• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୁଜରାଟର ମୋର୍ବିରେ ନଦୀଗର୍ଭକୁ ଝୁଲାପୋଲ ଛିଡି ପଡ଼ିବା ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । ଏଯାବତ୍ ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଅଛନ୍ତି ୪୮ ଜଣ ଶିଶୁ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି । ମରାମତି ଓ ବ୍ରିଜ୍‌କୁ ଫିଟନେସ୍ ସାର୍ଟିଫିକେଟ୍ ଦେଇଥିବା କମ୍ପାନି ନାଁରେ ମାମଲା ବି ରୁଜୁ ହୋଇିଛି । ଅଜନ୍ତା ମାନୁଫ୍ୟାକ୍ଚରିଂ ନାମକ ଏକ ଘରୋଇ କଂପାନି ହାତରେ ଥିଲା ପୋଲର ତଦାରଖ ଦାୟିତ୍ୱ ମରାମତି ପାଇଁ ୮ରୁ ୧୨ ମାସ ବ୍ରିଜ୍‌କୁ ବନ୍ଦ ରଖାଯିବାର ଥିଲା । ମାତ୍ର ଏହି ଅବଧି ପୂର୍ବରୁ ମାତ୍ର ୭ ମାସରେ ହିଁ ବ୍ରିଜ୍‌କୁ କଂପାନି ପକ୍ଷରୁ ଖୋଲି ଦିଆଯାଇଥିଲା । ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି । ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମୋର୍ବି ଯିବେ ବୋଲି ଜଣାପଡ଼ିଛି । ଗତକାଲି ସନ୍ଧ୍ୟାରେ ଶ୍ରଦ୍ଧାଳୁମାନେ ଛଟ୍ ପୂଜା ପାଇଁ ମାଛୁ ନଦୀରେ ଥିବା ଝୁଲା ପୋଲ ପାର ହେବା ବେଳେ ଘଟିଥିଲା ଏହି ଦୁଃଖଦ ଘଟଣା ।

ଅଧିକ ପଢ଼ନ୍ତୁ: ‘ଆଖି ବନ୍ଦ କଲେ ବି ଦିଶି ଯାଉଛି ସେ ହୃଦୟ ବିଦାରକ ଦୃଶ୍ୟ’

ରବିବାର ସନ୍ଧ୍ୟା ସାଢ଼େ ୬ଟା । ଗୁଜରାଟର ମୋର୍ବି । ମାଛୁ ନଦୀର ଝୁଲା ପୋଲ ଉପରେ ଖଚାଖଚ ଭିଡ । ରବିବାରିଆ ଛୁଟି ସାଙ୍ଗକୁ ଛଟ୍ ପୂଜା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫ ଶହ ଉପରେ । ସନ୍ଧ୍ୟା ପ୍ରାୟ ୬ଟା ୩୨ । ଆଖି ପିଛୁଳାକେ ଛିଡ଼ିପଡ଼ିଲା ବ୍ରିଟିଶ ଅମଳର ଝୁଲା ପୋଲ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆର୍ତ୍ତଚିତ୍କାର ଭିତରେ ନଦୀ ଗର୍ଭକୁ ଖସିପଡିଲେ ଶହ ଶହ ସଂଖ୍ୟାରେ ଲୋକ, ଛୋଟ ପିଲା, ବୟସ୍କ, ମହିଳା ସମସ୍ତେ । ଅନ୍ଧାରରେ ପାଣି ଭିତରେ ଛଟପଟ ଭଙ୍ଗା ଦଦରା, ଅଧା ବୁଡା ବ୍ରିଜ୍‌ରେ ଝୁଲି ଉଦ୍ଧାର କରିବାକୁ ଡାକ ପକାଇଥିଲେ ଅନେକ ।

ଅଘଟଣର କେଇ ମିନିଟ୍ ଭିତରେ ପହଞ୍ଚିଯାଇଥିଲେ ଉଦ୍ଧାରକାରୀ ଟିମ୍ । ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ୍ । ପୋଲିସ ଓ ଅଗ୍ନିଶମ ବାହିନୀ ସାଙ୍ଗକୁ NDRF ଏବଂ ତିନି ସେନାର ଯବାନ । ରାତି ତମାମ୍ ଚାଲିଲା ଉଦ୍ଧାର କାର୍ଯ୍ୟ । ନଦୀରୁ ବାହାରି ଚାଲିଥିଲା ଜଣଙ୍କ ପରେ ଜଣଙ୍କ ମୃତଦେହ । ଜୀବନ୍ତ ଉଦ୍ଧାର ପରେ ବି ଅନେକ ଆଖି ବୁଜିଥିଲେ ହସପିଟାଲରେ । ରାତି ପାହିବା ପରେ ଆହୁରି ଜୋରଦାର ହୋଇଥିଲା ରେସକ୍ୟୁ ଅପରେସନ । ହେଲେ ସେତେବେଳକୁ ଆଖି ବୁଜି ସାରିଥିଲେ ଶହେରୁ ଅଧିକ ବ୍ୟକ୍ତି । ଯାହା ଭିତରେ ଥିଲେ ୪୫ରୁ ଅଧିକ ଶିଶୁ । ସେପଟେ ବ୍ରିଜ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ରାଜକୋଟର ବିଜେପି ସାଂସଦଙ୍କ ୧୨ ଜଣ ସମ୍ପର୍କୀୟ ।

ମୃତକଙ୍କ ପରିବାରକୁ ଗୁଜରାଟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକଂପା ରାଶି ଘୋଷଣା କରାଯାଇଛି । ଆହତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ୫୦ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ହସପିଟାଲରେ ଆହତ ଓ ମୃତକଙ୍କ ସଂପର୍କୀୟଙ୍କୁ ବି ଭେଟିଛନ୍ତି ।ସେପଟେ ଏକତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଭାବ ବିହ୍ୱଳ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତାକାଲି ସେ ସ୍ଥିତି ଅନୁଧ୍ୟାନ ପାଇଁ ମୋର୍ବି ଗସ୍ତରେ ଯିବେ ।

ତେବେ ଏହାରି ଭିତରେ ଫୋରେନସିକ୍ ଟିମ୍ ଗ୍ୟାସ୍ କଟରରେ ଭଙ୍ଗା ବ୍ରିଜ୍‌ରୁ ନମୁନା ସଂଗ୍ରହ କରି ପରୀକ୍ଷା କରିଛି । ମିଳିଥିବା ସୂଚନା ଅନୁସାରେ, ସର୍ବାଧିକ କ୍ଷମତା ୧୨୫ ବଦଳରେ ଝୁଲା ପୋଲ ଉପରେ ଥିଲେ ୫ଶହରୁ ଅଧିକ ଲୋକ । ତେଣୁ ଅତ୍ୟଧିକ ଭିଡ ଯୋଗୁଁ ଝୁଲାପୋଲ ଦୁର୍ବଳ ହୋଇ ଛିଡି ପଡିଥିଲା ।

ଏହି ଘଟଣାରେ ଯେଉଁ ୯ ଜଣଙ୍କୁ ଗିରଫ କରାଯାଇଛି, ସେମାନଙ୍କ ମଧ୍ୟରେ ରହିଛନ୍ତି ବ୍ରିଜ୍ ମରାମତି ଦାୟିତ୍ୱରେ ଥିବା କମ୍ପାନୀ ଓରେଭାର ଅଧିକାରୀ, ଟିକେଟ୍ ବିକ୍ରେତା ଏବଂ ସୁରକ୍ଷାକର୍ମୀ । ବ୍ରିଜ୍ ମରାମତି କରୁଥିବା କମ୍ପାନୀ ଓରେଭା, ବ୍ୟାପକ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ମୋର୍ବି ପ୍ରଶାସନ ସହ କମ୍ପାନୀ ୧୫ ବର୍ଷର ଡିଲ୍ କରିଥିଲା । ବ୍ରିଟିଶ ଅମଳର ତଥା ଶହେ ବର୍ଷ ପୁରୁଣା ଏହି ବ୍ରିଜ୍ ମରାମତି ପାଇଁ ଏକ ଛୋଟ ସଂସ୍ଥା ଦେବପ୍ରକାଶ ସଲ୍ୟୁସନକୁ ଦାୟିତ୍ୱ ଦେଇଥିଲା ଓରେଭା । ମରାମତି ପାଇଁ ୮ରୁ ୧୨ ମାସ ବ୍ରିଜ୍‌କୁ ବନ୍ଦ ରଖାଯିବାର ଥିଲା । ହେଲେ ଏହି ଅବଧି ପୂର୍ବରୁ ମାତ୍ର ୭ ମାସରେ ହିଁ ବ୍ରିଜ୍‌କୁ କଂପାନି ପକ୍ଷରୁ ଖୋଲି ଦିଆଯାଇଥିଲା ।