• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅସୁରକ୍ଷିତ ଉପକୂଳ । ବିପଦରେ ଜୀବନ ଜୀବିକା । ଫିକା ପଡୁଛି ପର୍ଯ୍ୟଟନ । ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ମୁହାଣର ସୁବର୍ଣ୍ଣ ଦ୍ୱୀପ କଥା । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଦ୍ୱୀପକୁ ଦିନେ ଛୁଟୁଥିଲେ ଓଡ଼ିଶା ଓ ପଡୋଶୀ ପଶ୍ଚିମବଙ୍ଗରୁ ପର୍ଯ୍ୟଟକ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କୁ ନିଜ ଆଡକୁ ଟାଣି ଆଣୁଥିଲା । ସମୁଦ୍ର ବେଳାରେ ଲୋକେ ବୁଲୁଥିଲେ, ଝାଉଁ ବଣରେ ଫଟୋ ଉଠାଇବା ସହ ପିକନିକ୍ କରୁଥିଲେ । କର୍ମ ବ୍ୟସ୍ତ ଜୀବନକୁ ହାଲକା କରିବାକୁ ଏଠି ଜମୁଥିଲା ଲୋକଙ୍କ ଭିଡ଼ ।

ହେଲେ ଏବେ ଧୀରେ ଧୀରେ ଶ୍ରୀହୀନ ହେବାରେ ଲାଗିଛି ଏହି ଦ୍ୱୀପ । ସମୁଦ୍ର ଢେଉ ମାଡ଼ରେ ବାଲି ଧୋଇଯିବା ସହ ନିଶ୍ଚିହ୍ନ ହେବାକୁ ବସିଛି ଝାଉଁ ବଣ । ଆଉ କାଁ ଭାଁ ଥିବା ଝାଉଁ ବଣ ନିଜକୁ ତ ସମ୍ଭାଳି ପାରୁନି, ଆଖପାଖ ଗାଁକୁ ପ୍ରାକୃତିକ ବିପତ୍ତିରୁ ବା କିଭଳି ସମ୍ଭାଳିବ ? ତେବେ କେବଳ ସୁବର୍ଣ୍ଣ ଦ୍ୱୀପ ନୁହେଁ, ଚନ୍ଦନେଶ୍ୱରରୁ ଚନ୍ଦନୀପାଳ ପର୍ଯ୍ୟନ୍ତ ସୁଦୀର୍ଘ ବେଳାଭୂମି ପ୍ରତି ଉପୁଜିଛି ବିପଦ । 

ବାଲେଶ୍ୱର ଜିଲ୍ଲା ର ତାଳସାରୀରେ ୨.୬ କିମି ଏବଂ ଚାନ୍ଦିପୁରଠାରେ ୧.୭ କିମି ପଥରବନ୍ଧ ତିଆରି ଚାଲିଛି । ଜିଲ୍ଲାର ବାକି ସ୍ଥାନ ମାନଙ୍କରେ ମଧ୍ୟ ପଥର ପ୍ୟାକିଂ କରିବାକୁ ଦାବି କରିଛନ୍ତି ଲୋକେ । ସେପଟେ ଜଳ ସଂପଦ ବିଭାଗର ଅଧୀକ୍ଷକ ଯନ୍ତ୍ରୀ କହିଛନ୍ତି, ତାଳସାରୀରୁ ଚାନ୍ଦିପୁର ଯାଏ ସମୁଦ୍ର ତଟକୁ ଉଚ୍ଚ ପଥର ପ୍ୟାକିଂର ଆବଶ୍ୟକତା ରହିଛି । ତେବେ ଯାଇ ପର୍ଯ୍ୟଟନରୁ ଲାଭ ମିଳିବା ସହ ଉପକୂଳକୁ ସୁରକ୍ଷା ଦିଆଯାଇପାରିବ ଏବଂ ସମୁଦ୍ରକୂଳିଆ ଲୋକେ ମଧ୍ୟ ସୁରକ୍ଷିତ ରହିପାରିବେ ।

ଅଧିକ ପଢ଼ନ୍ତୁ: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଲୁପ୍ତ ହେବେ ୬୫ ପ୍ରତିଶତ କୀଟ!

ବିଗତ ଦିନରେ ୟାସ୍ ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏହି ଜିଲ୍ଲା । ଅଧିକାଂଶ ସ୍ଥାନରେ ପଥର ପ୍ୟାକିଂ ନଥିବାରୁ ଭୋଗରାଇ, ବାଲିଅାପାଳ, ରେମୁଣା ଓ ବାହାନଗା ଆଦି ବ୍ଲକରେ ବ୍ୟାପକ କ୍ଷତି ହୋଇଥିଲା । ଗାଁ ଗଣ୍ଡା, ଚାଷ ଜମିକୁ ଲୁଣି ପାଣି ମାଡ଼ି ଯାଇଥିଲା ।