷାବେଳେ ନିରାପଦରେ ଝୁଲାପୋଲରେ ଦର୍ଶନ ପାଇଁ ଯାଇପାରିବେ ତ ଭକ୍ତ ? ଗୁଜରାଟ ମୋର୍ବି ଭଳି ଦୁର୍ଘଟଣା ରୋକିବାକୁ ସଜାଗ ଅଛି ତ ପ୍ରଶାସନ ? ଯେହେତୁ ଦୁଇବର୍ଷ ହେଲା କୋଭିଡ୍ କଟକଣା ଯୋଗୁଁ ଭକ୍ତ ଆସୁନଥିଲେ ତେଣୁ ଏଥର ପ୍ରବଳ ଭକ୍ତଙ୍କ ଆଗମନ ହେବା ସମ୍ଭାବନା ରହିଛି । ତେଣୁ ଝୁଲା ପୋଲ ଉପରେ କଟକଣା ଜାରି କରିଯାଇଛି । କଟକ ଜିଲ୍ଲାପାଳ କହିଛନ୍ତି-ଟେକନିକାଲ ଟିମ୍‌ର ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରିଛୁ । ଦରକାର ପଡ଼ିଲେ ଧବଳେଶ୍ୱର ଝୁଲାପୋଲକୁ ଏବର୍ଷ ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇପାରେ । ପ୍ରତିକାର ସ୍ୱରୂପ ମହାନଦୀରେ ଡଙ୍ଗା ଓ ବୋଟ୍‌ର ଅଧିକ ବ୍ୟବସ୍ଥା କରାଯିବ । ସେପଟେ ଆଠଗଡ଼ ଉପଜିଲ୍ଲାପାଳ ଭକ୍ତଙ୍କୁ ନିବେଦନ କରି କହିଛନ୍ତି- କେବଳ ହବିଷ୍ୟାଳି, କାର୍ତ୍ତିକ ବ୍ରତଧାରୀ ଓ ଗଜଭୋଗ ମାନସିକଧାରୀ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଏଥର ଆସିଲେ ଭଲ । ଖୁବଶୀଘ୍ର ଏହି ପୀଠକୁ ସବୁ ଦିନିଆ ସ୍ଥାୟୀ ପୋଲ ନିର୍ମାଣ ହୋଇଯିବ ।

ସେପଟେ ୨୦୧୨ ମସିହାରେ ରାୟଗଡ଼ାରେ ନାଗାବଳୀ ନଦୀରେ ନିର୍ମିତ ଝୁଲାପୋଲକୁ ତୁରନ୍ତ ମରାମତି କରି ଖୋଲିବାକୁ ଦାବି ହୋଇଛି । ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏହି ପର୍ଯ୍ୟଟନସ୍ଥଳୀରେ ଗତ ୫ବର୍ଷରେ ବିଭିନ୍ନ ସମୟରେ ଦୁର୍ଘଟଣାରେ ୩୩ ଜଣଙ୍କ ପ୍ରାଣହାନୀ ପରେ ଏହାକୁ ବନ୍ଦ ରଖିଛି ଜିଲ୍ଲା ପ୍ରଶାସନ ।